ମାଓ ସଂଗଠନ ହେଉଛି ଦୁର୍ବଳ ! ସଂଗଠନକୁ ସକ୍ରିୟ କରାଇବା ପାଇଁ ଲାଲ୍-ବାହିନୀଙ୍କୁ ଭରଷା ବାଲ୍-ବାହିନୀ !

42

କନକ ବ୍ୟୁରୋ: ନକ୍ସଲଙ୍କୁ ଭରସା ନାବାଳକ । ଗତ କିଛିଦିନ ତଳେ ଟପ୍ କ୍ୟାଡର ନକ୍ସଲ ନିହତ ଏବଂ ଗିରଫ ପରେ ଦୁର୍ବଳ ହେବାରେ ଲାଗିଛି ମାଓ ସଂଗଠନ। ଏପରିକି ବହୁ କ୍ୟାଡର ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସପର୍ମଣ କରିବା ସଂଗଠନକୁ ଧକ୍କା ଦେଇଛି। ଏଭଳି ସ୍ଥିତିରେ ବଳ ଗୋଟାଇବାକୁ ସଂଗଠନ ପୂରା ଜୋର ଲଗାଇ ଦେଇଛି। ସୀମାନ୍ତ ଛତିଶଗଡ଼ରେ ବାରମ୍ବାର ହିଂସାକାଣ୍ଡ ଘଟାଇ ମାଲକାନଗିରି ଜିଲ୍ଲାର ଘଞ୍ଚ ଜଙ୍ଗଲକୁ ଆତ୍ମଗୋପନ ପାଇଁ ଚାଲି ଆସୁଛନ୍ତି। ଯାହାର ପ୍ରମାଣ ଗତ କିଛି ଦିନ ହେଲା ପୁଲିସର ସଫଳ ଅପରେସନରୁ ସ୍ପଷ୍ଟ ହୋଇଯାଉଛି।

ସେଥିପାଇଁ ସଂଗଠନ ଆଉ ପୂର୍ବଭଳି ଯୁବକ, ଯୁବତୀଙ୍କ ଉପରେ ଭରସା କରିପାରୁ ନାହିଁ। କାରଣ କିଛି ବର୍ଷ କାମ କରିବା ପରେ ଏମାନେ ବିଭିନ୍ନ କାରଣରୁ ସଂଗଠନ ଛାଡ଼ୁଛନ୍ତି। ସ୍ବାବଲମ୍ବୀ ହୋଇ ପାରିବାରିକ ଜୀବନ ବିତାଇବାକୁ ବି ଆଗ୍ରହ ଦେଖାଉଛନ୍ତି । ତେଣୁ ନାବାଳିକ, ନାବାଳିକାଙ୍କୁ ସଂଗଠନ ମୁହଁ କରିବାକୁ ବର୍ତମାନ ଭର୍ତି ଚାଲିଛି। ଏପରିକି କିଛି ସ୍ଥାନରେ ଏମାନଙ୍କୁ ତାଲିମ ଦିଆଯାଉଥିବା ଜଣାପଡ଼ିଛି। କିଛି ଦିନ ତଳେ ଛତିଶଗଡ଼ରେ ପୁଲିସ କମ୍ବିଂ ଅପରେସନ ସମୟରେ ୪ଜଣଙ୍କୁ ଗିରଫ କରିଥିଲା। ସେଥିରେ ଜଣେ ନାବାଳିକା ରହିଥିବା ପୁଲିସ କହିଥିଲା। ସେହିପରି କିଛି ହିଂସାକାଣ୍ଡରେ ନାବାଳକ ସିଧାସଳଖ ସଂପୃକ୍ତ ଥିବା ନେଇ ପୁଲିସ ପ୍ରମାଣ ମିଳିଛି। ନିରୀହ ତଥା ଆଦିବାସୀ ନାବାଳକ, ନାବାଳିକା ନକ୍ସଲଙ୍କ ପ୍ରଲୋଭନରେ ଫସି ଯାଉଥିବା ବେଳେ ଏବେ ଗାଁ ଗାଁ ବୁଲି ସମର୍ଥନ ପାଇଁ ବୈଠକ କରି ସେମାନଙ୍କୁ ସଂଗଠନରେ ଭର୍ତି କରୁଛନ୍ତି।

ଯଦିଓ ଏମାନେ ଅସ୍ତ୍ରଶସ୍ତ୍ର ଧରି ସମ୍ମୁଖ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇ ନାହାନ୍ତି। ତଥାପି ପୁଲିସର ଗତିବିଧି ସଂପର୍କରେ ସୂଚନା ଦେବା । ରାସନ ସହ ଅନ୍ୟାନ୍ୟ ସାମଗ୍ରୀ ନେଇ ଦେବା କାମରେ ନିୟୋଜିତ ହେଉଛନ୍ତି। ଏହାବ୍ୟତୀତ ଅନ୍ୟ କେତେକ ଛୋଟମୋଟ କାମ ଯେତିମି ବ୍ୟାନର, ପୋଷ୍ଟର ମାରିବା ଏବଂ ରାସ୍ତା ଅବରୋଧ ଭଳି କାମ ଏମାନଙ୍କ ଦ୍ବାରା ନକ୍ସଲ କରାଉଛନ୍ତି। ଏମିତିରେ ନକ୍ସଲଙ୍କ ବାଲ୍ବାହିନୀ ଖୁବ୍ ସକ୍ରିୟ ରହିଥିବା ଗୁଇନ୍ଦା ସୂଚନା ମିଳିଛି। ବିଶେଷ କରି ଯବାନଙ୍କ ଗତିବିଧି ଉପରେ ଏମାନେ ନଜର ରଖୁଛନ୍ତି। ସେହିପରି କିଛି ଜଣ ଏବେ ସ୍ବତନ୍ତ୍ର ତାଲିମ ନେଉଛନ୍ତି। ବିସ୍ଫୋରଣ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଜାତିସଂଘ ବି ସ୍ବୀକାର କରିଛି ଯେ ଛତିଶଗଡରେ ପିଲାଙ୍କୁ ନିଜର ଢାଲ ବନାଉଛନ୍ତି ନକ୍ସଲ। ତେଣୁ ତୁରନ୍ତ ନକ୍ସଲ କବଳରୁ ପିଲାଙ୍କୁ ଉଦ୍ଧାର କର। ପୁଲିସ ସହ ଗୁଳିବିନିମୟ ବେଳେ ନାବାଳକ ଗୁଳି ଚଳାଉଥିବା ମଧ୍ୟ ନଜରକୁ ଆସିଛି। ଏଭଳି ସ୍ଥିତିରେ ଛୋଟ ଛୋଟ ପିଲାଙ୍କୁ ସଂଗଠନରେ ଜଡିତ କରିବା କେତେ ଦୂର ଯୁକ୍ତିଯୁକ୍ତ। ତାହା ଆଦର୍ଶ କଥା କହୁଥିବା ନକ୍ସଲ ପ୍ରକାଶ କରନ୍ତୁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।