ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁୁୁତି ଜୋରଦାର ! ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବୈଠକ କରିବେ ମୋଦି ଓ ଅମିତ ଶାହ

52

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ମିଶି ମୋଦି ରଣନୀତି ପ୍ରସ୍ତୁତ କରୁଛନ୍ତି । କିଛି ଦିନ ପୂର୍ବରୁ ଖବର ଆସିଥିଲା ୨୦୧୯ ପୂର୍ବରୁ ନିର୍ବାଚନ କରିପାରନ୍ତି ମୋଦି । ତେବେ ନିର୍ବାଚନ କେବେ ହେବ ସେକଥା ପରେ ଜଣାପଡ଼ିବ । ଆଜିଠାରୁ କିନ୍ତୁ ଜୋରସୋରରେ ଚାଲିଛି ପ୍ରସ୍ତୁୁୁତି । ସେଥିପାଇଁ ନରେନ୍ଦ୍ର ମୋଦି ଓ ଅମିତ ଶାହ ଆଜି ଅପରାହ୍ନ ୪ଟାରେ ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଏହି ବୈଠକରେ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଉପରେ ବିଚାର କରାଯିବ । ବୈଠକରେ ଏକ ଦେଶ ଏକ ନିର୍ବାଚନ ଉପରେ ମଧ୍ୟ ଚର୍ଚ୍ଚା ହେବ । ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।

ଦେଶରେ ବର୍ତ୍ତମାନ ଏବେ ପ୍ରାୟ ୧୯ ରାଜ୍ୟରେ  ବିଜେପି ସରକାର ତଥା ବିଜେପି ସରକାରଙ୍କ ସହଯୋଗୀ ଦଳ ଶାସନରେ ଅଛନ୍ତି । ଏପରିସ୍ଥଳେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଆଜି ବିଜେପି ମୁଖ୍ୟାଳୟରେ ହେଉଥିବା ବୈଠକରେ ଉପସ୍ଥିତ ରହିବେ । ବୈଠକରେ ରାଜ୍ୟ ସ୍ତରରେ ହେଉଥିବା ଜନହିତକର ଯୋଜନା ସହ କେନ୍ଦ୍ର ସରକାରଙ୍କ ଯୋଜନାର ସମୀକ୍ଷା କରାଯିବ । ବିଜେପି ଶାସିତ ରାଜ୍ୟର ଯୋଜନା କେତେ ପର୍ଯ୍ୟନ୍ତ ସଫଳ ହୋଇଛି ଓ କେତ ପର୍ଯ୍ୟନ୍ତ ଅସଫଳ ହୋଇଛି ସେ ନେଇ ମଧ୍ୟ ସମୀକ୍ଷା ହେବ । ନିକଟରେ ଉପସ୍ଥାପନ ହୋଇଥିବା ବଜେଟରେ ଗରିବ ଲୋକଙ୍କୁ ବୀମା, କୃଷକଙ୍କୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାରଙ୍କ ଯୋଜନା ସାଧାରଣ ଲୋକଙ୍କୁ ବେଶ୍ ଛୁଇଁଥିବ ବୋଲି ଦଳ ଆଶା କରୁଛି । ଯଦି କୌଣସି ରାଜ୍ୟରେ କିଛି ଯୋଜନାର କାର୍ଯ୍ୟକାରୀ ହୋଇପାରି ନାହିଁ କିମ୍ବା କିଛି ଅସୁବିଧା ରହିଛି, ତେବେ ସେହି ମାମଲା ଉପରେ ବୈଠକରେ ଚର୍ଚ୍ଚା ହେବ ।

ଏହାସହ ଏକ ରାଜ୍ୟ ଏକ ନିର୍ବାଚନ ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଯାଇଛି । ଆଉ ସମସ୍ତଙ୍କ ପରାମର୍ଶ ମଗାଯାଇଛି । ଏବଂ ସମୟ ପୂର୍ବରୁ ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ବୋଲି ମଧ୍ୟ ଚିଠିରେ ପ୍ରଶ୍ନ କରାଯାଇଛି । କିଛି ଦିନ ପୂର୍ବରୁ ଏକ ଦେଶ ଏକ ନିର୍ବାଚନ କରିବା ଦେଶ ପାଇଁ ଉଚିତ ହେବ ବୋଲି ମୋଦି କହିଥିଲେ । ସବୁ ସମୟରେ ନିର୍ବାଚନ ହେବା ଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଛି ଓ ନିର୍ବାଚନରେ ଅଧିକ ସମୟ କଟିବା ସହ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ଏପରିସ୍ଥଳେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଦେଶର ବିକାଶ ଦିଗରେ ସହାୟକ ହେବ ବୋଲି ମୋଦି କହିଥିଲେ ।

ସୂଚନାଯୋଗ୍ୟ ଦୁଇ ଦିନ ତଳେ ଖବର ଆସିଥିଲା ମୋଦି ତାଙ୍କର ପୁରୁଣା ରଣନିତୀଜ୍ଞଙ୍କ ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତ କରିଛନ୍ତି । ପ୍ରଶାନ୍ତ କିଶୋର ୨୦୧୪ରେ ନିର୍ବାଚନ ସମୟରେ ମୋଦିଙ୍କୁ ନିର୍ବାଚନ ଜିତିବା ପାଇଁ ସହଯୋଗ କରିଥିଲେ । ତାଙ୍କ ରଣନୀତି ମଧ୍ୟ କାମ ଆସିଥିଲା । ତେବେ ପରେ ମନୋମାଳିନ୍ୟ ଯୋଗୁଁ ଉଭୟେ ଉଭୟଙ୍କ ଠାରୁ ଦୂରେଇ ଯାଇଥିଲେ ବୋଲି ଖବର ଆସିଥଲା । ତେବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ପ୍ରଶାନ୍ତ କିଶୋରଙ୍କୁ ସାକ୍ଷାତ କରିଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି ।