ଅପପୁଷ୍ଟିର ଉପତ୍ୟକା ବଣ୍ଡା ଘାଟି ! କ୍ୟାମେରାରରେ କଏଦ୍ ହେଲା ଅସହାୟ ଆଦିବାସୀଙ୍କ ବିକଳ ଚେହେରା

43

କନକ ବ୍ୟୁରୋ : ନଗଡା ପରେ ଏବେ ଅପପୁଷ୍ଟିରେ ଅଭିଶପ୍ତ ପାଲଟି ଯାଇଛି ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି । ପାହାଡି ଇଲାକାର ଏହି ମଣିଷ ଏବେ ଆହାର ସନ୍ଧାନରେ ସଂଗ୍ରାମ କରୁଛନ୍ତି । ଆଉ ଛୋଟ ଛୋଟ ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି । ଉପାନ୍ତ ଅଂଚଳର ଏହି ଅପହଂଚ ଇଲାକାରେ ପହଁଚିଥିଲା କନକ ନ୍ୟୁଜ୍ କ୍ୟାମେରା ଟିମ୍ । ଆଉ ଆମେ ଯାହା ଦେଖିଲୁ ତାହା ଥିଲା ବେଶ ସମ୍ବେଦନଶୀଳ ।

ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି । ସମୁଦ୍ରପତନ ଠାରୁ ୫ହଜାର ଫୁଟ ଉଚ୍ଚରେ ଥିବା ଏହି ପାହାଡି ଇଲାକା ହେଉଛି ୮ହଜରରୁ ଅଧିକ ଆଦିବାସୀଙ୍କ ଆଶ୍ରୟସ୍ଥଳୀ । ଯେଉଁଠି ଆକାଶ ସହ କଥା ହୁଏ ଉତଙ୍ଗ ଶିଖର । କିନ୍ତୁ ପ୍ରକୃତି ମେଲାଇ ବସିଥିବା ଏହି ସୈାନ୍ଦର୍ଯ୍ୟ ଭିତରେ ଏବେ ସାମ୍ନାକୁ ଆସିଛି ଦାରିଦ୍ର୍ୟର କରୁଣ ଚିତ୍ର । ଅପପୁଷ୍ଟିର ଆଁରେ ଏବେ ବଣ୍ଡା ଘାଟିର ଶିଶୁ । ପନିବରିବା ତ ଦୂରର କଥା ସରକାର ବାଂଟୁଥିବା ଛତୁଆ,ଅଣ୍ଡା ଓ ଚାଉଳ ବି ଏହି ଅପହଂଚ ଇଲାକାରେ ପହଁଚିପାରୁନି । ଆଉ ଭୋକିଲା ପେଟରେ ଆଉଟୁ ପାଉଟୁ ହେଉଛନ୍ତି ବଣ୍ଡା ଘାଟିର ଶିଶୁ । ଏହି କୁନି କୁନି ପିଲା ମାନଙ୍କ ଆଖିକୁ ଦେଖିଲେ ସଫା ସଫା ବୁଝା ପଡୁଛି ସେମାନଙ୍କର ମନ ତଳର ବ୍ୟଥା ଓ ଭୋକର ଭାଷା ।

ସରକାରୀ ଭାବେ ଏବେ ସୁଦ୍ଧା ବଣ୍ଡା ଘାଟିରେ ୩ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା କୁହାଯାଉଛି । କିନ୍ତୁ ଏହି ଚାଳ ଛପର ଘର ଭିତରେ ହୁଗୁଳା ଶରୀର ହିଁ ବୟାନ କରୁଛି ବଣ୍ଡା ଆଦିବାସୀଙ୍କ ବସ୍ତବତା । ଏଠାରେ ନା ଅଛି ଅଙ୍ଗନୱାଡି କେନ୍ଦ୍ର ନାଁ ପହଁଚି ପାରୁଛି ସରକାରଙ୍କ ଯୋଜନା । ଏଭଳି ସ୍ଥିତିରେ ଗର୍ଭବତୀ ଓ ଶିଶୁ ମାନେ ପୁଷ୍ଟିକର ଖାଦ୍ୟ ନ ପାଇ ଅପପୁଷ୍ଟିର ଶିକାର ହେଉଛନ୍ତି ।

ଗତବର୍ଷ ନଗଡାରେ ଅପପୁଷ୍ଟି ନେଇଥିଲା ପ୍ରାୟ ୨୦ ଶିଶୁଙ୍କ ଜୀବନ । ଆଉ ନଗଡାପରେ ଏବେ ଅପପୁଷ୍ଟିରେ ଅଭିଶପ୍ତ ହୋଇ ପଡିଛି ବଣ୍ଡା ଆଦିବାସୀଙ୍କ ଜୀବନ । ପାହାଡି ଇଲାକା ଓ କାଦୁଅ ପଚପଚ୍ ଏହି ଅଂଚଳରେ ସରାକରଙ୍କ ଯୋଜନା ଓ ସହଯୋଗ ପହଁଚିବା ବି ମୁସକିଲ ହୋଇଯାଇଛି ।