ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା, ସେଭଳି କିଛି ଘଟଣା ଘଟିନାହିଁ ବୋଲି କହିଲେ ଧର୍ମେନ୍ଦ୍ର

25

ପୁରୀ ଶ୍ରୀମନ୍ଦିରରେ ମହାମହିମ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଆସିଛି ଆଉ ଏକ ନୂଆ ମୋଡ । ଆଉ ସେ ନୂଆ ମୋଡରେ ନାୟକ ହେଉଛନ୍ତି ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ କିଛି ଦିନ ହେବ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ, ପ୍ରକୃତରେ ଦୁର୍ବ୍ୟବହାର ହୋଇଛି ନା ନାହିଁ ସେନେଇ ସ୍ପଷ୍ଟ ହୋଇପାରୁ ନଥିବାବେଳେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଛନ୍ତି ନିଜର ପ୍ରତିକ୍ରିୟା । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତାଙ୍କ ଜ୍ଞାତ ସାରରେ ଏଭଳି କିଛି ଘଟଣା ହୋଇ ନାହିଁ । କାରଣ ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ରାଷ୍ଟ୍ରପତିଙ୍କ ସହ ସେ ଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ ରାଷ୍ଟ୍ରପତିଙ୍କ ଭବନରୁ ସେପରି ଚିଠି ଆସିବାର ପ୍ରଶ୍ନ ହିଁ ଉଠୁ ନାହିଁ ବୋଲି ଧର୍ମେନ୍ଦ୍ର ସ୍ପଷ୍ଟ କରିଛନ୍ତି ।

ତେବେ ଗତକାଲି ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ମହାପାତ୍ର ରଖିଥିବା ପ୍ରତିକ୍ରିୟାରେ ମଧ୍ୟ ସମାନ ଯୁକ୍ତି ବାଢ଼ିଥିଲେ । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମାନ ମନ୍ତବ୍ୟ ରଖିଛନ୍ତି । ଗତି କିଛି ଦିନ ହେବ ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ନେଇ ରାଷ୍ଟ୍ରପତିଙ୍କ ଭବନରୁ ଅସନ୍ତୋଷ ପ୍ରକାଶ କରିଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ରିଜୋଲ୍ୟୁସନ ପ୍ରକାଶ କରିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ହେଲେ ଗତକାଲି ଶ୍ରୀମନ୍ଦିର ପ୍ରଶାସକ ଗତକାଲି ସେ ପ୍ରସଙ୍ଗରେ କୌଣସି ଚିଠି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିନାହିଁ ବୋଲି କହିବା ପରେ । ପୁଣି ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ନିଆଁରେ ଘିଅ ଢ଼ାଳିବା ପରି ହୋଇଛି । ପୂର୍ବରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ମଧ୍ୟ ଏ ବାବଦରେ କୌଣସି ଚିଠି ଆସି ନଥିବା ସ୍ପଷ୍ଟ କରିଥିଲେ । ତେବେ ଦିନକୁ ଦିନ ଏହି ପ୍ରସଙ୍ଗ ରହସ୍ୟମୟ ହେବାରେ ଲାଗିଛି । କାରଣ ଯଦି ଦୁର୍ବ୍ୟବହାର କରାଯାଇ ନାହିଁ ତେବେ ମନ୍ଦିର ପରିଚାଳନା କମିଟିର ରିଜୋଲ୍ୟୁସନରେ ଏ କଥା କାହିଁକି ଉଲ୍ଲେଖ କରାଗଲା ।