ମୋଦି ଉତ୍ସବରେ ଚାଷୀ ରାଜନୀତି ! ଶିବରାଜ୍ ଆସିବେ, ଚିନ୍ତାରେ ବିଜେପି, ଓଡିଶାରେ ମଧ୍ୟପ୍ରଦେଶ ତାତି 

49

ବରଗଡରେ ଶନିବାର ମୋଦି ଉତ୍ସବରେ ସାମିଲ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହ୍ୱାନ । ରାଜ୍ୟ ବିଜେପି ନେତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବାବଦରେ ସବୁଜ ସଂକେତ ଦେଇସାରିଛନ୍ତି । ତେବେ ବଡ କଥା ହେଉଛି, ମଧ୍ୟପ୍ରଦେଶରେ ଆନ୍ଦୋଳନରତ ଚାଷୀଙ୍କ ଉପରକୁ ପୋଲିସ ଗୁଳି ଚଳାଇ ୬ ଜଣଙ୍କୁ ମାରିବା ପରେ ଏହା ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିଜ ରାଜ୍ୟ ବାହାରେ ପ୍ରଥମ ରାଲି । ଯେଉଁଥିରେ ସେ ଲୋକଙ୍କୁ ସମ୍ବୋଧିତ କରିବେ । ଆଉ ଏବେ ଶିବରାଜ୍ ସିଂ ଚୌହ୍ୱାନଙ୍କ ଗସ୍ତକୁ ନେଇ ଚିନ୍ତାରେ ରାଜ୍ୟ ବିଜେପି ।

ପ୍ରଥମତଃ ବରଗଡ ହେଉଛି, ଓଡିଶାର ଭାତହାଣ୍ଡି । ଚାଷୀ ଆଉ ଚାଷ ପ୍ରସଙ୍ଗ ସବୁବେଳେ ଏଠି ଫୋକସରେ ରହିଥାଏ । ତେବେ ବିଜେପି ପଶ୍ଚିମ ଓଡିଶାରେ ନିଜ ସ୍ଥିତିକୁ ଦୃଢ କରିବା ପାଇଁ ଶିବରାଜଙ୍କୁ ନେଇ ଯେଉଁ ଗୋଟିଚାଳନା କରିବାର ଯୋଜନା ରଖିଥିଲା, ଏହା ତାହା ଓଲଟା ପଡିବାର ଆକଳନ କରାଯାଉଛି । ଚାଷୀଙ୍କୁ ଗୁଳି କରି ମାରିବା ପରେ ଶିବରାଜ୍ ନିଜ ରାଜ୍ୟରେ ଅନଶନରେ ବସିଥିଲେ । ଏହାପରେ ମୃତଚାଷୀଙ୍କ ପରିବାରକୁ ସହାୟତା ଘୋଷଣାରେ ପୋତି ଦେଇଥିଲେ । ହେଲେ ବରଗଡରେ ସେ କେଉଁ ପ୍ରସଙ୍ଗ ଉତଥାପନ କରିବେ ଓ ସ୍ଥାନୀୟ ବିଜେପି ଉପରେ ଏହାର କଣ ପ୍ରଭାବ ରହିବ, ତାକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି ।

