ନାଗାସାଧୂଙ୍କ ରହସ୍ୟ ଜୀବନ ! ଫୁଙ୍ଗୁଳା ଶରୀର ସାଙ୍ଗକୁ ଦେହରେ ମଶାଣୀ ପାଉଁଶ ବୋଳି କୁମ୍ଭମେଳାରେ ଏଭଳି ଉପାୟରେ ଜଣେ ସାଧୂ ପାଲଟନ୍ତି ନାଗାସାଧୂ ।

156

ପ୍ରୟାଗରାଜରେ ବର୍ତ୍ତମାନ ଉତ୍ସବର ମାହୋଲ୍ । ଚାରିଆଡେ କୁମ୍ଭମେଳାର ରଙ୍ଗରେ ବିଭୋର ଶ୍ରଦ୍ଧାଳୁ । ରାଜକୀୟ ସ୍ନାନ ଯାହା ସାହି ସ୍ନାନ ନାମରେ ଚର୍ଚ୍ଚିତ ଏହାକୁ ଦେଖି ହଜାର ହଜାର ଭକ୍ତଙ୍କ ମନରେ ଆତ୍ମତୃପ୍ତି ଭରିଯାଇଛି । କିନ୍ତୁ ସାହି ସ୍ନାନ ପରିବର୍ତ୍ତେ ଏହି ମେଳାର ସବୁଠାରୁ ଅଧିକ ଆକର୍ଷଣ ଥିଲା ନାଗା ସାଧୂଙ୍କ ସିଦ୍ଧି । ନାଗା ସାଧୂଙ୍କ ଜୀବନଶୈଳୀ ସବୁ ସାଧୁସନ୍ଥଙ୍କ ଜୀବନଠାରୁ ଅଧିକ କଷ୍ଟକର । ଯାହାଙ୍କ ସଂବନ୍ଧ ସଦାଶିବ ପରମ୍ପରା ସହ ସ୍ଥାପନା କରାଯାଏ । ତେବେ ଆସନ୍ତୁ ଜାଣିବା କିଭଳି ଜଣେ ସାଧୂ ନାଗାସାଧୂ ପାଲଟନ୍ତି । କିପରି ହୋଇଥାଏ ତାଙ୍କ ଜୀବନଶୈଳୀ ।

 

୧୩ ଆଖଡାକୁ ମିଶି ପ୍ରସ୍ତୁତ ହୋଇଥାନ୍ତି ନାଗା ସାଧୂ :

କୁମ୍ଭମେଳାରେ ସାମିଲ ହୋଇଥିବା ୧୩ ଟି ଆଖଡା ମଧ୍ୟରୁ ସବୁଠାରୁ ଅଧିକ ନାଗାସାଧୂ ଜୁନା ଆଖଡାରୁ ପ୍ରସ୍ତୁତ ହୋଇଥାନ୍ତି । ନାଗାସାଧୂ ହେବା ପୂର୍ବରୁ ତାଙ୍କୁ ଅନେକ ଗୁଡିଏ ପରିକ୍ଷାର ସାମ୍ନା କରିବାକୁ ପଡିଥାଏ । ଉକ୍ତ ସାଧୂ ଏବଂ ତାଙ୍କ ପରିବାରର ସମ୍ପୁର୍ଣ୍ଣ ଜାଞ୍ଚ୍ କରିବାକୁ ପଡିଥାଏ । ତାଙ୍କୁ କେତେବର୍ଷ ପର୍ଯ୍ୟନ୍ତ ନିଜ ଗୁରୁଙ୍କ ସେବା ମଧ୍ୟ କରିବାକୁ ପଡିଥାଏ । ଏହାସହ ନିଜର ସବୁ ଇଚ୍ଛାକୁ ମଧ୍ୟ ତ୍ୟାଗ କରିବାକୁ ପଡିଥାଏ ।

କିଭଳି ଜଣେ ସାଧୂ ପାଲଟନ୍ତି ନାଗାସାଧୂ :

ଇତିହାସ ପୃଷ୍ଠାରେ ନାଗାସାଧୂଙ୍କ ଅସ୍ତିତ୍ୱ ସବୁଠାରୁ ଅଧିକ ପ୍ରାଚୀନ ଅଟେ । ନାଗାସାଧୂ ହେବା ପାଇଁ ମହାକୁମ୍ଭ ସମୟରେ ହିଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଏଥିପାଇଁ ତାଙ୍କୁ ବ୍ରହ୍ମଚର୍ଯ୍ୟର ପରୀକ୍ଷା ଦେବାକୁ ପଡିଥାଏ । ଏଥିରେ ୬ ମାସରୁ ନେଇ ୧୨ ବର୍ଷର ସମୟ ଲାଗିଯାଏ । ଏହି ପରୀକ୍ଷା ପାସ୍ କରିବା ପରେ ବ୍ୟକ୍ତିଙ୍କୁ ମହାପୁରୁଷର ସମ୍ନାନ ଦିଆଯାଇଥାଏ । ତାଙ୍କ ପାଇଁ ୫ ଗୁରୁ ଭଗବାନ ଶିବ,ଭଗବାନ ବିଷ୍ଣୁ,ଶକ୍ତି,ସୂର୍ଯ୍ୟ ଏବଂ ଗଣେଷ ନିର୍ଧାରିତ କରାଯାଇଥାନ୍ତି । ଏହାପରେ ତାଙ୍କ ଚୁଟି କଟାଯାଇଥାଏ । କୁମ୍ଭମେଳା ସମୟରେ ଏହି ସାଧୂଙ୍କୁ ୧୦୮ ଥର ଗଙ୍ଗାନଦୀରେ ବୁଡାଯାଏ ।

