ଏମବିବିଏସ ଟପ୍ପର ସାଜିବେ ସନ୍ନ୍ୟାସିନୀ । କୋଟି କୋଟି ଟଙ୍କାକୁ ତୁଚ୍ଛ କରି ନେବେ ଜୈନ ଦୀକ୍ଷା

46

ଏମବିବିଏସ ଡିଗ୍ରୀଧାରୀ ସାଜିବେ ଜୈନଭିକ୍ଷୁ । କୋଟି କୋଟି ଟଙ୍କାର ମୋହମାୟା ଛାଡି ଡାକ୍ତରାଣୀ ସାଜିବେ ଜୈନଭିକ୍ଷୁ । ଆଉ ଏଭଳି ଜଣେ ଡାକ୍ତରାଣୀ ହେଉଛନ୍ତି ହୀନା ହିଙ୍ଗଡ । କୋଟିପତି ଘରେ ଜନ୍ମ ନେଇଥିବା ହିନା ସାଂସରିକ ସୁଖକୁ ତ୍ୟାଗ କରି ଜୈନ ଦୀକ୍ଷା ନେବାକୁ ନିଷ୍ପତି ନେଇଛନ୍ତି । ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କୁ ସାଂସରିକ ମୋହମାୟା ବାନ୍ଧି ରଖି ପାରିନାହିଁ ।

ରାଜସ୍ଥାନର ୨୮ ବର୍ଷୀୟ ହିନା ହିଙ୍ଗଡ । ପେଶାରେ ଡାକ୍ତର । ଯେଉଁ ବୟସରେ ବାହା ହୋଇ ଯୁବତୀ ମାନେ ସଂସାର ଗଢିବାକୁ ରଙ୍ଗୀନ ସ୍ୱପ୍ନ ଦେଖିଥାନ୍ତି ସେହି ବୟସରେ ହୀନା ସାଂସରିକ ମୋହ ମାୟା ତ୍ୟାଗ କରିବାକୁ ନିଷ୍ୱତି ନେଇଛନ୍ତି । ୩ ବର୍ଷ ଧରି ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିବା ହିନା ଦୀର୍ଘ ୧୨ ବର୍ଷ ଧରି ଜୈନ ଦୀକ୍ଷା ନେବାକୁ ପରିବାରକୁ ବାରମ୍ବାର କହୁଥିଲେ । ତେବେ ପରିବାରର ସ୍ୱୀକୃତି ମିଳିବା ପରେ ୧୮ ଜୁଲାଇ ବା ବୁଧବାର ଦିନ ଜୈନ ଦୀକ୍ଷା ଗ୍ରହଣ କରିବେ ।

ହିନା ହିଙ୍ଗଡଙ୍କ ପରିବାର ମୂଳତଃ ରାଜସ୍ଥାନର ବାସିନ୍ଦା । କିନ୍ତୁ ଗତ ୫ ବର୍ଷ ହେଲା ମୁମ୍ବାଇର ବେରିବଲି ଅଞ୍ଚଳରେ ରହୁଥିଲେ ପୂରା ପରିବାର । ବ୍ୟବସାୟରେ କୋଟି କୋଟି ଆୟ କରୁଥିଲେ ହୀନାଙ୍କ ପରିବାର । କିନ୍ତୁ ଧର୍ମ ଆଗରେ ଏହି ଟଙ୍କାଙ୍କୁ ତୁଚ୍ଛ କରି ଦେଇଥିଲେ ହୀନା । ପାଠ ପଢିବା ସମୟରୁ ହିଁ ଆଧ୍ୟାତ୍ମିକ ପଥରେ ଯିବାକୁ ମନ ବଳାଇ ସାରିଥିଲେ ହୀନା । କିନ୍ତୁ ପ୍ରଥମେ ପ୍ରଥମେ ହୀନାଙ୍କ ନିଷ୍ପତିରେ ରାଜି ହୋଇ ନଥିଲେ ପରିବାର ଲୋକ । ତେବେ ଦୀର୍ଘ ୧୨ ବର୍ଷ ବୁଝାଇବା ପରେ ପରିବାର ଲୋକ ହିନାଙ୍କ ନିଷ୍ପତିରେ ସମ୍ମତି ପ୍ରକାଶ କରିଥିଲେ ।

ଜୁଲାଇ ୧୮ରେ ହିନା ଜୈନ ଦୀକ୍ଷା ନେବା ପାଇଁ ମୁମ୍ବାଇରୁ ସୁରଟରେ ପହଞ୍ଚିଛନ୍ତି । ସେଠାରେ ସେ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ବିଜୟ ଯଶୋବର୍ମା ସୁରେଶ୍ୱରଜୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିବେ । ଦୀକ୍ଷା ନେବା ପୂର୍ବରୁ ଆବଶ୍ୟକୀୟ ୪୮ ଦିନର ଧ୍ୟାନ ଶେଷ କରିଛନ୍ତି ହୀନା । ଏପରିକି ଜୈନ ଦୀକ୍ଷା ନେବାକୁ ଆସିଥିବା ହିନାଙ୍କ ସାଙ୍ଗରେ ତାଙ୍କ ମା’ ଓ ସାନ ଭଉଣୀ ମଧ୍ୟ ଆସିଛନ୍ତି । କାରଣ ଏହାପରେ ହିନାଙ୍କ ସହ ସାକ୍ଷାତ କରିବା ତାଙ୍କ ପାଇଁ କଷ୍ଟକର ହୋଇଯିବ ।

ଜୈନ ଦୀକ୍ଷା ନେବା ପାଇଁ ଏବେ ଏକରକମ ଟ୍ରେଣ୍ଡ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ହିନା ନୁହେଁ ଅନେକ କୋଟିପତି ଘରର ପିଲା ଅତି କମ ବୟସରୁ ସାଂସରିକ ମୋହମାୟା ଛାଡି ଜୈନ ଦୀକ୍ଷାରେ ଦୀକ୍ଷିତ ହୋଇଥିବାର ନଜିର ରହିଛି । ଗୁଜରାଟର ହୀରା ବ୍ୟବସାୟୀଙ୍କ ୭ ବର୍ଷୀୟ ପୁଅ ଭବ୍ୟଙ୍କ କଥା କୁହନ୍ତୁ ଅବା ଦ୍ୱାଦଶ ଶ୍ରେଶୀରେ ୯୯ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବା ଅହମ୍ମଦାବାଦର ବର୍ଶିଲ ଶାହା ଜୈନ ଧର୍ମ ଗ୍ରହଣ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।