ମଧ୍ୟପ୍ରଦେଶରେ ଚାଷୀଙ୍କୁ ଗୁଳି ପ୍ରତିବାଦରେ ସାରା ରାଜ୍ୟରେ ଚକାଜାମ୍ କରିଛି ନବନିର୍ମାଣ କୃଷକ ସଂଗଠନ । ସେପଟେ ଯୁବ କଂଗ୍ରେସ ପକ୍ଷରୁ ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କୁ କରାଯାଇଛି ଅଣ୍ଡାମାଡ । ପ୍ରସଙ୍ଗ ଥିଲା ଆନ୍ଦୋଳନରତ ଚାଷୀଙ୍କୁ ଗୁଳି । ଏହାର ପ୍ରତିବାଦରେ ଯୁବ କଂଗ୍ରେସ ଘୋଷଣା କରିଛ, କେନ୍ଦ୍ରରୁ ଯିଏ ବି ଆସିବ ସେମାନଙ୍କୁ ଅଣ୍ଡାମାଡରେ ସ୍ୱାଗତ କରାଯିବ । ଆଉ ଏବେ ତ ଖୋଦ୍ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଆସୁଛନ୍ତି, ଯେଉଁ ରାଜ୍ୟରେ ଚାଷୀଙ୍କୁ ଗୁଳିମାଡ ହୋଇଥିଲା । ତେଣୁ ରାଜ୍ୟ ବିଜେପି ଏହାକୁ ନେଇ ବାହାର କରିଛି ମଝିମଝିଆ ବାଟ । ଅର୍ଥାତ୍ ଶିବରାଜ୍ ଆସିବେ, ମୋଦି ଉତ୍ସବରେ ସାମିଲ ହୋଇ ଫେରିଯିବେ, କିନ୍ତୁ କିଛି ବିବାଦ ଯେପରି ହେବନାହିଁ, ସେନେଇ ଯଥେଷ୍ଟ ସଜାଗ ରହିଛି ରାଜ୍ୟ ବିଜେପି ।

ପୁରା ଘଟଣାକୁ ନେଇ ଏବେ ହରଡଘଣାରେ ରାଜ୍ୟ ବିଜେପି । କୃଷକଙ୍କ ସହ ଦଳ ଥିବା ନେଇ ଯେଉଁ ବାର୍ତ୍ତା ଦେଇ ଆସୁଥିଲା, ଶିବରାଜଙ୍କ ଗସ୍ତ ପରେ ଦଳ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ ନାହିଁ ତ, କିଛି ଏଭଳି ଚିନ୍ତା ଏବେ ନେତାଙ୍କୁ ଘାରିଛି । କାରଣ, ରାଜ୍ୟରେ ଚାଷୀ ଆନ୍ଦୋଳନ ଏବେ ଦାନା ବାନ୍ଧୁଛି । ନିଜ ହକ୍ ସହ ଆଉ ସାଲିସ୍ କରିବା ମୁଡରେ ନାହାନ୍ତି ଚାଷୀ । ନବନିର୍ମାଣ କୃଷକ ସଂଗଠନ ୨ ଘଂଟା ପାଇଁ ଚକା ଜାମ୍ କରି ଦର୍ଶାଇଛି, ଚାଷୀଙ୍କ ଉପରେ ନିର୍ଯ୍ୟାତନା ଆଉ ଚଳିବନାହିଁ । ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହୁଥିବା ଚାଷୀଙ୍କ ପାଇଁ ଯେତେବେଳେ ସ୍ୱର ଉଠୁଛି, ସେତେବେଳେ ଶିବରାଜ୍ ସିଂ ଚୌହ୍ୱାନଙ୍କ ଗସ୍ତ ସେମାନଙ୍କ ପାଇଁ ଉପହାସ ହେବନି ତ, ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ସାରା ରାଜ୍ୟରେ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିନପାରି ଆଜି ଅବହେଳିତ ଅବସ୍ଥାରେ ଅଛି । କେଉଁଠି ମଣ୍ଡିରେ ମିଲର ଧାନ ନକିଣି ଚାଷୀଙ୍କ ଉପରେ ଦାଉ ସାଧୁଛନ୍ତି ତ, ଆଉ କେଉଁଠି ସଂରକ୍ଷଣ ଗୃହରେ ପିଆଜ ଗଜା ହୋଇଯାଉଛି । ଆମ୍ବର ସଠିକ ଦର ଚାଷୀ ପାଉନି ତ ଆଉ କେଉଁଠି ୫୦ ପଇସାରେ କିଲେ ପିଆଜ ବିକ୍ରି ହେଉଛି । ସାରା ରାଜ୍ୟରୁ ଏଭଳି ଚିତ୍ର ଗତ କିଛି ଦିନ ଭିତରେ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ଚାଷୀର ଭାଗ୍ୟ କିନ୍ତୁ ବଦଳିନି । ଆନ୍ଦୋଳନ ମାଧ୍ୟମରେ ନବନିର୍ମାଣ କୃଷକ ସଂଗଠନ ଦାବି କରିଛି, ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କର, ଚାଷୀକୁ ଋଣଛାଡ ଓ ପେନସନ ଦିଅ । ଗତ କିଛି ବର୍ଷ ଧରି ଏଭଳି ଦାବି ସହ ହୋଇଛି ଅନେକ ବାର ଆନ୍ଦୋଳନ । ହେଲେ ଫଳ ଶୁନ୍ ।

ତେବେ ବିଡମ୍ବନାର କଥା ହେଉଛି, ରାଜ୍ୟ ସରକାରଙ୍କ ଉଦାସୀନତା । ଚାଷୀଙ୍କୁ ଋଣଛାଡ ବାବଦରେ ମୁଖ୍ୟମନ୍ତ୍ରୀ ଚିନ୍ତା କରାଯାଉଛି ବୋଲି ଘୋଷଣା କରିଦେଲେ । ହେଲେ ଯାହା ଲାଗୁଛି, ନିର୍ବାଚନ ଆସିଲେ ହିଁ ଚାଷୀଙ୍କୁ ଋଣଛାଡ କରାଯିବ । ଫଳରେ ଭୋଟ୍ ପାଇବାରେ ଏହି ଘୋଷଣା ସହାୟକ ହେବ । ତେଣୁ ଚାଷୀ ଆଉ ଚାଷ ପ୍ରସଙ୍ଗ ସବୁବେଳେ ରାଜନୈତିକ ଗୋଟିଚାଳନାର ଅଂଶବିଶେଷ । ଯେଉଁ ପର୍ଯ୍ୟନ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇ ନାହାନ୍ତି କିମ୍ବା ଆନ୍ଦୋଳନରେ କାହାର ଜୀବନ ଯାଇନି, ସେଯାଏଁ ସମସ୍ତେ କେବଳ ନୀରବଦ୍ରଷ୍ଟା ସାଜିବେ ।

ଯେଉଁ ଚାଷୀଙ୍କ ପାଇଁ ଶିବରାଜ୍ ସିଂ ଚୌହ୍ୱାନ ଉଦାସୀନ ଥିଲେ, ଆଜି ସେ ନିଜେ ଚାଷୀଙ୍କ ଘରକୁ ଯାଇ ଅନେକ ଘୋଷଣା କରିଦେଇଆସିଲେ । ଏକଥାରୁ ଗୋଟିଏ ଦିଗ ସ୍ପଷ୍ଟ, ସରକାର ଆପଣଙ୍କ କଥା ସେତେବେଳେ ଶୁଣିବେ ଯେତେବେଳେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବ । ଓଡିଶାରେ ଆଜି ଚାଷୀ ସମାଜ ଏକାଠି ହୋଇ ଗୋଟିଏ ଶକ୍ତି ରୁପେ ଉଭା ହେଲେଣି । ସରକାର ଏକଥା ହୃଦୟଙ୍ଗମ କରିବା ଦରକାର, ଏମାନେ କେବଳ ରାଜନୀତିର ଅଂଶବିଶେଷ ନୁହଁନ୍ତି, ବରଂ ଏମାନଙ୍କ ସମସ୍ୟାର ସମାଧାନ ପାଇଁ ଆନ୍ତରିକତାର ସହ ଉଦ୍ୟମ ହେବା ଆବଶ୍ୟକ ।

