୭୩ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ ! କିନ୍ତୁ ଜନ୍ମଦିନ ନ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି, ତିତଲି ତାଣ୍ଡବ ଓ ବନ୍ୟା ପାଇଁ ମନାଇବେନି ଜନ୍ମଦିନ

57

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ହେଲେ ତିତଲି ବାତ୍ୟା ଓ ଏହା ପରେ ହୋଇଥିବା ବନ୍ୟାରେ ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜନ୍ମଦିନ ପାଳିବେନାହିଁ ନବୀନ । ପୂର୍ବରୁ ମଧ୍ୟ ଫାଇଲିନ୍ ଓ ହୁଡୁହୁଡୁ ବେଳେ ନବୀନ ପାଳି ନଥିଲେ ତାଙ୍କର ଜନ୍ମଦିନ । ପ୍ରତି ବର୍ଷ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ବେଶ୍ ଭିଡ଼ ଜମେ । ଚଳିତ ବର୍ଷ ଶୁଭେଚ୍ଛା ଜଣାଇବାକୁ କେହି ନ ଯିବା ପାଇଁ ନବୀନ ନିବାସ ପକ୍ଷରୁ ମନ୍ତ୍ରୀ, ବିଧାୟକ ଓ ଅଫିସର୍‌ମାନଙ୍କୁ କୁହାଯାଇଛି ।

ସାମ୍ପ୍ରତିକ ରାଜନୀତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ବିରଳ ରାଜନେତା । କାରଣ ତାଙ୍କର ସରଳ ଜୀବନଶୈଳୀ ତାଙ୍କୁ ଅନ୍ୟ ରାଜନେତାଠାରୁ ନିଆରା କରିଛି । ପୋଷାକପତ୍ର କହିଲେ ଧଳା କୁର୍ତା ପାଇଜାମା, ହାୱାଇ କିମ୍ବା କୋହ୍ଲାପୁର ଚପଲ । ଅଫିସ ହେଉ କି’ ବାସଭବନ, ସବୁଠି ସାଧାରଣ ଆସବାବପତ୍ର । ଏହା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷତ୍ୱ ।

କେବଳ ସେତିକି ନୁହେଁ, ପ୍ରଶାସନିକ ଦକ୍ଷତା, ତୀକ୍ଷ୍ଣ ଦୂରଦୃଷ୍ଟି, ଜନହିତକର ଯୋଜନା ଯୋଗୁଁ ଅନେକ ଥର ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ସ ପାଲଟିଛନ୍ତି ନବୀନ । ନମ୍ବର ୱାନ ମୁଖ୍ୟମନ୍ତ୍ରୀ, ଆଦର୍ଶ ମୁଖ୍ୟମନ୍ତ୍ରୀ ଓ ଶ୍ରେଷ୍ଠ ପ୍ରଶାସକ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି । ନିକଟରେ ଇଣ୍ଡିଆ ଟୁଡେ’ର ସର୍ଭେ କହୁଛି, ୪ ଥର କ୍ରମାଗତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ବି ଲୋକପ୍ରିୟତାରେ ଦେଶର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ।