ଓଡିଆ… ଓଡିଆ… ଓଡିଆ… ନବୀନଙ୍କ ମନର କଥା ଜିତିଲା ହୃଦୟ । ଘୋଷଣା ଆଉ ଶପଥ ସହ ନବୀନ ଦେଖାଇଲେ ଶିକ୍ଷା ବିକାଶର ସ୍ୱପ୍ନ ।

112

ରାଜ୍ୟସ୍ତରୀୟ ଶିଶୁଦିବସ କାର୍ଯ୍ୟକ୍ରମ । ସମସ୍ତଙ୍କର ନଜର ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । କଣ କହିବେ, କେଉଁ ଭାଷାରେ କହିବେ, କଣ ଘୋଷଣା କରିବେ, ପିଲାଙ୍କ ସହ କିଭଳି କରିବେ ବାର୍ତ୍ତାଳାପ । ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିଲା । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଆସି ପହଂଚିଥିଲେ କ୍ୟାପିଟାଲ ହାଇସ୍କୁଲ ପଡିଆରେ, ଯେଉଁଠି ରାଜ୍ୟସ୍ତରୀୟ ଶିଶୁଦିବସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମଂଚ ଉପରେ ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଓଡିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳୁଥିଲା ତାସହ ଥିଲା ଚିତାକର୍ଷକ ଦୃଶ୍ୟ । ଏତମାମ ଦିଗକୁ ମନ ଯାଉନଥିଲା । ନଜର ଅଟକୁଥିଲା ନବୀନଙ୍କ ଭାବମୁର୍ତ୍ତି ଉପରେ ।  ଶିଶୁଦିବସ କାର୍ଯ୍ୟକ୍ରମରେ ଆସିଥିଲା ନବୀନଙ୍କ ସମୟ । ଯେଉଁଠି ୧୦ ମିନିଟ ସେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ଥିଲା । ହେଲେ ନବୀନଙ୍କ ପୁରା ଅଭିଭାଷଣ ଥିଲା ୧୧ ମିନିଟ ୫୩ ସେକେଣ୍ଡର । ଅର୍ଥାତ୍ ନବୀନ ପାଖାପାଖି ୨ ମିନିଟ ଅଧିକ କହିଥିଲେ । ଏହା ଯେତିକି ମହତ୍ୱପୁର୍ଣ୍ଣ ନଥିଲା, ଯେଉଁ ଢଙ୍ଗରେ ନିଜ ବକ୍ତବ୍ୟ ରଖିଲେ ଆଉ ଯେଭଳି ଢଙ୍ଗରେ ରଖିଲେ ତାହା ଥିଲା ଗୁରୁତ୍ୱପୁର୍ଣ୍ଣ । ବିନା କାଗଜରେ ଆଜି ନବୀନ ନିଜ ମନର କଥା କହିଥିଲେ । ଯାହା ଉପସ୍ଥିତ ସମସ୍ତଙ୍କ ମନକୁ ବେଶ ଛୁଇଁଥିଲା । ଖାସ କରି ପ୍ରତିଦିନ ଗଣମାଧ୍ୟମ ପ୍ରତିନିଧି ଭାବେ ଆମ ମନକୁ, କାହିଁକି ନା ନବୀନଙ୍କ ଏହି ଅବତାର ଏହା ପୂର୍ବରୁ ଆମେ କେବେ ଦେଖିନଥିଲୁ ।

 

ଓଡିଆରେ ଅଭିଭାଷଣ ଆରମ୍ଭ କରି ନବୀନ ସମସ୍ତଙ୍କୁ ନେଇଯାଇଥିଲେ ପିଲାଦିନକୁ । ତୁମ ପରି ଛୋଟ ପିଲାଟିଏ, ପିଲାଦିନେ ଏହାକୁ ଆମେ ସ୍କୁଲ ବହିରେ ପଢିଥିଲୁ । ଆଉ ଆଜି କିଛି ମୁହୁର୍ତ୍ତ ପାଇଁ ସେହି କଥା ମନେପଡିଗଲା, ଯେତେବେଳେ ଉକ୍ରଳ ଗୈାରବ ମଧୁସୁଦନ ଦାସଙ୍କ ବାବଦରେ ନବୀନ ନିଜ ଅଭିଭାଷଣର ଆରମ୍ଭରେ ଉଲ୍ଲେଖ କରିଥିଲେ । ମଧୁ ବାରିଷ୍ଟରଙ୍କ ସ୍ୱାଭିମାନର ବାର୍ତ୍ତା ଆଉ ବିଜୁ ବାବୁଙ୍କ ସାହାସକୁ ନବୀନ ଆରମ୍ଭରୁ ଉତଥାପନ କରିଥିଲେ ।