ଚାଷୀଙ୍କ ଯେଉଁ ସମସ୍ୟା ନେଇ ଦେଶବ୍ୟାପୀ ଆଲୋଚନା ଚାଲିଛି, ତାସହ ଗୋଟିଏ ଶଦ୍ଦ ଜଡିତ । ବିମୁଦ୍ରାକରଣ । ଯେଉଁ ମଧ୍ୟପ୍ରଦେଶରେ କୃଷି ଉତ୍ପାଦନରେ ଚମକପ୍ରଦ ଅଭିବୃଦ୍ଧି ହୋଇ ଆସୁଥିଲା, ଆଜି ସେଠି କୃଷକ ଆନ୍ଦୋଳନର ପନ୍ଥା ଆପଣାଇଛନ୍ତି । ଏତେ ହତାଶ ହୋଇପଡିଛନ୍ତି ଯେ, ଆନ୍ଦୋଳନ ହିଂସାର ରୂପ ନେଇଛି । ଧୋଇ, ମରୁଡି, ଫସଲହାନୀ ଏଭଳି କିଛି ଦିଗକୁ ନେଇ ଚାଷୀ ସର୍ବଦା ଚିନ୍ତାରେ ଥାଏ ବା ମନରେ ବିଷାଦ ଆସେ । ହେଲେ ବିଡମ୍ବନାର କଥା ହେଉଛି, ଉତ୍ପାଦନରେ ସଫଳତା ପାଇଁ ଗତ ପାଂଚ ବର୍ଷ ଧରି କୃଷିକର୍ମଣ ପୁରଷ୍କାର ପାଇଥିବା ମଧ୍ୟପ୍ରଦେଶର ସ୍ଥିତି ଆଜି ସଂଗୀନ ।

ଯଦି ଚାଷୀର ଏଭଳି ସ୍ଥିତି ପାଇଁ ଆଜି କାରଣ ଖୋଜାଯାଏ, ତେବେ ଉତ୍ତର ଆସିବ ବିମୁଦ୍ରାକରଣ । ଦେଶର ଅର୍ଥନୀତିକୁ ବିଗାଡିଦେଇଛି ତା ସହ ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପାଗ ସହାୟକ ହେଲା, ଇନ୍ଦ୍ରଦେବଙ୍କ ଆଶୀର୍ବାଦ ରହିଲା, ତେଣୁ ଚାଷୀ ଧାର କରଜ କରି ବିଲରେ ଫସଲ ଫଳାଇଲା । ହେଲ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିବ, ଯେତେବେଳେ ଭାଗ୍ୟ ସାଥ୍ ଦେବ, ସେତେବେଳେ ସରକାର ତାଙ୍କ ହାତଛାଡି ଦେବେ ।

ବିମୁଦ୍ରାକରଣ ପରେ ଚାଷୀଙ୍କ ଫସଲକୁ କିଣିବ କିଏ? କାରଣ ଗାଁ ଗହଳିରେ ଏହି କିଣାବିକା ସବୁକିଛି ହୁଏ ନଗଦ କାରବାରରେ । ହେଲେ ବ୍ୟବସାୟୀଙ୍କ ପାଖରେ ଟଙ୍କାର ଅଭାବ, ଏହି ସ୍ଥିତିକି ସଂଗୀନ କରିଦେଲା । ଖାଲି ମଧ୍ୟପ୍ରଦେଶ ନୁହେଁ, ଓଡିଶାରେ ମଧ୍ୟ ଅନୁରୂପ ଅବସ୍ଥା । ଏଠି ମଧ୍ୟ ଚାଷୀ ହତାଶ । ଏଠି ମଧ୍ୟ ନିଜ ଉତ୍ପାଦିତ ଫସଲ ବିକ୍ରି କରିନପାରି ନିରାଶ ।

କୁହାଯାଉଛି, ବର୍ତ୍ତମାନର ସ୍ଥିତି ସମ୍ଭାଳିବାକୁ ଗୋଟିଏ ହିଁ ବାଟ, ଚାଷୀଙ୍କୁ ଋଣଛାଡ । ପ୍ରଥମେ ଉତ୍ତରପ୍ରଦେଶ ପରେ ଭାଜପା ଶାସିତ ମହାରାଷ୍ଟ୍ର ସରକାର ଏନେଇ ଘୋଷଣା କରିସାରିଲେଣି । ମଧ୍ୟପ୍ରଦେଶ ସରକାର ଏହାକୁ ଅନୁକରଣ କରିବା ଛଡା ଆଉ କିଛି ବାଟନାହିଁ । ବିମୁଦ୍ରାକରଣ ଲାଭକ୍ଷତିର ହିସାବରେ କୃଷି ଋଣଛାଡ ରାଜ୍ୟ ସରକାର ଗୁଡିକ ଉପରେ ଏବେ ବୋଝ ପାଲଟିଛି ।

