ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ : ମହାପ୍ରଭୁଙ୍କ ଏହି ବିଶେଷ ନୀତିର ମହାତ୍ମ୍ୟ କ’ଣ ?

224

କନକ ବ୍ୟୁରୋ : ପୁରୁଷୋତ୍ତମ କ୍ଷେତ୍ରରେ କେଉଁ ଅନାଦି କାଳରୁ ଶ୍ରୀବିଗ୍ରହମାନଙ୍କ ଏହି ପହଣ୍ଡି ବିଜୟ ହୋଇଛି, ତାହା ଏବେ ମଧ୍ୟ ଅଜ୍ଞାତ ରହିଛି । ପହଣ୍ଡି ଶବ୍ଦଟି ସଂସ୍କୃତରେ ‘ପାଦହୁଣ୍ଡନ’ ବା ‘ପାଦ ହୁଣ୍ଡ’ ଶବ୍ଦରୁ ସୃଷ୍ଟି । ପାହୁଣ୍ଡ ପାହୁଣ୍ଡ ହୋଇ ଚାଲିବାକୁ ବା ଆକ୍ଷରିକ ଅର୍ଥରେ ଗୋଟିଏ ଗୋଟିଏ ପାଦ ପକେଇ ଚାଲିବାକୁ ପହଣ୍ଡି କୁହାଯାଏ । କେତେକ ଗବେଷକଙ୍କ ମତରେ ଏହା ପାହୁଣ୍ଡ ଶବ୍ଦର ଅପଭ୍ରଂଶ । ସମ୍ଭବତଃ ସ୍ନାନ ଓ ରଥଯାତ୍ରାର ଆରମ୍ଭ କାଳରୁ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇ ଆସୁଅଛି ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁଇଟି ମୁଖ୍ୟ ଯାତ୍ରା ଯଥା ସ୍ନାନ ଯାତ୍ରା ଓ ଶ୍ରୀ ଗୁଣ୍ଡିଚା ଯାତ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀ ବିଗ୍ରହମାନେ ପହଣ୍ଡି ବିଜେ କରିଥାନ୍ତି । ଏହି ଦୁଇ ଯାତ୍ରାରେ ସର୍ବମୋଟ ୬ଥର ପହଣ୍ଡି ହୋଇଥାଏ । ତନ୍ମଧ୍ୟରେ(୧) ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନରୁ ସ୍ନାନ ଯାତ୍ରା ପାଇଁ ଆନନ୍ଦ ବଜାରରେ ଥିବା ସ୍ନାନ ମଣ୍ଡପକୁ ବିଜେ, (୨) ସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ବିଳମ୍ବିତ ରାତ୍ରରେ ସ୍ନାନ ମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ,(୩) ଶ୍ରୀଗୁଣ୍ଡିଚା ଦିନ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଥିବା ତିନି ରଥକୁ ବିଜେ,(୪) ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥ ଉପରୁ ଗୁଣ୍ଡିଚା ଘର ସିଂହାସନକୁ ବିଜେ (୫) ବାହୁଡା ଯାତ୍ରା ଦିନ ଗୁଣ୍ଡିଚା ଘର ଠାରୁ ତିନି ରଥକୁ ବାହୁଡା ବିଜେ ଏବଂ (୬) ନୀଳାଦ୍ରି ବିଜୟ ଦିନ ସିଂହଦ୍ୱାର ଠାରେ ରଥ ଉପରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନକୁ ବିଜେ କରିଥାନ୍ତି ।

