ବିଧାୟକଙ୍କ ଦାଦାଗିରି ! ଟଙ୍କା ଦେଲେନି, ଟୋଲ୍ ଗେଟରେ ନାଲିଆଖି ଦେଖାଇ ଭାଙ୍ଗିଲେ ବେରିକେଡ୍ ।

29

ମଙ୍ଗଳବାର ମଧ୍ୟରାତ୍ରୀ ସମୟରେ ଟୋଲ୍ ଗେଟ୍ ଫି’ ମାଗିବାରୁ ପୁଞ୍ଜର୍ ବିଧାୟକ ପି ସି ଜର୍ଜ ଚିଡ଼ି ଯାଇ ପାଲିଆକ୍କାରା ଟୋଲ୍ ପ୍ଲାଜାର ଷ୍ଟପ୍ ବେରିଅରକୁ ଭାଙ୍ଗି ପକାଇଛନ୍ତି । ଟୋଲ୍ ପ୍ଲାଜା ପରିଚାଳନା କରୁଥିବା କର୍ମଚାରୀମାନେ ପୋଲିସ ନିକଟରେ କରିଥିବା ରିପୋର୍ଟ ଅନୁସାରେ, ସେମାନେ ତାଙ୍କ ଗାଡ଼ି ଅଟକାଇବାରୁ ସେ ବେରିଅର୍ ଭାଙ୍ଗି ଦ୍ରୁତ ବେଗରେ ପଳାଇ ଗଲେ । ପ୍ଲାଜାରୁ ମିଳିଥିବା ସିସିଟିଭି ଭିଡିଓ ଫୁଟେଜରେ ଦେଖା ଯାଉଛି, ବିଧାୟକ ତାଙ୍କ ଗାଡ଼ିରୁ ବାହାରି ନିଜ ସହଯୋଗୀମାନଙ୍କ ସହ ବେରିଅରକୁ ଭାଙ୍ଗୁଛନ୍ତି ।

ଜର୍ଜ କହିଛନ୍ତି ଯେ ସେ ଜଣେ ବିଧାୟକ କହିବା ପରେ ମଧ୍ୟ ଟୋଲ୍ ଦେବାକୁ ଟୋଲ୍ ପ୍ଲାଜାର କର୍ମଚାରୀମାନେ ଜିଦ୍ ଧରିଥିଲେ । ତାଙ୍କ କାରର ସାମ୍ନା ଓ ପଛରେ ଲାଗିଥିବା ବୋର୍ଡକୁ ମଧ୍ୟ ବିଧାୟକ ଆଙ୍ଗୁଳି ନିର୍ଦେଶ କରି ଦେଖାଇଲେ ଏବଂ ବୁଝାଇ କହିଲେ କି, ଆଇନ୍ କହୁଛି ବିଧାୟକମାନେ ଟୋଲ୍ ପୈଠ କରିବା ଅନାବଶ୍ୟକ । ସେ ଆହୁରି କହିଛନ୍ତି ଯେ ସେ କାରରେ ଦୁଇ ତିନି ମିନିଟ୍ ବସି ରହି ଅପେକ୍ଷା କଲେ, କାଳେ କର୍ମଚାରୀମାନେ ଗେଟ୍ ଉଠାଇ ତାଙ୍କୁ ଛାଡ଼ି ଦେବେ । ପରେ ସେ ଗାଡ଼ିରୁ ବାହାରି ଆସି ଗେଟ୍ ଖୋଲିବାକୁ କର୍ମଚାରୀମାନଙ୍କୁ କହିଲେ, କିନ୍ତୁ ସେମାନେ ଶୁଣିଲେ ନାହିଁ ।