କଲେକ୍ଟରଙ୍କ ପାଇଁ କଲମଛାଡ଼ ! ଜିଲ୍ଲା ବାହାରକୁ ବ୍ୟାପିଲା କିରାଣୀ ନିଲମ୍ବନର ନିଆଁ

54

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାପାଳଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି ଅମଲା । ଆଉ ଆଜି ଏହାର ପ୍ରଭାବ ଦେଖିବାକୁ ମିଳିଛି ବିଧାନସଭାରେ । ଏହାର ପ୍ରତିବାଦରେ ବାଚସ୍ପତିଙ୍କ ମାଇକ୍କୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିଜେପି ବିଧାୟକ । କୋରାପୁଟର ୧୧ଜଣ ଅମଲାଙ୍କ ବିରୋଧରେ ଜିଲ୍ଲାପାଳ ଜୟକୁମାର ଭି.ଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ ବରିଷ୍ଠ ବିଜେପି ବିଧାୟକ ରବି ନାଏକ ।

ପଂଚାୟତ ନିର୍ବାଚନ ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଓହ୍ଲାଇବା ପାଇଁ ଅନୁମତି ଦେଇ ବିବାଦରେ ଫସିଯାଇଛନ୍ତି ତଳିଆ ଅମଲାମାନେ । ନିଷ୍ପତି ନେଲେ ଅତିରିକ୍ତ ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳ । ମାତ୍ର ନିଲମ୍ବନ କରାଗଲା ଜିଲ୍ଲାପାଳଙ୍କ ପ୍ରମୁଖ କିରାଣୀ କୃଷ୍ଣଚନ୍ଦ୍ର ପ୍ରଧାନ ଓ ପରେ ପରେ ଅନ୍ୟ ୧୦ଜଣ କିରାଣୀଙ୍କୁ । ଆଉ ଏହାର ପ୍ରତିବାଦରେ ୯ ଦିନ ହେଲା କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରି ଧାରଣାରେ ବସିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ । ସବୁ କାମ ଠପ୍ ହୋଇଯାଇଛି । ଏହାର ପ୍ରଭାବରେ ଆଜି କେନ୍ଦୁଝର, ଯାଜପୁର, ଅନୁଗୁଳ, ଜଗତ୍ସିଂହପୁର ଭଳି ୧୨ଟି ଜିଲ୍ଲାକୁ ବ୍ୟାପିଛି କଲମ ଛାଡ଼ ଆନ୍ଦୋଳନ ।

କୋରାପୁଟର ବିବାଦୀୟ ଜିଲ୍ଲାପାଳ ଜୟକୁମାର ଭି.ଙ୍କର ନିଜ ରାଜ୍ୟ ହେଉଛି ତାମିଲନାଡୁ । କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କର୍ମଚାରୀମାନେ ଟି-ସାର୍ଟ ଓ ଜିନ୍ସ ପିନ୍ଧି ଆସିପାରିବେ ନାହିଁ ବୋଲି ୨୦୧୬ ମସିହା ଜୁଲାଇ ମାସରେ ଆଦେଶ ଦେଇ ବିବାଦରେ ଫସିଥିଲେ ଜୟକୁମାର ।

ସେହିଭଳି ୨୦୧୫ ମସିହା ଅଗଷ୍ଟ ମାସରେ ବେଆଇନ ଭାବେ ଭିନ୍ନକ୍ଷମ ଶିକ୍ଷକମାନଙ୍କୁ ଦୂରସ୍ଥାନକୁ ବଦଳି ନିର୍ଦ୍ଦେଶ ଦେଇ ବିବାଦକୁ ଆସିଥିଲେ ସେ । ପୌରପାଳିକାର ଲାଇଟ୍ କିଣାରେ ବି ୨୦୧୫ ମସିହାରେ ଆସିଥିଲା ଅଭିଯୋଗ । ଏସବୁ ସତ୍ୱେ ତୃତୀୟ ମହଲାର ଆଶୀର୍ବାଦରେ ସେ ତିଷ୍ଠି ରହିଥିବା ଅଭିଯୋଗ ଆସିଛି ।