ମହାପ୍ରଭୁମାନଙ୍କର ଏହି ୬ଗୋଟି ପହଣ୍ଡି ମଧ୍ୟରୁ ତିନି ଥର ଗୋଟି ପହଣ୍ଡି ଓ ତିନି ଥର ‘ଧାଡି ପହଣ୍ଡି’ ହୋଇଥାଏ । ଶ୍ରୀବିଗ୍ରହମାନଙ୍କ ସମସ୍ତ ବିଜେ ସମୟର ଧାଡି ପହଣ୍ଡ ଓ ବାହୁଡା ବିଜେ ଗୁଡିକ ସମୟରେ ଗୋଯି ପହଣ୍ଡି ଅନୁଷ୍ଠିତ ହୋଇଥାଏ । ଗୋଟି ପହଣ୍ଡିରେ ଏକ ମୂର୍ତ୍ତି ଠାକୁର ବିଜେ ହୋଇ ଉଦ୍ଦିଷ୍ଟ ସ୍ଥାନରେ ପହଂଚିବା ପରେ ଅନ୍ୟ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ । କିନ୍ତୁ ଧାଡି ପହଣ୍ଡି ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କରନ୍ତି । ଶ୍ରୀବିଗ୍ରହମାନଙ୍କ ଏହି ପହଣ୍ଡି ବିଜେ ସମୟରେ ଓ ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ନୀତି ସଂପନ୍ନ ହୋଇଥାଏ । ଜ୍ୟେଷ୍ଠ ପୂର୍ଣର୍ିମା ଦିନ ପ୍ରତ୍ୟୁଷରୁ ରତ୍ନ ସିଂହାସନରେ ମହାପ୍ରଭୁମାନଙ୍କର କେବଳ ମଙ୍ଗଳାର୍ପଣ କରାଯାଇ ସର୍ବପ୍ରଥମେ ଶ୍ରୀ ସୁଦର୍ଶନ ଓ ପରେ ପରେ ଶ୍ରୀ ବଳଭଦ୍ର, ଶ୍ରୀସୁଭଦ୍ରା, ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥାଏ ।

ଶ୍ରୀ ସୁଦର୍ଶନ ଓ ଶ୍ରୀ ସୁଭଦ୍ରା ଦଇତାପତିମାନଙ୍କର ହସ୍ତ ସ୍କନ୍ଧାବଲମ୍ବ ପୂର୍ବକ ପହଣ୍ଡି ବିଜେ ହୋଇ ରଥାରୋହଣ କରିଥିବାବେଳେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ପାଟ ଡୋରିରେ ବା ରଜ୍ଜୁ ଦ୍ୱାରା ଆକର୍ଷଣ କରି ଧିରେ ଧିରେ ପହଣ୍ଡି ବିଜେ କରାଇଥାନ୍ତି । ପହଣ୍ଡି ବିଜେ ପୂର୍ବରୁ ବାଡରେ ଯଥାକ୍ରମେ ପୂଜାପଣ୍ଡା ଜଗନ୍ନ୍ାଥଙ୍କ ବାଡରେ, ମୁଦିରସ୍ତ ବଳଭଦ୍ରଙ୍କ ବାଡରେ ଓ ପତି ମହାପାତ୍ର ସୁଭଦ୍ରାଙ୍କ ବାଡରେ ମଙ୍ଗଳାର୍ପଣ କରିଥାନ୍ତି । ଗରାବଡୁ ସେବକ ମଙ୍ଗଳାର୍ପଣର ସମସ୍ତ ଜିନିଷ ମାନ ନୀତି ସଂପୃକ୍ତ ସେବକଙ୍କ ହାତକୁ ବଢ଼ାଇଥାନ୍ତି । ମଙ୍ଗଳାର୍ପଣ ସମୟରେ ସୁଦ୍ଧ ସୁଆର ଓ ଭଣ୍ଡାର ମେକାପ ମଧ୍ୟ ସେଠାରେ ଉପସ୍ଥିତ ଥାଇ ଉକ୍ତ ନୀତିରେ ଅଂଶଗ୍ରହଣ କରିଥାନ୍ତି । ବାଡଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ଦଇତା ସେବକମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥାନ୍ତି ।

ଶ୍ରୀବିଗ୍ରହମ।ନଙ୍କ ପବିତ୍ର ପହଣ୍ଡି ବିଜେ ସମୟରେ ପ୍ରଥମେ ବିଜେ କାହାଳୀ ବାଜିବା ପରେ ଘଣ୍ଟୁଆ, କାହାଳିଆ , ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ଆଦି ତାଳ ସହକାରେ ବାଜେ । ଭକ୍ତ ତଥା ଦର୍ଶନାର୍ଥୀମାନେ ଏହି ସମୟରେ ପୁଷ୍ପ ବର୍ଷଣ କରିବା ସଙ୍ଗେ ସଙ୍ଗେ ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମଗ୍ର ପରିବେଶକୁ ଆନନ୍ଦ ମୁଖରିତ କରିଥାନ୍ତି । ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟାନ୍ୟ ସେବକମାନେ ଡୋରି ଧରିଥାନ୍ତି । ଛାମୁ ଖୁଣ୍ଟିଆ ସେବକ ପହଣ୍ଡି ତଥା ଠାକୁରମାନଙ୍କ ଆଗରେ ବେତ ଧରି ମଣିମା ଶ୍ରୀଅଙ୍ଗକୁ ସାବଧାନ ! ବୋଲି ଉଚ୍ଚାରଣ କରି ଠାକୁରଙ୍କ ଆଗେ ଆଗେ ଯୋଡି ବେତ ବାଡେଇ ଚାଲିଥାନ୍ତି । ଏହି ପବିତ୍ର ପହଣ୍ଡି ବିଜେରେ ଅଂଶଗ୍ରହଣ କରୁଥିବା ସେବକମାନେ କେତେକ ନିଷ୍ଠାପରତା ଅବଲମ୍ବନ କରିଥାନ୍ତି, ଯଥା ନିଶ ରଖିବେ ନାହିଁ, ଅଶୈାଚ ହୋଇ କିମ୍ବା ସାର୍ଟ ପ୍ୟାଣ୍ଟ ପିନ୍ଧି ମହାପ୍ରଭୁଙ୍କ ପହଣ୍ଡି ନୀତିରେ ଅଂଶଗ୍ରହଣ କରିପାରିବେ ନାହିଁ । ଚତୁର୍ଦ୍ଧାମୂର୍ତ୍ତି ସାତ ପାହାଚ ଉପରକୁ ପରାମ୍ପରା କ୍ରମେ ବିଜେ ହୋଇ ଆସିବା କ୍ଷଣି ରାଘବଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୋଲ, ଜରି, ତୁଳସୀ, ଫୁଲ ଓ ବାଉଁଶ ପାତିଆରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଟାହିୟା ଠାକୁରମାନଙ୍କ ଶ୍ରୀମସ୍ତକରେ ଲାଗି କରାଯାଏ ଏବଂ କେତେକ ନିର୍ଦ୍ଦିଷ୍ଟ ମଠ ମାନଙ୍କ ପକ୍ଷରୁ ପନ୍ତି ଭୋଗ ଓ ଚାମର, ଆଲଟ ସେବା କରାଯାଇଥାଏ । ଘଣ୍ଟୁଆ ସେବକମାନେ ତାଳରେ ଘଣ୍ଟ ବଜାଇବା ସହିତ ପଖାଉଜ ବାଦ୍ୟ ଓ ଆଗେ ଆଗେ ଗୋଟିପୁଅ ନୃତ୍ୟ ତଥା ଉପସ୍ଥିତ ଜନତାଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠେ । ମହାପ୍ରଭୁମାନଙ୍କ ଏହି ନୟନାନନ୍ଦଦାୟକ ପହଣ୍ଡି ବିଜୟ ଦର୍ଶନ କରିବା ପାଇଁ ଇଚ୍ଛୁକ ଭକ୍ତ ତଥା ଦର୍ଶନାର୍ଥୀମାନେ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିକ୍ରୟ କରାଯାଉଥିବା ପହଣ୍ଡି ଦର୍ଶନ ଟିକେଟ କିଣି ଶ୍ରୀମନ୍ଦିର ଭିତର ବେଢ଼ାକୁ ପ୍ରବେଶ କରିଥାନ୍ତି । ରଥଯାତ୍ରା ଦିନ ଠାକୁରମାନଙ୍କ ମଙ୍ଗଳଆରତୀ, ଅବକାଶ, ଖେଚେଡି ଭୋଗ, ମଙ୍ଗଳାର୍ପଣ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ମହାପ୍ରଭୁମାନେ ଅଣସର ପିଣ୍ଡି ବା ଭିତର କାଠ ନିକଟରେ ଚକା ଉପରେ ଉପବେଶନ କରିଥାନ୍ତି । ପହଣ୍ଡି ବିଜେ ସମୟରେ ଭିତର ବେଢ଼ା ଓ ଆନନ୍ଦ ବଜାର ମଧ୍ୟ ଦେଇ ବାଇଶି ପାହାଚ ଉପରେ ଠାକୁର ମାନଙ୍କ କେତେକ ନିର୍ଦ୍ଦିଷ୍ଟ ମଠ, ସେବାୟତ ଓ ନିଯୋଗ ପକ୍ଷରୁ ପଣା ଓ ପନ୍ତୀ ଭୋଗ ଇତ୍ୟାଦି କରାଯାଇଥାଏ । ଶ୍ରୀସୁଦର୍ଶନ ଓ ଶ୍ରୀ ସୁଭଦ୍ରା, ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥ ଯଥାକ୍ରମେ ଦେବଦଳନ, ତାଳଧ୍ୱଜ, ନନ୍ଦିଘୋଷ ରଥ ଉପରେ ଅଧିଷ୍ଠିତ ହୋଇଥାନ୍ତି । ପହଣ୍ଡି ଶେଷ ହେବାପରେ ପୁଷ୍ପାଳକ ମହାଜନମାନେ ମଦନ ମୋହନଙ୍କୁ ଜଗନ୍ନାଥ ରଥରେ ଓ ରାମକୃଷ୍ଣ ବିଗ୍ରହ ଦ୍ୱୟଙ୍କୁ ବଳଭଦ୍ର ରଥରେ ବିଜେ କରାଇଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ , ବାହୁଡା ବିଜେ ସମୟରେ ପତି ମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀବିଗ୍ରହମାନଙ୍କୁ ଘଷା, ଧଣ୍ଡି, ବିଡିଆ ଆଦି ଅର୍ପଣ କରାଯାଇଥାଏ । ଏତଦ୍ ବ୍ୟତୀତ ବାହୁଡା ଦିନ ଗୁଣ୍ଡିଚା ମନ୍ଦିରରେ ଠାକୁରମାନେ ପହଣ୍ଡି ବିଜେ କରି ଭିତର ବେଢ଼ାରେ ପହଂଚିବା ପରେ ମୁକ୍ତି ମଣ୍ଡପ ପକ୍ଷରୁ ଏକ ପନ୍ତୀ ଭୋଗ ହୋଇଥାଏ ଓ ରାଘବ ଦାସ ମଠ ପ୍ରଦତ୍ତ ଫୁଲ ଟାହିୟା ଲାଗି ହୋଇଥାଏ । ମହାପ୍ରଭୁମାନଙ୍କ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିରର କୋଠ ସୁଆଁସିଆ ସେବକମାନେ ଗୁଣ୍ଡିଚା ମନ୍ଦିର ରତ୍ନ ସିଂହାସନ ଓ ସ୍ନାନ ପୂର୍ଣିମାରେ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଠାରେ ଚାରମାଳ ବାନ୍ଧିଥାନ୍ତି । ସିଂହାସନରୁ ଏହି ଚାରମାଳ ଉପରେ ଠାକୁରମାନେ ଧିରେ ଧିରେ ପହଣ୍ଡି ବିଜେ କରିଥାନ୍ତି । ଏଠାରେ ମଧ୍ୟ ପତି ମହାପାତ୍ର ଓ ମୁଦିରସ୍ତ ସେବକମାନଙ୍କ ସ୍ୱତନ୍ତ୍ର ନୀତିରେ ଆବଶ୍ୟକତା ପଡିଥାଏ । ଦଇତାପତି, ପୂଜାପଣ୍ଡା , ମହାସୁଆର , ପ୍ରତିହାରୀ ପ୍ରମୁଖ ସେବକମାନେ ଦୁଇ ମୁଖ୍ୟ ବିଗ୍ରହଙ୍କ ସ୍କନ୍ଧ ଶ୍ରୀମସ୍ତକ, ଶ୍ରୀଭୁଜ ତଳେ ରହିବା ସଙ୍ଗେ ସଙ୍ଗେ ପାଟ ଡୋରିର ଆଗ ଓ ପଛରେ ରହି ଧିରେ ଧିରେ ପହଣ୍ଡି ବିଜେ କରିଥାନ୍ତି । କିନ୍ତୁ ଶ୍ରୀସୁଦର୍ଶନ ଓ ଶ୍ରୀସୁଭଦ୍ରା ଦେବୀଙ୍କୁ ଦଇତାପତି ସେବକମାନେ ହସ୍ତ ଓ ସ୍କନ୍ଧରେ ବହନ କରି ବିଜେ କରାଇଥାନ୍ତି । ପହଣ୍ଡି ବିଜେ ପୂର୍ବରୁ ଚାରିବାଡର ବାଡଗ୍ରାହୀ ଦଇତା ସେବକମାନେ ଉପସ୍ଥିତ ହୋଇଥାନ୍ତି ଓ ପହଣ୍ଡି ସତତପୂର୍ବ ନୀତିରେ ଅଂଶଗ୍ରହଣ କରିଥାନ୍ତି ।

ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେରୁ ତତ୍କାଳୀୟ ସଂସ୍କୃତିର ମହାନତାର ପରିଚୟ ମିଳେ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ତଥା ଜନସାଧାରଣ ହିନ୍ଦୁ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ବିଜେ ଦୃଶ୍ୟ ଦେଖି ଅଶେଷ ଆନନ୍ଦ ଲାଭ କରିଥାନ୍ତି ।