ଆତଙ୍କବାଦର ରାସ୍ତା ଛାଡି ସେନାରେ ଯୋଗ ଦେଇଥିବା ସହିଦ ଯବାନଙ୍କୁ ଅଶୋକଚକ୍ର ସମ୍ମାନ ! ଜାଣନ୍ତୁ କେମିତି ଆତଙ୍କୀରୁ ସେନାରେ ସାମିଲ ହୋଇଥିଲେ ନଜିର ବାନି ?

172

ଆତଙ୍କବାଦର ରାସ୍ତା ଛାଡି ସେନାର ଯୋଗ ଦେଇଥିବା ସହିଦ ଯବାନଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯିବ । ତେବେ ଏହା ଭାରତରେ ପ୍ରଥମ ଘଟଣା ହେବାକୁ ଯାଉଛି, ଯେଉଁଠି ଆତଙ୍କବାଦ ଭଳି ପାପର ରାସ୍ତା ଛାଡି ଦେଶସେବା ପାଇଁ ସେନାରେ ଯୋଗ ଦେଇଥିବା ଜଣେ ଯବାନଙ୍କୁ ଏତେ ବଡ ଆୱାର୍ଡରେ ସମ୍ମାନିତ କରାଯିବ । ତେବେ ଏହି ଯବାନ ଜଣଙ୍କ ହେଉଛନ୍ତି, ସହିଦ ନଜିର ବାନି । ଯିଏକି ଆତଙ୍କବାଦୀଙ୍କ ସହ ଲଢିବା ବେଳେ ସହିଦ ହୋଇଥିଲେ । ଆଉ ସବୁଠାରୁ ବଡ କଥା ହେଉଛି, ଏହି ଏନକାଉଣ୍ଟର ସମୟରେ ତାଙ୍କୁ ଗୁଳି ମଧ୍ୟ ଲାଗିଥିଲା, ଏହା ପରେ ମଧ୍ୟ ସେ ଅନେକ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ନଜିର ବାନି ପ୍ରଥମେ ଜଣେ ଆତଙ୍କବାଦୀ ଥିଲେ । କିନ୍ତୁ ପରେ ପରେ ସେ ସେନାରେ ସାମିଲ ହେବା ସହ ଆତଙ୍କବାଦୀ ମାନଙ୍କୁ ନିପାତ କରିଥିଲେ । ନଦିର ବାନିଙ୍କ ବିଷୟରେ କୁହାଯାଏ ଯେ, ସେ ପୂର୍ବରୁ ‘ଇଖ୍ୱାନ’ ଥିଲେ । ‘ଇଖ୍ୱାନ’ ସହ ଯୋଡି ହୋଇଥିବା ଲୋକମାନେ ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇର ଏକ ଆତଙ୍କବାଦୀର ସଂଗଠନର ସଦସ୍ୟ ଥିଲେ । ଯାହାକି ପରେ ପରେ ହିଜବୁଲ ମୁଜାହିଦିନ ଭଳି ସଂଗଠନ ସହ ଯୋଡି ହୋଇଥିଲା । କୁହାଯାଉଛି ଯେ, ନଜିର ବାନି ମଧ୍ୟ ଏହି ଆତଙ୍କବାଦ ସଂଗଠନର ଜଣେ ସଦସ୍ୟ ଥିଲେ ।

ଦୁଇ ବର୍ଷ ଧରି ଆତଙ୍କବାଦର ରାସ୍ତାରେ ଚାଲିବା ପରେ, ସେ ଏପରି ଅନୁଭବ କରିଥିଲେ, ବନ୍ଧୁକର ସାହାର ନେଇ କୌଣସି ଲକ୍ଷ୍ୟସ୍ଥଳରେ ପହଞ୍ଚି ହେବ ନାହିଁ । ଏହା ପରେ ସେ ୨୦୦୪ ମସିହାରେ ଆତ୍ମସମର୍ପଣ କରିଥିଲେ । ଆଉ ଏହାର କିଛି ଦିନ ପରେ ନଜିର ବାନି ଭାରତୀୟ ସେନାରେ ସାମିଲ ହୋଇଥିଲେ । ସେନାରେ ଥିବା ସମୟରେ, ସେ ଅନେକ ଆତଙ୍କୀଙ୍କୁ ନିପାତ କରିବାରେ ଭାରତୀୟ ସେନାକୁ ସହଯୋଗ କରିଛନ୍ତି । ଏହି ସାହସିକତା ପାଇଁ ତାଙ୍କୁ ଦୁଇ ଦୁଇ ଥର ସେନା ମେଡାଲ ମଧ୍ୟ ମିଳିଛି ।