ଚାଷୀଙ୍କ କ୍ଷତରେ ମୁଖ୍ୟମନ୍ତ୍ରୀଙ୍କ ମଲମ ! କହିଲେ, ଚାଷୀଙ୍କ ସହ ଅଛି ସରକାର

30

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ପରେ ଚେତିଲା ପ୍ରଶାସନ । ଚାଷୀ ଆତ୍ମହତ୍ୟାକୁ ନେଇ ରାଜନୀତି ସରଗରମ ଥିବାବେଳେ ବରଗଡରେ ପହଞ୍ଚିଲା ରାଜ୍ୟ ସରକାରଙ୍କ ତିନି ଜଣିଆ ଟିମ । ଚାଷୀ ମୃତ୍ୟୁ ଓ ଚକଡା ପୋକ ଲାଗି ଫସଲ ନଷ୍ଟ ଘଟଣାର ତଦନ୍ତ କରିଛି ଏହି ତିନି ଜଣିଆ ଟିମ୍ । ଏହାସହ କୀଟନାଶକ ଦୋକାନରେ ରେଡ କରିଛି ଟିମ । ରେଡ କରି କୀଟନାଶକ ମାନର ଯାଂଚ କରାଯାଇଛି । ପୂର୍ବରୁ ନକଲି କୀଟନାଶକ ମିଳୁଥିବା ନେଇ ଚାଷୀ ମାନେ ଆନ୍ଦୋଳନ କରିଥିଲେ । କୀଟନାଶକ ଜମିରେ ପକାଇବା ପରେ ମଧ୍ୟ ଫସଲରୁ ପୋକ ଛାଡିନଥିଲେ । ଏହାପରେ ତାତିଥିଲେ ଚାଷୀ । ରାସ୍ତାରେ ସରକାରୀ ଅଧିକାରୀଙ୍କୁ ବସାଇ ଧାରଣାରେ ବସିଥିଲେ ଚାଷୀ । କିନ୍ତୁ ଧାରଣାର ଦିନ କେଇଟା ନ ବିତୁଣୁ ଜୀବନ ହାରିଦେଲେ ବୃନ୍ଦା । ଆଜି ଏହି ଟିମ୍ ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ଘରକୁ ଯାଇ ତାଙ୍କ ଆତ୍ମହତ୍ୟାର ସତ୍ୟାସତ ବିଷୟରେ ପଚାରି ବୁଝିଛନ୍ତି । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଏମାନେ ଚାଷୀର ଜମିକୁ ଯାଇ ଚାଷର କ୍ଷୟକ୍ଷତି ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଏହି ଘଟଣାରେ କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ବରଗଡକୁ ପଠାଯାଇଛିା ଆଜି ସଂଧ୍ୟା ସୁଦ୍ଧା ଟିମ ଫେରି ରିପୋର୍ଟ ଦାଖଲ କରିବ । ସେହିପରି ବରଗଡ ଜିଲ୍ଲାପାଳଙ୍କୁ ମଧ୍ୟ ୪୮ ଘଂଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇ ୩୩ ପ୍ରତିଶତରୁ ଅଧିକ ଫସଲ ହାନୀ ହୋଇଥିବା ଚାଷୀଙ୍କୁ ସହାୟତା ଦିଆଯିବ ବୋଲି କୃଷିମନ୍ତ୍ରୀ କହିଛନ୍ତି ।

ଏସବୁ ଭିତରେ ଚାଷୀ ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କ କ୍ଷତକୁ ଉପଶମ କରିବା ପାଇଁ ମଲମ ଲଗାଇଛନ୍ତି ନବୀନ । ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ନବୀନ କହିଛନ୍ତି । ତେବେ ନବୀନଙ୍କ କଥାକୁ କାଉଣ୍ଟର କରିଛି ବିଜେପି । ମରୁଡି ଓ ଚାଷୀ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ପାଲଟା ପ୍ରଶ୍ନ କରିଛି ବିଜେପି । ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି, ସରକାର ଯଦି ଚାଷୀଙ୍କ ସହ ରହିଛନ୍ତି ତେବେ ଚାଷୀ ଆତ୍ମହତ୍ୟା କରୁଛି କାହିଁକି?

ଚାଷୀ ମୃତ୍ୟୁକୁ ନେଇ ରାଜନୀତି ମାଇଲେଜ ନେବାକୁ ଦୁଇ ଦଳ ଅଣ୍ଟା ଭିଡିଥିବା ବେଳେ ମୃତ ବୃନ୍ଦାଙ୍କ ପ୍ରସଙ୍ଗ ଗୌଣ ପାଲଟିଯାଇଛି । ମୃତ ଚାଷୀ ବୃନ୍ଦାଙ୍କ ଝିଅ ଗତକାଲି ଯାହା କହିଥିଲେ ତାହାର ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳୁଛି । ରାଜନୀତିର ବୟାନବାଜି ଭିତରେ ବୃନ୍ଦାଙ୍କୁ କେବେ ସହୟତା ମିଳିବ ତାହା ଦେଖିବା ବାକି ରହିଲା ।