ମାତ୍ର ୨ ରନରେ ଅଲଆଉଟ ହେଲା ପୂରା ଟିମ୍ ! ଗୋଟିଏ ବଲରେ ନିର୍ଣ୍ଣୟ ହେଲା ଫଳାଫଳ, ଜାଣନ୍ତୁ କେଉଁଠି ?

124

ଏବେ ଫଟାଫଟ କ୍ରିକେଟର ଜମାନା । ପ୍ରତି ଓଭରରେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳୁଛି । କିନ୍ତୁ ଫଟାଫଟ କ୍ରିକେଟ ଜମାନାରେ ମଧ୍ୟ ମାତ୍ର ୨ ରନରେ ଅଲଆଉଟ ହୋଇଛି ପୂରା ଟିମ । କୌଣସି ଗାଁ ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ ବିସିସିଆଇର ଦ୍ୱାରା ଆୟୋଜିତ ଏକ ସୁପର ଲିଗ ମ୍ୟାଚରେ ଏଭଳି ଦେଖିବାକୂୁ ମିଳିଛି । ଶୁଣିବାକୁ ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

କେରଳର ଗୁଣ୍ଟୁର ଜେକେସି କଲେଜ ପଡିଆରେ ବିସିସିଆଇ ଦ୍ୱାରା ଆୟୋଜିତ ଅଣ୍ଡର-୧୯ ମହିଳା ୱାନ ଡେ ମ୍ୟାଚରେ ଏଭଳି ବିରଳ କ୍ରିକେଟ ଖେଳ ଦେଖିବାକୁ ମିଳିଛି । କେରଳ ଓ ନାଗାଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କେରଳ ବୋଲର ଏକ ନୂଆ ଇତିହାସ ରଚିଛନ୍ତି । ମାତ୍ର ୨ ରନରେ ନାଗାଲାଣ୍ଡର ପୂରା ଟିମକୁ ଅଲଆଉଟ କରିଛନ୍ତି କେରଳ ବୋଲର । ତେବେ ଏହି ୨ ରନ ମଧ୍ୟରୁ ଗୋଟିଏ ରନ ଅତିରିକ୍ତ ଭାବେ ନାଗାଲାଣ୍ଡକୁ ମିଳିଥିବା ବେଳେ କେବଳ ଗୋଟିଏ ରନ ବ୍ୟାଟସମ୍ୟାନଙ୍କ ବ୍ୟାଟରୁ ଆସିଥିଲା । ଏହି ଦୁଇ ରନ ପାଇଁ ନାଗାଲାଣ୍ଡ ୧୭ ଓଭର ଖେଳିଥିଲା । ନାଗାଲାଣ୍ଡର ଟିମର ୯ ଜଣ ବ୍ୟାଟସମ୍ୟାନ ଶୂନରେ ପ୍ୟାଭିଲିୟନ ଫେରିଥିଲେ । ଆଉ କେରଳକୁ ୩ ରନର ଟାର୍ଗେଟ ଦେଇଥିଲା ନାଗାଲାଣ୍ଡ ।

ଏହି ୩ ରନର ଟାର୍ଗେଟକୁ କେରଳ ଗୋଟିଏ ବଲରେ ହାସଲ କରି ନେଇଥିଲା । ନାଗାଲାଣ୍ଡ ପ୍ରଥମ ବଲ ୱାଇଡ ପକାଇଥିବା ବେଳେ ଦ୍ୱିତୀୟ ବଲରେ ଚୌକା ମାରି ଦଳକୁ ବିଜୟୀ କରିଥିଲେ କେରଳ ବ୍ୟାଟସମ୍ୟାନ ଅଂଶୁ ଏସ୍ ରାଜୁ । ତେବେ ଏହି ବିଜୟ ସହ କେରଳ ଟିମ୍ ଏକ ନୂଆ ରେକର୍ଡ ମଧ୍ୟ ନିଜ ନାମରେ କରିଛି । ସବୁଠାରୁ କମ ବଲରେ ବିଜୟୀ ହେବାର ରେକର୍ଡ କେରଳ ଟିମ ନିଜ ନାଁରେ କରିଛି । ଏହାପୂର୍ବରୁ ଏସିଆନ କ୍ରିକେଟ କାଉନସିଲ ଟ୍ରଫି ମୁକାବିଲାରେ ନେପାଳ ଟିମ ମିଆଁମାର ବିପକ୍ଷରେ ଦୁଇଟି ବଲରେ ବିଜୟୀ ହୋଇ ରେକର୍ଡ କରିଥିଲା । ଏହି ମ୍ୟାଚରେ ମିଆଁମାର ଟିମ ୧୦ ଅଲଆଉଟ ହୋଇଥିଲା ଯାହାକୁ ମାତ୍ର ୨ଟି ବଲରେ ହାସଲ କରିଥିଲା ନେପାଳ ଟିମ୍ ।