ହେଲେ ଓଡିଶାରେ କଣ ହେବ ? ହୁଏତ ବିଜେଡି ସରକାର ଏ ବାବଦରେ ଚିନ୍ତା କରୁଥାଇପାରେ, ନବୀନ ଘୋଷଣା କରିଥାଇପାନ୍ତି, କିନ୍ତୁ ଋଣଛାଡ ଘୋଷଣା ହେଲେ ଏହାର ଲାଭ କିଏ ପାଇବ ?  କାରଣ ଭାଗଚାଷୀ, ନାମମାତ୍ର ଚାଷୀ, ଜମି ମାଲିକ ଏମାନଙ୍କୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି, ତାକୁ ଦୂର କରିବାରେ ସଫଳତା ମିଳିନାହିଁ । ନବୀନ ନୂଆ ମନ୍ତ୍ରୀମଣ୍ଡଳ ଗଢିବା ପରେ ଏନେଇ ଦୁଇ ଦୁଇ ଥର ବୈଠକ ହୋଇସାରିଲାଣି । ହେଲେ ଫଳ କିଛି ମିଳି ପାରିନାହିଁ ।

ଅପେକ୍ଷା ରହଛି, କେବେ ଏହି ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଗୋଟିଏ ସମାଧାନର ସୂତ୍ର ବାହାର କରିବେ । ଆସନ୍ତା ୧୯ରେ ପୁଣି ଏକାଠି ବସିବେ ବିଭାଗୀୟ ମନ୍ତ୍ରୀ । ହେଲେ କିଛି ମିନିଟର ଆଲୋଚନା କିମ୍ବା ଗୋଟିଏ କପ୍ ଚା ପିଇବାରେ ଏହି ସମସ୍ୟାର ସମାଧାନ ହେବନାହିଁ । ଏହାରି ଭିତରେ କିନ୍ତୁ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବୟାନ ଆହୁରି ବିବାଦୀୟ । ମନ୍ତ୍ରୀଙ୍କ ହିସାବରେ, ପ୍ରକୃତ ଚାଷୀଙ୍କୁ ଋଣଛାଡ କରାଯାଉ । ହେଲେ ମନ୍ତ୍ରୀଙ୍କୁ ଆମର ପ୍ରଶ୍ନ, ପ୍ରକୃତ ଚାଷୀ କେବେ ଚିହ୍ନଟ ହେବେ ଆଉ କେବେ ଆପଣ ଋଣଛାଡ କରିବେ ?

ତେବେ ବଡ କଥା ହେଉଛି, ନେତାଙ୍କ ପ୍ରତିଶ୍ରୁତି, ଅଭିଭାଷଣ ବା ଉଦବୋଧନ ଚାଷୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିପାରିବ ନାହିଁ । ଏଥିପାଇଁ ଆବଶ୍ୟକ ରହିଛି ରାଜନୈତିକ ଇଛାଶକ୍ତି । ଶିବରାଜ୍ ସଂ ଚୌହ୍ୱାନଙ୍କ ଓଡିଶା ଗସ୍ତକୁ ବିରୋଧ କରିବାକୁ ହୁଏତ କିଛି ଯୋଜନା ହୋଇପାରେ, ହେଲେ ପ୍ରଶ୍ନ ଉଠିବ, ଜଣେ ରାଜନେତାଙ୍କୁ ବିରୋଧ କଲେ କଣ ସମସ୍ୟାର ସମାଧାନ ହୋଇପାରିବ । ଯଦି ଉତ୍ତର ହଁ ହେବ, ତାହେଲେ ପ୍ରତି ରାଜନେତାଙ୍କୁ ଚାଷୀ ସମସ୍ୟାର ସମାଧାନ ପାଇଁ ବିରୋଧ କରାଯାଉ । ଏଥିରେ କାହାର କିଛି ଆପତ୍ତି ରହିବନାହିଁ ।