ମହାପୁରୁଷ ପରେ ଏଭଳି ହୁଅନ୍ତି ଅବଧୂତ :

ମହାପୁରୁଷ ପରେ ନାଗାସାଧୂଙ୍କ ଅବଧୂତ ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଏ । ସେମାନଙ୍କୁ ସ୍ୱୟଂର ଶ୍ରାଦ୍ଧ କରି ପିଣ୍ଡଦାନ କରିବାକୁ ପଡିଥାଏ । ଏହି ସମୟରେ ସାଧୂ ହେବା ଲୋକଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଉଲଗ୍ନ ହୋଇ ଆଖଡାର ପତାକା ତଳେ ଠିଆ ହେବାକୁ ପଡିଥାଏ । ପରୀକ୍ଷାରେ ସଫଳ ହେବା ପରେ ସେ ସାଧୂରୁ ପାଲଟିଯାଆନ୍ତି ନାଗାସାଧୂ ।

କେଉଁ ସ୍ଥାନରେ ପ୍ରସ୍ତୁତ ହୁଅନ୍ତି ନାଗାସାଧୂ ?

କୁମ୍ଭର ଆୟୋଜନ ହରିଦ୍ୱାରରେ ଗଙ୍ଗା,ଉଜ୍ଜେନରେ ସିପ୍ରା,ନାସିକରେ ଗୋଦାବରୀ ଏବଂ ଆହ୍ଲାବାଦରେ ତ୍ରିବେଣୀ ସଂଗମର ମିଳନରେ ହୋଇଥାଏ । ଏହି ଚାରି ପବିତ୍ର ସ୍ଥାନରେ ନାଗାସାଧୂ ରୁପେ ଜଣେ ସାଧୂ ପ୍ରକଟିତ ହୋଇଥାନ୍ତି । ମାନ୍ୟତା ଅଛି କି ଏହି ଚାରି ସ୍ଥାନରେ ଅମୃତର ବୁନ୍ଦା ପଡିଥିଲା ତେଣୁ ଏହି ସ୍ଥାନକୁ ହିଁ କୁମ୍ଭମେଳା ପାଇଁ ଚୟନ କରାଯାଏ ।

ନାଗାସାଧୂଙ୍କ ନାମ :

ଭିନ୍ନ ଭିନ୍ନ ସ୍ଥାନରେ ନାଗା ସାଧୂଙ୍କ ଦୀକ୍ଷା ନେବାକୁ ଅଲଗା ନାମରେ ଜଣାଯାଇଥାଏ ।

୧ . ପ୍ରୟାଗରାଜରେ ଦୀକ୍ଷା ନେଇଥିବା ସାଧୂଙ୍କୁ ‘ନାଗା’ ସାଧୂ ବୋଲି କୁହାଯାଏ ।

୨ . ହରିଦ୍ୱାରରେ ଦୀକ୍ଷା ନେଇଥିବା ସାଧୂଙ୍କୁ ‘ ବର୍ଫାନୀ ନାଗା’ ସାଧୂ ବୋଲି କୁହାଯାଏ ।

୩ . ଉଜ୍ଜେନରେ ଦୀକ୍ଷା ନେଇଥିବା ସାଧୂଙ୍କୁ ‘ ଖୁନୀ ନାଗା’ ସାଧୂ ବୋଲି କୁହାଯାଏ ।

୪ . ନାସିକରେ ଦୀକ୍ଷା ନେଇଥିବା ସାଧୂଙ୍କୁ ‘ ଖିଚାଡିଆ ନାଗା’ ସାଧୂ ବୋଲି କୁହାଯାଏ ।

ଶରୀରରେ ଲଗାନ୍ତି ପାଉଁଶ :

ନାଗାସାଧୂ ହେବା ପରେ ଜଣେ ଶ୍ମଶାନରୁ ଆଣିଥିବା ଭସ୍ମକୁ ଶୁଦ୍ଧ କରି ନିଜ ଦେହରେ ବୋଳି ହୋଇଥାନ୍ତି , ଯଦି ଶ୍ମଶାନ ଭସ୍ମ ନ ମିଳେ ତେବେ ଯଜ୍ଞ ଭସ୍ମକୁ ବୋଳି ହୁଅନ୍ତି । ବେକ ଏବଂ ହାତରେ ରୁଦ୍ରାକ୍ଷ ମାଳା ଏବଂ ଫୁଲ ପକାନ୍ତି । କେବଳ ଭୂମିତଳେ ଶୁଅନ୍ତି ।
ନାଗାସାଧୂଙ୍କ ଜୀବନ ଖୁବ୍ ରହସ୍ୟମୟୀ । କୁମ୍ଭମେଳା ଶେଷ ହେବା ପରେ ସେମାନେ କେଉଁଆଡେ ଚାଲିଯାନ୍ତି ତାହା ଆଜି ବି କେହି କହିପାରୁନାହାନ୍ତି । କୁହାଯାଏ ରାତି ଅଧରେ ଜଙ୍ଗଲ ରାସ୍ତା ଦେଇ ସେମାନେ କୁଆଡେ ଚାଲିଯାନ୍ତି । ସମୟ ସମୟରେ ନିଜ ସ୍ଥାନ ପରିବର୍ତ୍ତନ କରୁଥିବା ନାଗାସାଧୂ ଗୁପ୍ତ ସ୍ଥାନରେ ରହି ନିଜ ତପଜପ କରିଥାନ୍ତି ।