ଫେସବୁକରେ ବହୁତ କମ୍ ସମୟ ବିତାଉଛନ୍ତି ୟୁଜର ! ଫେସବୁକ ନିର୍ମାତା କହିଲେ ଏହାର କାରଣ

40

ବର୍ତ୍ତମାନ ବିଶ୍ୱର ଅଧିକାଂଶ ଲୋକ ସୋସିଆଲ ମିଡିଆ ସାଇଟ୍ ଫେସବୁକର ପ୍ରେମରେ ପଡିଯାଇଛନ୍ତି । ଲୋକଙ୍କ ମଧ୍ୟରେ ଏହା ଯେତେ ଗ୍ରହଣୀୟ ହେଉଛି ଫେସବୁକ ସେହି ଅନୁସାରେ ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର ସାମ୍ନାକୁ ଆଣୁଛି । ଫେସବୁକ ପ୍ରତିଦିନ କିଛି ନା କିଛି ନୂଆ ଫିଚର ୟୁଜର ମାନଙ୍କୁ ଭେଟି ଦେଉଛି । ଆଉ ଏଭଳି ନୂଆ ଫିଚର ମଧ୍ୟ ୟୁଜରଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରୁଛି । ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଟି ଘଟଣାମାନ ଜାଣିବା ଓ ଜଣାଇବା ପାଇଁ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । କହିବାକୁ ଗଲେ, ଅନେକ ସମୟରେ ଭଲ ଖବର ଫେସବୁକ, ଟ୍ୱିଟର ଭଳି ସୋସିଆଲ ସାଇଟରୁ ମିଳିଥାଏ । ହେଲେ ଧୀରେ ଧୀରେ ଏହାର ଦୁରୁପଯୋଗ କିଛି ଏଭଳି ଘଟିଲାଣି ଯେ, ବଂଚିଥିବା ଲୋକଙ୍କୁ ମାରିଦେବାକୁ ଆମେ ପଛାଉନାହୁଁ । କେଉଁଠୁ ଏକ ଉଡା ଖବର ଶୁଣି ଆମେ ଲୋକଙ୍କୁ ଫେସବୁକରେ ମାରିଦେଉଛୁ, ଆଉ କିଛି ନବୁଝି ଲୋକମାନେ ଶ୍ରଦ୍ଧାଞ୍ଜଳି ଦେବାକୁ ପଛଉନାହାନ୍ତି । କୌଣସି ପୋଷ୍ଟ କରିବା ଆଗରୁ ଆମେ ଯଥେଷ୍ଟ ସଚେତନ ରହିବା ସହ ଏହାର ପ୍ରଭାବ କଣ ରହିବ ତାର ମଧ୍ୟ ଆକଳନ କରିବାର ଆବଶ୍ୟକତା ରହିଛି ।

facebook

 

ଆଉ ଏଇଥି ପାଇଁ ହିଁ ଫେସବୁକ ପ୍ରତି ଲୋକମାନଙ୍କ ମଧ୍ୟରେ ଆଗ୍ରହ କମୁଛି ବୋଲି କହିବା ଭୁଲ ହେବ ନାହିଁ । ନିକଟରେ ଫେସବୁକ ଏନେଇ ଏକ ରିପୋର୍ଟରେ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ, ଫେସବୁକର ମାସକରେ ବ୍ୟବହାର କରୁଥିବା ଗ୍ରାହକ ସଂଖ୍ୟା ୨.୧୩ ବିଲିୟନ ପହଂଚିଥିଲ । କିନ୍ତୁ ବେଶୀ ଦିନ ଏତିକି ବ୍ୟବହାରକାରୀ ରହିଲେ ନାହିଁ । ରିପୋର୍ଟ ଅନୁସାରେ ଫେସବୁକ ସହ ଲୋକ ଯୋଡି ରହୁଛନ୍ତି, କିନ୍ତୁ ବେଶୀ ସମୟ ପର୍ଯ୍ୟନ୍ତ ଅନଲାଇନ ରହୁନାହାନ୍ତି । ଆଉ ଏହାର ପ୍ରମୁଖ କାରଣ ନ୍ୟୁଜ ଫିଡ ଫିଚରର ପରିବର୍ତ୍ତନ ବୋଲି କୁହାଯାଉଛି । କାରଣ ନ୍ୟୁଜ ଫିଡରେ ଏବେ ଭାଇରାଲ ଭିଡିଓ କମ୍ ଦେଖାଯାଉଛି ।

ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ କହିଛନ୍ତି, ‘ଫେସବୁକରେ ଗ୍ରାହକ ସମୟ ବିତାଇବା ମାମଲାରେ ପ୍ରତିଦିନ ୫ କୋଟି ଘଂଟା ହ୍ରାସ ପାଉଛି । କମ୍ପାନୀ ଅନୁସାରେ ଏଥିପାଇଁ ଆମେ ଚିନ୍ତିତ ନାହୁଁ କି ଲାଭରେ ମଧ୍ୟ କିଛି ହ୍ରାସ ହୋଇନାହିଁ । ମାସକୁ ପ୍ରାୟ ୨ ବିଲିୟନ ଗ୍ରାହକ ଫେସବୁକ ବ୍ୟବହାର କରୁଛନ୍ତି । ଗତବର୍ଷ ଅପେକ୍ଷା ୧୪ ପ୍ରତିଶତ ଅଧିକ ହୋଇଛନ୍ତି ଗ୍ରାହକ । ଜୁକରବର୍ଗଙ୍କ କହିବାନୁସାରେ ଫେସବୁକରେ, ଲୋକମାନେ ଅଧିକ ସମୟ ବିତାଇବା ଓ ପରସ୍ପର ସହ ଯୋଡି ରହିବା ବେଶୀ ମହତ୍ୱପୂର୍ଣ ନାହିଁ । ଏବେ ଫେସବୁକ, ଲୋକ ଓ ସମାଜ ପ୍ରତି ଅଧିକ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ସେ କହିଛନ୍ତି ବିଗତ କିଛି ବର୍ଷ ଭିତରେ ଭାଇରାଲ ଭିଡ଼ିଓ ଓ ବ୍ୟବସାୟିକ ପୋଷ୍ଟ ସଂଖ୍ୟା ଅଧିକ ରହିଛି । ଯଦ୍ୱାରା ୟୁଜର ନିଜର ପରିଚିତ ଲୋକ ତଥା ନିଜ ଫ୍ରେଣ୍ଡ ଲିଷ୍ଟରେ ଥିବା ଲୋକଙ୍କ ବିଷୟରେ ଅଧିକ ଜାଣି ପାରୁନାହନ୍ତି । ଏଥିପାଇଁ ଫେସବୁକ୍ ଏବେ ବନ୍ଧୁ ଓ ପରିବାରବର୍ଜଙ୍କ ପୋଷ୍ଟ ଅଧିକ ଦେଖାଇବା ପାଇଁ ପ୍ରାଥମିକତା ଦେଉଛି ।