ଲାଲଗଡ଼ରେ ଯବାନଙ୍କ ମେଳି ! ଅହିଂସାର ବାର୍ତ୍ତା ନେଇ ମାଓ ଇଲାକାରେ ପହଁଚିଛି ମାଲକନଗିରି ପୋଲିସ

23

କନକ ବ୍ୟୁରୋ: ଲାଲଗଡ଼ରେ ଯବାନଙ୍କ ମେଳି । ଅହିଂସାର ବାର୍ତ୍ତା ନେଇ ଲାଲଗଡ଼ରେ ପହଁଚିଛି ମାଲକନଗିରି ପୋଲିସ । ଜଙ୍ଗଲି ଗାଁ ଭିତରେ ମାଓ ପୀଡିତଙ୍କ ଅଭିଯୋଗ ଶୁଣିବା ସହ ଆଦିବାସୀଙ୍କୁ ଶିକ୍ଷାର ଆଲୋକ ଦେଖାଇଛନ୍ତି ମାଲକାନଗିରି ପୋଲିସ ମୁଖିଆ । ମାଓ ଉପଦୃତ ଅଂଚଳରେ ଜନତାଙ୍କ ପୋଲିସ ଓ ସରକାରୀ କଳ ପ୍ରତି ଭରାସା ରହିଛି । ତେଣୁ ଗାଁ ଓ ଅଂଚଳର ବିକାଶ ଲାଗି ମାଓବାଦୀ ନୁହଁ ବରଂ ପୋଲିସ ଓ ସରକାରଙ୍କୁ ସହଯୋଗ କରିବା ଲାଗି ନିବେଦନ କରିଛନ୍ତି ମାଲକାନଗିରି ଏସ.ପି ଜଗମୋହନ ମିନା ।

ସୂଚନା ମୁତାବକ, ଲାଲଗଡ଼ରେ ନାଚଗିତର ଆସର । ଚାଲିଛି ଆଦିବାସୀ ମେଳି । ଏହା କୌଣସି ମାଓ ପ୍ରଜାମେଳି ନୁହଁ ବରଂ ମାଓ ଇଲାକାରେ ଏଭଳି ଆଦିବାସୀ ମେଳିର ଆୟୋଜନ କରିଛି ମାଲକନଗିରି ପୁଲିସ । ମାଓବାଦୀଙ୍କ ଚରା ଭୁଇଁ କାଲିମେଳା ଥାନା ଅନ୍ତର୍ଗତ ବଡିଗେଟା ଗାଁରେ ଅହିଂସାର ବାର୍ତ୍ତା ନେଇ ମାଓ ପିଡିତଙ୍କ ନିକଟରେ ପହଁଚିଛି ମାଲକାନଗିରି ପୋଲିସ । ଏହି ଗ୍ରାମପଂଚାୟତର ପ୍ରାୟ ୫ ଟି ଗାଁର ଲୋକଙ୍କ ଦୁଃଖ ଦୁର୍ଦଶା ଦେଖିବା ସହ ସମସ୍ୟାର ସମାଧାନ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି ଖୋଦ୍ ମାଲକାନଗିରି ଏସ.ପି ଜଗମୋହନ ମିନା ।

ପିଲାଙ୍କୁ ଶିକ୍ଷାର ଆଲୋକ ଦେଖାଇବା ସହ ବିକାଶର ବାର୍ତ୍ତା ଦେଇଛନ୍ତି ମାଲକାନଗିରି ପୋଲିସ ମୁଖିଆ । ନିଜ ଅଂଚଳର ବିକାଶ ପାଇଁ ମାଓବାଦୀଙ୍କୁ ନୁହେଁ ବରଂ ପୋଲିସ ଓ ସରକାରଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ମାଲକାନଗିରି ଏସ.ପି ଜଗମୋହନ ମିନା । ବଡିଗେଟା ଗାଁରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପିଲାଙ୍କୁ ବହି, ବୟସ୍କଙ୍କୁ ଛତା କମ୍ବଳ ଦେଇ ଆଦିବାସୀଙ୍କ ନିକଟତର ହେବାକୁ ଉଦ୍ୟମ କରିଛି ମାଲକାନଗିରି ପୁଲିସ । ତେବେ ପୁଲିସର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।