ଜମୁଛି ବିଶ୍ୱ ଐତିହ୍ୟ କୌଣାର୍କ ମହୋତ୍ସବ । ଓଡ଼ିଶୀ ଏବଂ ଶାସ୍ତ୍ରୀୟ ନୃତ୍ୟ ସହ ଦର୍ଶକଙ୍କ ମନମୋହୁଛି ବାଲୁକା ଶିଳ୍ପୀଙ୍କ ବାଲୁକା କଳା

62

କନକ ବ୍ୟୁରୋ: କୋଣାର୍କ ଚନ୍ଦ୍ରଭାଗାର ବେଳାଭୂମିର ମୁକ୍ତାକାଶ ରଙ୍ଗମଂଚରେ ଜମୁଛି ବିଶ୍ୱ ଐତିହ୍ୟ କୌଣାର୍କ ମହୋତ୍ସବ । ପାଂଚ ଦିନ ବ୍ୟାପି ଆୟୋଯିତ ଏହି ଉତ୍ସବରେ ସାମିଲ ହେଉଛନ୍ତି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ନୃତ୍ୟଶିଳ୍ପୀ । ପ୍ରତ୍ୟେକ ସଂଧ୍ୟାରେ ଓଡ଼ିଶୀ ଏବଂ ଶାସ୍ତ୍ରୀୟ ନୃତ୍ୟ ସହ ବେଳାଭୁମିରେ ବାଲୁକା ଶିଳ୍ପୀଙ୍କ ବାଲୁକା କଳା ଦର୍ଶକଙ୍କ ମନମୋହୁଛି ।

ଅର୍କକ୍ଷେତ୍ର କୋଣାର୍କ ଫେଷ୍ଟିଭାଲରେ ଓଡ଼ିଶୀ, କୁଚିପୁଡ଼ି ଓ ଶାସ୍ତ୍ରୀୟ ନୃତ୍ୟର ଝଲକ୍ ଦେଖିବାକୁ ମିଳିଛି । ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଯେତିକି ସୁନ୍ଦର ସେତିକି ସୁନ୍ଦର ସ୍ୱର୍ଣ୍ଣିମ ବେଳାଭୁମିର ବାଲୁକା କଳା ପଦର୍ଶନ । ଉତ୍ସବର ଚତୁର୍ଥ ସଂଧ୍ୟାରେ ନାଚଗୀତ ସହ ବାଲୁକା କଳା ପ୍ରଦର୍ଶନ କରାଯାଇଛି । ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ବାଲୁକା ଶିଳ୍ପୀମାନେ ମହିଳା ଶସ୍ତ୍ରୀକରଣ ଉପରେ ବାର୍ତା ପ୍ରେରଣ କରିଛନ୍ତି । ଆଜିର ସମାଜରେ କିଭଳି ମହିଳାମାନେ ଆଗକୁ ଯାଇପାରିବେ ।

ଅନ୍ୟ ଦେଶ ତୁଳନାରେ ଆମ ଦେଶର ମହିଳାମାନେ ନିଜ ଭିତରେ ଇଚ୍ଛା ରଖି ଆଗକୁ ବଢିବେ , ତାହା ଉପରେ ଲୋକଙ୍କୁ ସଚେତନତାର ବାର୍ତା ଦେଇଛନ୍ତି ବାଲୁକାଶିଳ୍ପୀ । ‘ବେଟି ବଚାଓ ବେଟି ପଢାଓ’କୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟକୁ ଏହି ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମୁଛି ।

ଶୀତୁଆ ସଂଧ୍ୟାକୁ ବେଳାଭୁମିରେ ଆୟୋଜିତ କୋଣାର୍କ ଫେଷ୍ଟିଭାଲ ବୁଲିବାର ମଜା ଲୋକଙ୍କୁ ଢେରସାରା ମନୋରଂଜନ ଦେଇଛି । ତା ସାଙ୍ଗକୁ ବାଲୁକା କଳା ଲୋକଙ୍କ ଆନନ୍ଦକୁ ଦ୍ୱିଗୁଣିତ କରିଛି ।