ଛାତ୍ରଛାତ୍ରୀଙ୍କୁ ତିନୋଟି କର୍ତ୍ତବ୍ୟ ବାବଦରେ ସଚେତନ କରିବାକୁ ଏହି ଅବସରକୁ ବ୍ୟବହାର କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଭଲ ପାଠ ପଢ ନିଜ ସ୍ୱପ୍ନକୁ ସାକାର କର । ଦ୍ୱିତୀୟରେ – ପିତା ମାତାଙ୍କ ପ୍ରତି ସବୁବେଳେ ଧ୍ୟାନଦେବା, ତୃତୀୟରେ – ଯେଉଁ ସମାଜ, ଦେଶ ଆଉ ଗାଁରେ ଜନ୍ମ ହୋଇଛେ ତା ପାଇଁ କିଛି କରିବା । ବୋଧହୁଏ ଏଭଳି ଏକ ଆହ୍ୱାନ ଦେବା ପଛର ଉଦ୍ଦେଶ୍ୟ, ସହଭାଗୀତା ଭିତିରେ କିଛି କରିବାର ଇଛା ସବୁବେଳେ ସଫଳତା ଆଣିଦେଇଥାଏ । ଆଉ ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ନିହାତି ସ୍ୱାଗତଯୋଗ୍ୟ । ମୁଁ ଯଦି ମୋ ଗାଁ ଆଉ ସ୍କୁଲ ପାଇଁ କିଛି କରିବାର ଆଗ୍ରହ ରଖେ ଓ ଏହି କ୍ରମରେ ଆଉ କିଛି ସହଯୋଗୀ ହାତ ବଢାନ୍ତି, ତେବେ ବିକାଶକୁ ଅଟକାଯାଇପାରିବ ନାହିଁ । ନବୀଣ କହିଥିଲେ, ଓଡିଶାର ପିଲାମାନେ ସବୁବେଳେ ବଡ ସ୍ୱପ୍ନ ଦେଖନ୍ତୁ ଏବଂ ଜୀବନର ସବୁ ଆହ୍ୱାନକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତୁ । ଓଡିଶାର ପିଲାମାନେ ବାହାରେ ଗୈାରବ ଅର୍ଜନ କରୁଥିବା ନେଇ ସେ ଆନନ୍ଦିତ ବୋଲି କହିଥିଲେ ।

 

ଓଡିଆ କହିପାରୁନଥିବା ନେଇ ସବୁବେଳେ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେଉଥିବା ମୁଖ୍ୟମନ୍ତ୍ରୀ ଆଜି ଦେଇଥିଲେ ଭାଷା ଉପରେ ଯଥେଷ୍ଟ ଗୁରୁତ୍ୱ । କହିଥିଲେ, ଭାଷା ଆମର ଗୈାରବ । ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ଆମର ଲକ୍ଷ୍ୟ । ଓଡିଆ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ନବୀନ ଘୋଷଣା କରିଥିଲେ ବୃତ୍ତି ପୁରସ୍କାର । ଓଡିଆ ଭାଷାରେ ଦଶମ ଶ୍ରେଣୀରେ ଭଲ କରିଥିବା ପିଲାଙ୍କୁ ଓଡିଆ ଭାଷା ବୃତ୍ତି ପୁରସ୍କାର ରାଜ୍ୟ ସରକାର ପ୍ରଦାନ କରିବେ । ପ୍ରତି ବ୍ଲକର ୧୦ ଜଣ ପିଲାଙ୍କୁ ୫ ହଜାର ଲଖୋଏଁ ପୁରସ୍କାର ଦିଆଯିବ । ସେହିପରି ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ଦେବାକୁ ଘୋଷଣା କରିଥିଲେ । ପ୍ରତି ବ୍ଲକ ଓ ସହରାଂଚଳରେ ପିଲାମାନେ ଏହି ପୁରସ୍କାର ପାଇବେ । ସାରା ରାଜ୍ୟର ୪୦ ହଜାର ପିଲା ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପାଇବେ । ଶିକ୍ଷକ ଆଉ ଅବିଭାବକଙ୍କ କର୍ତ୍ତବ୍ୟକୁ ଭୁଲି ନଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିତାମାତା ଓ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ସମ୍ମାନିତ କରିବେ । ଖାଲି ଏତିକି ନୁହେଁ, ପ୍ରତି ବ୍ଲକର ୩ଟି ଶ୍ରେଷ୍ଠ ସ୍କୁଲକୁ ରାଜ୍ୟ ସରକାର ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବେ, ଯାହାକୁ ଶିକ୍ଷକ ମାନଙ୍କ ଭିତରେ ବଂଟାଯିବ ।

 

ଅନୁମାନ କରାଯାଉଛି, ଏହି ଘୋଷଣା ପଛରେ ରହିଛି ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱୀତାମୁଳକ ପରିବେଶ ତିଆରି କରିବାର ଉଦ୍ଦେଶ୍ୟ । ଯେଉଁଠି ଭଲ ପାଠ ପଢାଇବାକୁ ଆଉ ଭଲ ମାର୍କ ରଖିବାକୁ ଶିକ୍ଷକ ଓ ପିଲାଙ୍କ ଭିତରେ ହେବ ସୁସ୍ଥ ପ୍ରତିଯୋଗୀତା । ଯାହାର ଫାଇଦା ଶିକ୍ଷା ବ୍ୟବସ୍ଥା ଉପରେ ପଡିବ । ଗତ କିଛି ବର୍ଷ ଭିତରେ ରାଜ୍ୟରେ ଶିକ୍ଷାର ମାନ ନିମ୍ନଗାମୀ ହେଉଥିବାର ଅଭିଯୋଗ ହେଉଥିଲା, ଆଉ ଏହି ଘୋଷଣା ମାଧ୍ୟମରେ ନବୀନ ଏଥିରେ ସୁଧାର ଆଣିବାକୁ ଲକ୍ଷ ରଖିଥିବା ଅନୁମାନ । ସେହିପରି ଓଡିଆ ଭାଷାପ୍ରତି ମଧ୍ୟ ଆଦର ବଢାବାକୁ ନବୀନ ମାରିଛନ୍ତି ମାଷ୍ଟରଷ୍ଟ୍ରୋକ । ଓଡିଆକୁ ନେଇ ଚାଲିଥିବା ରାଜନୈତିକ ଛକାପଂଝାରେ ପାଦେ ଆଗକୁ ରହିବାକୁ ଏହି ଗୋଟିଚାଳନା ହୋଇଥିବା ଅନୁମାନ କରାଯାଉଛି ।

 

ମୁଖ୍ୟମନ୍ତ୍ରୀ ଏହି ଅବସରରେ ମୋ ସ୍କୁଲ ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିଲେ । ସ୍କୁଲର ବିକାଶରେ ପୁରାତନ ଛାତ୍ର ତଥା ଜନସାଧାରଣଙ୍କୁ ସାମିଲ କରିବାକୁ ଏହା ଉଦ୍ଦିଷ୍ଟ । ଯଦି କୈାଣସି ବ୍ୟକ୍ତି କୈାଣସି ସ୍କୁଲର ବିକାଶ ପାଇଁ କିଛି ଅର୍ଥ ଦାନ କରନ୍ତି, ତେବେ ସରକାର ତାର ଦୁଇଗୁଣ ଅର୍ଥ ଦାନ କରିବେ । ଆଉ ଏଥିପାଇଁ ପ୍ରାରମ୍ଭିକ ଭାବେ ୧୦୦ କୋଟି ଟଙ୍କାର କର୍ପସ ଫଣ୍ଡ ରଖିଥିବା ଘୋଷଣା କରିଥିଲେ । ଆଗ୍ରହୀ ବ୍ୟକ୍ତିମାନେ ସ୍କୁଲରେ ବିଜ୍ଞାନାଗାର, ଲାଇବ୍ରେରୀ, ଆଦିର ସ୍ଥାପନା ସହିତ କ୍ରୀଡାର ବିକାଶ ଓ ଶିକ୍ଷାଦାନ ଆଦି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇପାରିବେ ।

 

