ମହାନଦୀରେ ସାମ୍ଭାବ୍ୟ ବନ୍ୟା ପାଇଁ ଛତିଶଗଡ଼କୁ ଦାୟୀ କଲା ବିଜେଡି, ବିଜେପି ରଖିଲା ଜବାବ

36

କନକ ବ୍ୟୁରୋ: ଓଡିଶାରେ ବନ୍ୟା ଛତିଶଗଡ଼ ଦାୟୀ । ଏଭଳି ଅଭିଯୋଗ ଆଣିଛନ୍ତି ଶାସକ ବିଜୁ ଜନତା ଦଳର ମୁଖପାତ୍ର ଦେବୀପ୍ରସାଦ ମିଶ୍ର । ଉପରମୁଣ୍ଡରେ ଛତିଶଗଡର  ମନମୂଖୀ ପାଣି ରୋକିବା ଓ ଛାଡିବା କାର୍ଯ୍ୟ ପାଇଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ସମୟରେ ଅବିଚାରିତ ଭାବେ ବନ୍ୟା ଜଳ ଛାଡୁଛନ୍ତି, ଏପରିକି କୌଣସି ସୂଚନା ନଦେଇ ତଳମୁଣ୍ଡକୁ ବର୍ଷା ଜଳ ଛାଡି ଦେଉଛନ୍ତି । ଯେତେବେଳେ ମହାନଦୀର ଉପମୁଣ୍ଡରେ ବେଆନ୍ ଭାବେ ବ୍ୟାରେଜ ନିର୍ମାଣ କରୁଥିଲେ ସେତେବେଳୁ ହିଁ ଏହାର ପ୍ରଭାବ ନେଇ ପୂର୍ବନୁମାନ କରିଥିଲୁ । ଯାହାକୁ ନେଇ ଏପର୍ଯ୍ୟନ୍ତ ବିରୋଧ କରୁଛି ବିଜେଡି । ତେବେ ବର୍ତ୍ତମାନ ମହାନଦୀରେ ଯେଉଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଛତିଶଗଡ଼ ଦାୟୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଦେବୀପ୍ରସାଦ ମିଶ୍ର ।

ସେପଟେ ବିଜେପି ଏହାର ପ୍ରତି ଉତ୍ତରରେ କହିଛି ଯେ, ବିଧାନସଭାରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥ୍ୟ ଉପସ୍ଥାପନ କରିଥିଲେ ଯେ, ଛତିଶଗଡ଼ ସହିତ ରାଜ୍ୟ ସରକାର ଆଲୋଚନା କରନ୍ତି । ସେତେବେଳେ ଦଳର ମୁଖପାତ୍ରମାନେ ଗଣମାଧ୍ୟମରେ ଯେଉଁ ଉକ୍ତି ରଖୁଛନ୍ତି ତାହା ଗ୍ରହଣୀୟ ନୁହେଁ । ଉଭୟ ରାଜ୍ୟରେ ଜଳ ସମସ୍ୟା ସମାଧାନ ନେଇ କେନ୍ଦ୍ର ସରକାର ସବୁବେଳେ ପଦକ୍ଷେପ ନେଉଛନ୍ତି । ହେଲେ ଶାସକ ବିଜେଡି ପାଇଁ କେନ୍ଦ୍ର, ଇନ୍ଦ୍ର ଓ ଧର୍ମେନ୍ଦ୍ର ଦାୟୀ ଯେଉଁଭଳି ଏକ ନାରା ପାଲଟିଗଲାଣି । ସେଥିପାଇଁ ଏଭଳି ଯୁକ୍ତି ଉପସ୍ଥାପନ କରୁଛନ୍ତି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ସେହିପରି ଗତକାଲି ରାଜ୍ୟ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ହୀରାକୁଦକୁ ବହୁ ପରିମାଣରେ ବର୍ଷାଜଳ ଇନଫ୍ଲୋ ହେଉଛି । ହୀରାକୁଦକୁ ପାଖଶପାଖି ୧ଲକ୍ଷ ୭୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ବୋଲି ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଥିଲେ । ସିଡବ୍ଲୁସି ତଥ୍ୟ ଅନୁସାରେ ହୀରାକୁଦକୁ ଇନଫ୍ଲୋ ଜଳ ବଢ଼ୁଥିବାବେଳେ ଆଉଟ ଫ୍ଲୋ ୪ଲକ୍ଷରୁ ୫ ଲକ୍ଷ କ୍ୟୁସେକ୍ ଜଳ ରହିଛି । ଯଦି ବନ୍ୟା ପରିସ୍ଥିତି ଉପୁଜେ ତେବେ ଏଥିପାଇଁ ଛତିଶଗଡ଼ ସରକାର ଦାୟୀ ରହିବେ ବୋଲି ପରୋକ୍ଷରେ ଛତିଶଗଡକୁ ଅଙ୍ଗୁଳୀ ନିର୍ଦ୍ଦେଶ କରିଥିଲେ ଜଳସଂପଦ ସଚିବ ।