ଏକ ମୃତ୍ୟୁର କାହାଣୀ ମାଲକାନଗିରିରୁ . . .

40

vlcsnap-2016-10-17-15h09m27s358ପ୍ରତ୍ୟେକ ଜୀବନ ପାଇଁ ମୃତ୍ୟୁ ଏକ ନିଶ୍ଚିତ ଅପେକ୍ଷା । ହେଲେ ପ୍ରତ୍ୟେକ ମଣିଷ ଆଶା କରେ, ଅପେକ୍ଷା କରେ ଜୀବନ୍ତ ଜୀବନକୁ । କିଏ ନିଜ ପାଇଁ କିଏ ନିଜ ପରିବାର ପାଇଁ । ସମସ୍ତଙ୍କ ଭଳି ଠିକ୍ ଏମିତି ଅପେକ୍ଷା କରିଥିଲେ ଦଇମତି । କୋଳରେ ଥିଲା ଜ୍ୱରରେ ଫୁଟୁଥିବା କଅଁଳା ପୁଅ ।

ୱାର୍ଡରୁ ଆଇସିୟୁକୁ ଗଲା ପୁଅ । ଆଉ ମା’ର ଅପେକ୍ଷା ରହିଲା ମୃତ୍ୟୁ ମୁହଁରୁ ଫେରି ଆସିବ ପୁଅ । ଛାତିକୁ ପଥର କରି ସେ ଦେଖୁଥିଲେ ମେଡିକାଲରେ ଲମ୍ବିଥିବା ମୃତ୍ୟୁର ଧାଡିକୁ । ଭୂଲିବାକୁ ଚେଷ୍ଟା କରିଥଲେ ମୃତ୍ୟୁର ଅପେକ୍ଷାକୁ, ଜୀବନ ମୋହରେ । ହେଲେ ୫ ଦିନ ପରେ ଆଇସିୟୁରୁ ବାହାରିଲା ପୁଅର ଶବ । ନିଷ୍ଠୁର ଜ୍ୱର ଆଗରେ ହାର୍ ମାନି ସାରିଥିଲା ୨ ବର୍ଷର ଗେହ୍ଲାପୁଅ । କେତେ କାନ୍ଦିଲେ , କେତେ ବାହୁନି ହେଲେ । ହେଲେ ପୁଅ କିନ୍ତୁ ଡାକିଲାନି ମା’ ବୋଲି ।

vlcsnap-2016-10-17-15h12m29s084୫ ଦିନ ପରେ କନକ ନ୍ୟୁଜ୍ ପହଂଚିଥିଲା ମୃତ ଶିଶୁର ଗାଁ ଡଙ୍ଗରଗୁଡାରେ । ଘର ଅଗଣାରେ ଜନ୍ମମୃତ୍ୟୁର ପରମ୍ପରା । ଚାରି ଆଡେ ଖଇ କଉଡିର ଶୂନ୍ୟତା । ହେଲେ ଏ ନୀରବତା ଭିତରେ ବାପା କିନ୍ତୁ ବୁଝିବାକୁ ଚେଷ୍ଟା କରୁଥିଲେ ମୃତ୍ୟୁକୁ, ଯାହା ଛଡାଇ ନେଇଛି ତାଙ୍କ ଜୀବନକୁ ।

ସେପଟେ କୋଳପୋଛା ପୁଅକୁ ଭୂଲି ପାରୁ ନଥିଲା ମା’ । ଏ କାନ୍ଦ ହୁଏତ ସରିବ ନାହିଁ । ଏ ଲୁହ ହୁଏତ ଶୁଖିବ ନାହିଁ । ତଥାପି ମା’ କାନ୍ଦୁଥିଲା ମୃତ ମାତୃତ୍ୱକୁ ଭୂଲି ଯିବା ପାଇଁ ।