ନବୀନଙ୍କ ଏହି ୧୧ ମିନିଟ ୫୩ ସେକେଣ୍ଡର ଅଭିଭାଷଣର ଭିନ୍ନ ଦିଗକୁ ମଧ୍ୟ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଓଡିଆରେ ଯଦିଓ ଅର୍ଦ୍ଧାଧିକ ସମୟ ନବୀନ ନିଜ ବକ୍ତବ୍ୟ ରଖିଥିଲେ, ହେଲେ ଏଥିରେ ୪ ମିନିଟ ୨ ସେକେଣ୍ଡ ଥିଲା ଇଂରାଜୀ । ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିଜେପି କହିଛି, ନବୀନ ଯଦି ଓଡିଆରେ ଭାଷଣ ଦେବାକୁ ଚାହୁଁଥିଲେ ମଝିରେ ଇଂରାଜୀ ଆଣିଲେ କାହିଁକି? ହୁଏତ ଏହା ରାଜନୈତିକ ଆରୋପ ପ୍ରତ୍ୟାରୋପ ପାଇଁ ସୁଯୋଗ ଆଣିଦେବ ହେଲେ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉନ୍ମାଦନା ଭରିବାକୁ ଯଥେଷ୍ଟ । ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ କେବେ ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁ ଏତେ ବଡ ଆୟୋଜନ ଆଉ ତା’ସହ ନବୀନଙ୍କ ଉଦବୋଧନ ଥିଲା ବେଶ ଗୁରୁତ୍ୱପୁର୍ଣ୍ଣ ।

 

ଶିଶୁଦିବସର ଏହି କାର୍ଯ୍ୟକ୍ରମ ସରିଯାଇଛି, ହୁଏତ ଆସନ୍ତାବର୍ଷ ବେଳକୁ ଆକଳନ କରାଯିବ ଘୋଷଣା କେତେ ସଫଳ ଆଉ କେତେ ବିଫଳ ହୋଇଛି । ହେଲେ ସ୍କୁଲରୁ ବାହାରିଥିବା ଆମ ଭଳି ଅନେକ ଛାତ୍ରଙ୍କ ସମ୍ନାରେ ଏବେ ଅନେକ ଆହ୍ୱାନ ରହିଛି । ମୋ ସ୍କୁଲ ପାଇଁ ମୁଁ କଣ ଯୋଜନା କରିବି, କିଭଳି ମୋ ସ୍କୁଲର ବିକାଶ ହୋଇପାରିବ, କିଭଳି ମୁଁ ପାଠ ପଢିଥିବା ସ୍କୁଲର ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସହଯୋଗର ହାତ ବଢାଇବି । ରାଜ୍ୟର ୩୧୪ ବ୍ଲକ ତଥା ପଂଚାୟତ ସ୍ତରରେ ଯଦି ଏହି ସହଯୋଗର ହାତ ବଢେ, ତେବେ ନିହାତି ଭାବେ ଶିକ୍ଷାର ମାନ ଆଉ ଭିତ୍ତିଭୂମିରେ ଉନ୍ନତି ଘଟିବ, ଏଥିରେ କୈଣସି ପ୍ରକାରର ଅବକାଶ ନାହିଁ । ସରକାର ତାଙ୍କ କର୍ତ୍ତବ୍ୟ କରିବେ ଆଉ ଆମ ମାନଙ୍କ ଉପରେ ମଧ୍ୟ ଏକ ଗୁରୁ ଦାୟିତ୍ୱ ରହିବ, ଯାହା ପୂରଣ କରିବାର ଆବଶ୍ୟକତା ରହିଛି ।

 

ଆଜିର ରାଜନୀତି ପ୍ରଚାର ସର୍ବସ୍ୱ ହେଲାଣି । ହୁଏତ ସେହି କ୍ରମରେ ଶାସକ ବିଜୁ ଜନତା ଦଳ ଏତେ ବଡ ଆୟୋଜନ କରି ସବୁ ସ୍କୁଲ ସ୍ତରରେ ଆଉ ଗାଁ ସ୍ତରରେ ଗୋଟିଏ ଝଟକାରେ ପହଂଚିଗଲା । ଏହି ଫର୍ମୁଲା ଆଗରୁ ଦେଖିବାକୁ ମିଳୁନଥିଲା, ଯାହାକୁ ଆୟୁଧ କରି ବିଜେଡି ଏତେ ବଡ କାର୍ଯ୍ୟକ୍ରମର ଆୟୋଜନ କଲା । ରାଜନୀତିରେ ଏହା କେତେ ଫାଇଦା ଦେବ ବା ଭୋଟରେ କେତେଦୁର ପରିଣତ ହେବ, ତାହା ତ ସମୟ କହିବ, କିନ୍ତୁ ଶିକ୍ଷାର ବିକାଶ ଆଉ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ଯେ ଏହା ସହାୟକ ହେବ, ଏଥିରେ କୈାଣସି ପ୍ରକାରର ଶଙ୍କା ନାହିଁ ।