ଅନ୍ତରୀଣ ବଜେଟକୁ ବିକାଶର ବଜେଟ ଟ୍ୟାଗ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! କହିଲେ, ଏହା ଗରିବ, କୃଷକ,ମହିଳା,ଯୁବକଙ୍କ ପାଇଁ ବଜେଟ 

439

କନକ ବ୍ୟୁରୋ : ଆଉ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ବଜେଟକୁ ଗରିବ, କୃଷକ, ମହିଳା, ଅନୁସୂଚିନ ଜାତି ଓ ଜନଜାତି, ଯୁବକଙ୍କୁ ସୁହାଇଲା ଭଳି ବଜେଟ କହିବା ଏହାକୁ ବିକାଶର ବଜେଟ ବୋଲି ଟ୍ୟାଗ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଖାସକରି କୃଷକଙ୍କ ସମସ୍ୟା ଦୂର କରିବା ପାଇଁ କାଳିଆ ଯୋଜନା ଓ ଚାଷୀଙ୍କ ପିଲା ମାନଙ୍କ ପାଇଁ କାଳିଆ ବୃତ୍ତି  ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବାରୁ ନିଜର ଖୁସି ଜାହିର କରିଛନ୍ତି ନବୀନ  । ଏହାଛଡା ବଜେଟରେ ଅନ୍ୟ ଲୋକପ୍ରିୟ ଯୋଜନା ଯେପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି, ଆମ ଗାଁ ଆମ ବିକାଶ ଯୋଜନା, ମଧୁବାବୁ ପେନସନ ଯୋଜନା, ସମସ୍ତଙ୍କ ପାଇଁ ଗୃହ, ପିଇବା ପାଣି ଓ ବିଦ୍ୟୁତ, ରାଜସ୍ୱ ବୃଦ୍ଧି, ନିଯୁକ୍ତି ସୃଷ୍ଟି କରିବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବେଶ ଖୁସି ହୋଇଛନ୍ତି ।

ଆଉ ଏହାସହ ଏହି ବଜେଟ ଆମକୁ ପୁଣିଥରେ ଅଧାରେ ଅଟକି ରହିଥିବା ଅନେକ ଗୁଡିଏ ବିକାଶମୂଳକ କାମକୁ ଆଗକୁ ବଢାଇନେବାରେ ସାହାଯ୍ୟ କରିବ । ଆମେ କଥାରେ ନୁହେଁ ପ୍ରକୃତ କାମରେ ବିଶ୍ୱାସ କରୁ ।  ଆଉ ଆମ କାମ ହିଁ ସବୁକିଛି ବଖାଣିଥାଏ ।

ବିଧାନସଭାରେ ଚତୁର୍ଥ ପାଳି ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି ନବୀନ ସରକାର । ଆଶା କରାଯାଉଥିଲା, ଆଗକୁ ନିର୍ବାଚନ ଥିବାରୁ ଶେଷ ବଜେଟ୍ ହୋଇଥିବାରୁ ବଡ଼ ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିପାରନ୍ତି ସରକାର । ତେବେ ସେପରି ହୋଇନାହିଁ, ପୂର୍ଣ୍ଣାଙ୍ଗ ବଜେଟ୍ ହୋଇନଥିବାରୁ କୌଣସି ନୂଆ ଯୋଜନା ଘୋଷଣା କରିନାହାନ୍ତି ସରକାର । ୨୦୧୯-୨୦ ଆର୍ଥିକ ବର୍ଷରେ ସରକାରଙ୍କ ମୋଟ ବ୍ୟୟ ଆକଳନ ହେଉଛି ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କା । ତେବେ ଲେଖାନୁଦାନରେ ଆସନ୍ତା ୪ ମାସ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଆଉ ଏଥିପାଇଁ ୫୬ ହଜାର ୯ଶହ ୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର । ବିଶେଷ କରି ଏହି ଲେଖାନୁଦାନରେ କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇଛନ୍ତି ସରକାର ।