ମେଘାଳୟ ଖଣି ଦୁର୍ଘଟଣାରେ ଶ୍ରମିକ ଫସିବା ଘଟଣା : ଆଜି ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

82

କନକ ବ୍ୟୁରୋ : ଆଜି ବି ଜାରି ରହିଛି ମେଘାଳୟ ପୂର୍ବ ଜଇନ୍ତିଆ ହିଲରେ ରେସକ୍ୟୁ ଅପରେସନ୍ । ଆଜି ନୌସେନାର ସ୍ୱତନ୍ତ୍ର ବୁଡାଳୀ ଦଳ ସାଙ୍ଗରେ ଆଣିଥିବା ଅତ୍ୟାଧୁନିକ ଯନ୍ତ୍ରପାତି ସହ ପାଣିର ଗଭୀରତା ମାପିବେ । ଏଥିସହ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ସତ୍ୱେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଏହି ଉଦ୍ଧାର କାର୍ଯ୍ୟରେ ନୌସେନାର ସ୍ୱତନ୍ତ୍ର ବୁଡାଳୀ ଗତକାଲି ଦୀର୍ଘ ସମୟ ଧରି ପାଣି ଭିତରେ ବୁଡି ଥିଲେ ମଧ୍ୟ ପାଣିତଳେ ଥିବା ମାଟିକୁ ଛୁଇଁ ପାରି ନାହାନ୍ତି ।

ପ୍ରାୟ ୭୦ ଫୁଟ୍ ତଳଯାଏଁ ଯାଇଥିଲେ ମଧ୍ୟ ଏହା ଆହୁରି ଅଧିକ ଗଭୀର ଥିବା ଅନୁମାନ କରିଛନ୍ତି ନୌସେନା ଅଧିକାରୀ । ଏପଟେ ପ୍ରବଳ ଥଣ୍ଡାରେ ପାଣି ଭିତରେ ଉଦ୍ଧାରକାର୍ଯ୍ୟ ଏତେ ସହଜ ନୁହେଁ ବୋଲି କହିଛନ୍ତି ଏନଡିଆରଏଫ ଅଧିକାରୀ । ଏହି ଉଦ୍ଧାର କାର୍ଯ୍ୟରେ ୧୦୦ ଜଣିଆ ଏନଡିଆରଏଫ ଟିମ୍ ସହ ଓଡିଶାର ୨୧ ଜଣିଆ ଅଗ୍ନିଶମ ଟିମ୍ ସାମିଲ ହୋଇଛନ୍ତି । ଗତ ୧୮ ଦିନ ହେଲାଣି ଏହି ଖଣି ଭିତରେ ୧୫ ଜଣ ଶ୍ରମିକ ଫସି ରହିଥିବା କୁହାଯାଉଛି । ଖଣି ଭିତରେ ହଠାତ୍ ପାଣି ପଶି ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।