ବେଙ୍ଗଲ ବାଡ଼ ଡେଇଁଲା ଜୟ ଶ୍ରୀରାମ ନାରା: ମୁସଲିମ୍ ଯୁବକଙ୍କ ପାଟିରୁ ବାହାରିଲାନି ଜୟ ଶ୍ରୀରାମ ନାମ, ପିଟିପିଟି ମାରିଦେଲେ ଲୋକେ ।

2,766

କନକ ବ୍ୟୁରୋ: ଜୟ ଶ୍ରୀରାମ ନକହିବାରୁ ଜୀବନ ଗଲା । ପାଟିରୁ ଜୟ ଶ୍ରୀରାମ ନବାହାରିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ ଲୋକେ । ଝାଡଖଣ୍ଡରୁ ଆସିଛି ଏଭଳି ଅମାନବୀୟକାଣ୍ଡର ଖବର । ମୁସଲିମ ଯୁବକଙ୍କୁ ମାଡ ମାରି ଗୁରୁତର କରିବା ପରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ସୂଚନା ଅନୁସାରେ ଝାଡଖଣ୍ଡ ଖରସୁଆଁ ଜିଲ୍ଲା ସରେଇକେଲାରେ କିଛି ଲୋକ ଜଣେ ଯୁବକଙ୍କୁ ଅଟକାଇଥିଲେ । ଚୋର ସନ୍ଦେହରେ ଶନିବାର ଦିନ ତାଙ୍କୁ ଅଟକାଇଥିଲେ । ସାଇକେଲ ଚୋରି କରିଥିବା ଅଭିଯୋଗରେ ଲୋକେ ଅଟକାଇ ମାରଧର ବି କରିଥିଲେ । ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ବାଡେଇଥିଲେ ଲୋକେ । ଯୁବକ ଜଣଙ୍କ ମୁସଲିମ ଜାଣିବା ପରେ କିଛି ଲୋକ ତାଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ କହିବାକୁ ବାଧ୍ୟ କରିଥିଲେ ।

ମାତ୍ର ଯୁବକ ଜଣଙ୍କ ନିଜ ପାଟିରେ ଏସବୁ ନାମ ନଧରିବାକୁ ତାଙ୍କୁ ନିର୍ଧୂମ ଛେଚିବା ପରେ ପୋଲିସର ଜିମା ଦେଇଥିଲେ ଲୋକେ । ତେବେ ଦେହରେ ଗୁରୁତର ଆହତ କାରଣରୁ ମେଡିକାଲରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ମୃତ୍ୟୁ ପରେ ମାଡ ମରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଇଦ ପାଇଁ ଘରକୁ ଆସିଥିବା ଯୁବକଙ୍କୁ ଚୋର ଭାବି, ଜୟ ଶ୍ରୀରାମଙ୍କ ନାମ କହିବାକୁ ବାଧ୍ୟ କରି ମାରିଦେବା ପରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାରେ ବିଜେପିକୁ ଟାର୍ଗେଟ କରି ରାଜନୀତି କରାଯାଇଛି । ତେବେ ଘଟଣାରେ ୫ ଜଣ ଗିରଫ ହୋଇଥିବା ବେଳେ ୨ ପୋଲିସ ଅଧିକାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି ।