ଶାଶୁ ହେବ ତ ଏମିତି ! ବୋହୂକୁ କିଡ଼ନି ଦେଇ ନୂଆ ଜୀବନ ଦେଲେ ଶାଶୁ

37

ଭାରତରେ ଶାଶୁ- ବୋହୂ କଳିକୁ କେନ୍ଦ୍ର କରି ପ୍ରତ୍ୟେକ ଦିନ ନୂଆ ନୂଆ ଘଟଣା ସାମନାକୁ ଆସୁଥିବା ବେଳେ ପୁଣେରେ ଜନୈକା ୫୦ ବର୍ଷ ବୟସ୍କା ଶାଶୁ ନିଜର କିଡନିକୁ ୩୦ ବର୍ଷ ବୟସ୍କା ବୋହୂକୁ ଦାନ କରି ତା’କୁ ନବ ଜୀବନ ପ୍ରଦାନ କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ପୁଣେର ସଙ୍ଗମନେର ଅଞ୍ଚଳରେ ରହୁଥିବା ୩୦ ବର୍ଷ ବୟସ୍କା ନଜିମା ସୟେଦଙ୍କୁ ତାଙ୍କର ୫୦ ବର୍ଷ ବୟସ୍କା ଶାଶୁ ବାତୁଲ ହାଜି ସୟେଦ ନିଜର କିଡନି ଦାନ କରିବା ସହ ନବ ଜୀବନ ପ୍ରଦାନ କରିଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୁଣେର ସଙ୍ଗମନେର ଅଞ୍ଚଳରେ ରହୁଥିବା ୩୦ ବର୍ଷ ବୟସ୍କା ନଜିମା ସୟେଦ ତାଙ୍କର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମଦେବା ପରେ ଥାଇରଏଡରେ ଆକ୍ରାନ୍ତ ହୋଇପଡ଼ିଥିଲେ। ପରେ ପରେ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଦୁଇଟିଯାକ କିଡନି ଖରାପ ହୋଇ ଯାଇଥିଲା। ନିୟମିତ ବ୍ୟବଧାନରେ ଡାଏଲିସିସ୍ କରି ସେ ବଞ୍ଚି ରହିଥିଲେ। ଏ ପରିସ୍ଥିତିରେ ତାଙ୍କ ଶରୀରରେ ଗୋଟିଏ କିଡନି ପ୍ରତିରୋପଣ ନକଲେ, ତାଙ୍କର ବଞ୍ଚିବା ଅସମ୍ଭବ ହୋଇପଡ଼ିବ ବୋଲି କହିଥିଲେ। ଏକଥା ଶୁଣିବା ପରେ ନଜିମାଙ୍କ ଶାଶୁ ବାତୁଲ ହାଜି ତାଙ୍କୁ ତାଙ୍କର କିଡନି ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଉଭୟଙ୍କର ରକ୍ତ ଗ୍ରୁପ୍ ମିଶିବା ସହ ଉଭୟେ ଉଭୟଙ୍କର ସଂପର୍କୀୟ ଥିବାରୁ ଡାକ୍ତର ବାତୁଲ ହାଜିଙ୍କର ଗୋଟିଏ କିଡନି ନେଇ ନଜିମାଙ୍କ ଠାରେ ସଫଳତାର ସହ ପ୍ରତିରୋପଣ କରିଥିଲେ। ଏବେ ଉଭୟ କିଡନି ଦାତା ଓ ଗ୍ରହୀତା ସମସ୍ତେ ସୁସ୍ଥ ଅଛନ୍ତି। ମୋର ଗୋଟିଏ କିଡନି ତିନି ଜଣ ଅର୍ଥାତ୍, ମୋ ବୋହୂ, ପୁଅ ଓ ନାତିର ଜୀବନ ବଞ୍ଚାଇ ପାରିଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ବାତୁଲ ହାଜି। ସେହିପରି ନଜିମାଙ୍କ ଠାରେ କିଡନି ପ୍ରତିରୋପଣ କରିଥିବା ଡାକ୍ତର ଦୀପକ କ୍ରିପିକର କହିଛନ୍ତି ଯେ କୌଣସି ଶାଶୁ କୌଣସି ବୋହୂକୁ ନିଜର କିଡନି ଦାନ କରିବାରେ ଏହା ପ୍ରଥମ ଘଟଣା।