ମାଲକାନଗିରି ଜିଲ୍ଲାରେ ବେଘର ସହିଦ ପରିବାର : ୮ ବର୍ଷ ପରେ ବି ସହିଦ ଥଇଥାନ ନୀତି ଆଧାରରେ ମିଳିନି ସହାୟତା

54

ମାଲକାନଗିରି : ମାଲକାନଗିରି ଜିଲ୍ଲା ତେଲେରାଇରେ ମାଓବାଦୀଙ୍କ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇ ଥିଲେ ୧୭ ଜଣ ଏସ.ଓ.ଜି ଯବାନ । ପ୍ରତି ବର୍ଷ ସହିଦ ସ୍ତମ୍ଭରେ ଫୁଲମାଳ ପକାଇ ସହିଦ ମାନଙ୍କୁ ଶ୍ରଦ୍ଧାଂଜଳି ଦେଇ ନିଜ ଦାୟିତ୍ୱ ତୁଲାଇ ଆସୁଛି ମାଲକାନଗିରି ପୁଲିସ । ତେବେ ରାଜ୍ୟର ଚର୍ଚିତ ଘଟଣାକୁ ୮ ବର୍ଷ ବିତି ଯାଇ ଥିଲେ ହେଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ମୁତାବକ ଏ ଯାଏଁ ଜାଗା ଖଣ୍ଡେ ପାଇ ନାହାନ୍ତି ସହିଦଙ୍କ ପରିବାର । ବାରମ୍ବାର ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ମଧ୍ୟ କୌଣସି ସୁଫଳ ପାଇ ପାରୁନାହାନ୍ତି ସହିଦଙ୍କ ପରିବାର ଲୋକେ ।

୨୦୦୮ ଜୁଲାଇ ୧୬, କମ୍ବିଂ ସାରି ମାଲକାନଗିରି ଫେରୁଥିବା ବେଳେ ୧୭ ଜଣ ଏସ.ଓ.ଜି ଯବାନ ଫସିଯାଇଥିଲେ ଲାଲବାହିନୀର ଚକ୍ରବ୍ୟୁହ ଭିତରେ । କାଲିମେଳା ଥାନା ତେଲେରାଇରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିଲେ ଆଂଟି ଲ୍ୟାଣ୍ଡମାଇନ୍ ଗାଡିରେ ଥିବା ସମସ୍ତ ଯବାନ । ସେଇ ଲୋମହର୍ଷଣକାରୀ ଘଟଣାକୁ ୮ ବର୍ଷ ବିତିଛି । ପ୍ରତି ବର୍ଷ ପରି ଏ ବର୍ଷ ବି ମାଲକାନଗିରି ପୁଲିସ ନିରବ ଶୋଭାଯାତ୍ରା କରିଛି । ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ମାଲକାନଗିରି ଏସ.ପି ଓ ବହୁ ବରିଷ୍ଠ ପୁଲିସ ଅଧିକାରୀ । ହେଲେ ପରିତାପର ବିଷୟ ଯେ ମା’ ମାଟି ପାଇଁ ଜୀବନ ହାରି ଥିବା ଯବାନଙ୍କ ପରିବାରକୁ ସେମାନଙ୍କ ପ୍ରାପ୍ୟ ପାଇଁ ବାରଦୁଆର ବୁଲିବାକୁ ପଡୁଛି । ଇନସ୍ୟୁରାନ୍ସ ଓ କ୍ଷତିପୁରଣ ଟଙ୍କା ମିଳିଛି, ଏବଂ ସହିଦ ପରିବାର ସଦସ୍ୟଙ୍କୁ ପୁଲିସ ଚାକିରି ଖଣ୍ଡେ ମିଳିଛି ସତ । ହେଲେ ରାଜ୍ୟ ସରକାରଙ୍କ ସହିଦ ଥଇଥାନ ନିତି ଅନୁଯାୟୀ ଘରଡିହ ଯାଗା ଖଣ୍ଡେ ପାଇ ହିନସ୍ତା ହେବାକୁ ପଡୁଛି । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧିଙ୍କ ଯାଏଁ ସମସ୍ତଙ୍କୁ ଜଣାଇ ବି ନିରାଶ ଏମାନେ ।

ମାଲକାନଗିରି ଜିଲ୍ଲାରେ ୨୮ ଜଣ ଯବାନ ମାଓ ଗୁଳିରେ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ମାତ୍ର ୭ ଜଣଙ୍କ ପରିବାର ସଦସ୍ୟଙ୍କୁ ଚାକିରି ମିଳିଛି । ସେପଟେ ଜିଲ୍ଲା ପ୍ରଶାସନ ପାଖରେ ଫାଇଲ ଅଟକି ରହିଛି । ଖୁବ ଶୀଘ୍ର ସହିଦ ପରିବାରଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯିବ ବୋଲି କହିଛନ୍ତି ମାଲକାନଗିରି ଏସ.ପି ମିତ୍ରଭାନୁ ମହାପାତ୍ର । ମାଓ ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପରତା ଦେଖାଉ ଥିବା ବେଳେ ସହିଦ ପରିବାରଙ୍କ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି । ଅଧିକ ତଥ୍ୟ ଏହି ଭିଡିଓରେ :