ଆଜି ମରିବ କଂସ ! ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନ

38

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ମହରାଜ କଂସଙ୍କ ଆଜ୍ଞା ପାଇ ମଥୁରାନଗରୀରେ ପହଂଚିଛନ୍ତି କୃଷ୍ଣ-ବଳରାମ । ନିମନ୍ତ୍ରଣ ରକ୍ଷାକରି କୃଷ୍ଣ ବଳରାମ ଆସିବା ଖବର ମହରାଜଙ୍କୁ ଉତଫୁଲ୍ଲିତ କରିଦେଇଛି । ମନେ ମନେ କଳ୍ପନା କରୁଛନ୍ତି ଚକ୍ରାନ୍ତକରି କୃଷ୍ଣ-ବଳରାମଙ୍କୁ ହତ୍ୟାକରି ନିଷ୍କଂଟକ ରାଜ୍ୟଭୋଗ କରିବେ ।

ଅନ୍ୟପଟେ ଖାଁ ଖାଁ ଲାଗୁଛି ଗୋପପୁର । ବାଲ୍ୟଲୀଳା ସାରି ମଥୁରା ନଗରୀ ଚାଲି ଆସିଛନ୍ତି ମହାପ୍ରଭୁ । କୃଷ୍ଣ-ବଳରାମଙ୍କୁ ଝୁରି ହେଉଛନ୍ତି ଗୋପପୁରବାସୀ । କୃଷ୍ଣ-ପ୍ରେମରେ ରାଧା ପାଗଳୀ ହୋଇଯାଇଥିବା ବେଳେ ମା’ ଯଶୋଦାଙ୍କ ଆଖିରୁ ଲୁହ ଶୁଖୁନି ।

ଆଜି ସରୁଛି ବରଗଡ଼ ଧନୁଯାତ୍ରା, ଦୀର୍ଘ ୧୧ ଦିନ ଧରି ଚାଲିଥିବା ଏହି ମହାନାଟକରେ ପଡ଼ିବ ଯବନିକା । ଆଉ ମାତ୍ର କେଉ ଘଂଟାର ଅପେକ୍ଷା, କୃଷ୍ଣ-ବଳରାମଙ୍କ ହାତରେ ପ୍ରାଣ ହରାଇବେ ପ୍ରବଳ ପ୍ରତାପୀ ମହାରାଜ କଂସ । କଂସ ମାମୁଁ ଆୟୋଜନ କରିଥିବା ଧନୁଯାତ୍ରା ବୁଲିବେ କଂସ ମହାରାଜ । ଏହାପରେ ଦରବାରେ ପହଂଚିବେ ମହାପ୍ରଭୁ ।

ଜଗତକଲ୍ୟାଣ ଉଦ୍ଦେଶ୍ୟରେ ଅହଂକାରୀ ଓ ଅତ୍ୟାଚାରୀ କଂସଙ୍କ ବଦ୍ଧ କରିବେ । ଦେବକୀ ବାସୁଦେବଙ୍କୁ ମୁକୁଳାଇବା ସହ ମଥୁରାନଗରୀରେ ଗାଦିରେ ବସିବେ ଉଗ୍ରସେନ । କଂସ ମହାରାଜଙ୍କ ନିଧନ ପରେ ପୁଣି ଧରେ ରାଜ୍ୟଭାର ସଂଭାଳିବେ ଉଗ୍ରସେନ ।

ମୃତ୍ୟୁ ପୂର୍ବର ଆଭାସ ମିଳି ସାରିଛି । ହେଲେ ଆତ୍ମଗର୍ବ ଯେମିତି ମହାରାଜ କଂସଙ୍କୁ ଅନ୍ଧ କରିଦେଇଛି । ସ୍ୱପ୍ନାଦେଶ ପରେ ବି ମାନୁନି ମହରାଜ କଂସଙ୍କ ମନ । ଆଶା ବାନ୍ଧିଛନ୍ତି ଧନୁଯାତ୍ରାକୁ ଆଳ କରି କୃଷ୍ଣ-ବଳରାମଙ୍କୁ ହତ୍ୟାକରି ଅପରାଜୟ ନିଷ୍କଂଟକ ରହିବେ ।

ଏପଟେ ମଥୁରାନଗରୀରେ ପଡ଼ିସାରିଛି କୃଷ୍ଣ-ବଳରାମଙ୍କ ପାଦ । ହେଲେ ମଥୁରାନଗରୀ କୃଷ୍ଣ-ବଳରାମଙ୍କୁ ଯେଭଳି ଭାବରେ ସ୍ୱାଗତ କରିଛନ୍ତି । ତାହା ମଥୁରା ନରେଶଙ୍କୁ କ୍ରୋଧିତ କରିଛି । ବରଗଡ଼ ଧନୁଯାତ୍ରାର ଦଶମ ଦିନରେ ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଗୋପପୁର ଛାଡ଼ି ମଥୁରାପୁରରେ ପହଂଚିଛନ୍ତି କୃଷ୍ଣ-ବଳରାମ । ଘରେ ଘରେ ଫୁଲ-ଚନ୍ଦନ ଦେଇ ଯୁଗଳମୂର୍ତୀଙ୍କୁ ସ୍ୱାଗତ କରାଯାଇଛି । ସାକ୍ଷାତ ଭଗବନାକୁ ପାଖରେ ପାଇ ଆନନ୍ଦିତ ହୋଇଉଠିଛି ପୁରା ମଥୁରାନଗରୀ । ହେଲେ ଏପଟେ ମହରାଜଙ୍କୁ କ୍ରୋଧିତ କରିଛି ମଥୁରାବାସୀଙ୍କ ଆଚରଣ । କୃଷ୍ଣ-ବଳରାମଙ୍କୁ ଭଗବାନର ଆସନରେ ବସାଇ ପୂଜା କରିବା ଯେମିତି ଗ୍ରହଣ କରିପାରିନାହିଁନ୍ତି ମହାରାଜ କଂସ ।