ଆସିଲା ନୂଆ କ୍ୟାମେରା ! ଦେଖିହେବ ଶରୀର ଭିତରର ଦୃଶ୍ୟ

46

କନକ ବ୍ୟୁରୋ: ଚିକିତ୍ସା ବିଜ୍ଞାନରେ ପ୍ରଥମ । ଶରୀର ଭିତରର ଟିକିନିକି ଦୃଶ୍ୟକୁ କରିହେବ ରେକର୍ଡ । କୋଉଠି କଣ ଅଛି ସବୁ ଦେଖିହେବ । ଏଥିପାଇଁ ବୈଜ୍ଞାନିକ ମାନେ ତିଆରି କରିଛନ୍ତି ଏକ ସୂକ୍ଷ୍ମ କ୍ୟାମେରା । ଯାହା ଶରୀର ଭିତରକୁ ଯାଇ ଭିତରର ଦୃଶ୍ୟକୁ ଦେଖାଇପାରିବ ।

ଯେକୌଣସି ରୋଗ ହେଉ ନା କାହିଁକି । ଆଉ ଚିନ୍ତା ନାହିଁ । ଶରୀର ଭିତରେ କଣ ଗଡବଡ ହୋଇଛି ସବୁ ଜାଣିହେବ । ଏଣ୍ଡୋସ୍କୋପି, ଏକ୍ସ-ରେ କିମ୍ବା ଅଲଟ୍ରାସାଉଣ୍ଡ ମାଧ୍ୟମରେ ଶରୀରର ସବୁ ଅଂଶର ପରିସ୍କାର ଚିତ୍ର ଜଣାପଡୁନଥିଲା । ବେଳେବେଳେ ଗ୍ରାଫ ଦେଖି ଅନୁମାନ କରୁଥିଲେ ଡାକ୍ତର । କିନ୍ତୁ ଏବେ ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି ।

ବୈଜ୍ଞାନିକ ମାନେ ଏନେଇ ଯେଉଁ ମାଇକ୍ରୋ କ୍ୟାମେରା ଉଦ୍ଭାବନ କରିଛନ୍ତି, ତାହା ନୂଆ ଜ୍ଞାନକୌଶଳରେ ନିର୍ମିତ । ଏହି କ୍ୟାମେରାଟି ଅତି ସୂକ୍ଷ୍ମ ହୋଇଥିବାରୁ ଶରୀର ଭିତରକୁ ଯିବାରେ କୌଣସି ଅସୁବିଧା ହେବନାହିଁ । ଏହା ଶରୀର ଭିତରକୁ ପ୍ରବେଶ କରିବା ପରେ ଆପେ ଆପେ ଆକ୍ଟିଭ ହୋଇ କାର୍ଯ୍ୟକ୍ଷମ ହେବ । ଶରୀର ଭିତରେ ଥିବା ଯେ କୌଣସି ଛୋଟ ଛୋଟ ଦାଗକୁ ବି ଲୋକେଟ କରିପାରିବ । ଏହି ଡିଜିଟାଲ ସୂକ୍ଷ୍ମ କ୍ୟାମେରା ଦ୍ୱାରା ଶରୀରର ଭିତର ଦୃଶ୍ୟକୁ ରେକର୍ଡିଂ ବି କରିହେବ । ଏହା ସାହାଯ୍ୟରେ ପରେ ଭିଡିଓଗ୍ରାଫି ଦ୍ୱାରା ଡାକ୍ତରମାନେ ରୋଗ ବାବଦରେ ଜାଣିପାରିବେ । ତେବେ ଏହି କ୍ୟାମେରା ବ୍ୟବହାର ଦ୍ୱାରା ଆଗକୁ ଡାକ୍ତରୀ ଦୁନିଆରେ ଅନେକ ଫାଇଦା ମିଳିବ ବୋଲି ଆଶା କରାଯାଉଛି ।