କ୍ୟାନସର ରୋଗୀଙ୍କୁ ସହାୟତାର ହାତ ବଢାଇଲେ କିନ୍ନର ସଂଘ ! ରୋଗୀଙ୍କ ଦୁଃଖ ଶୁଣିଲାନି ପ୍ରଶାସନ କିନ୍ତୁ ସହାୟତାର ହାତ ବଢାଇଲେ କିନ୍ନର ସଂଘ । 

25

କନକବ୍ୟୁରୋ: ଯୋଜନା ଉପରେ ଯୋଜନା ହେଉଛି । ସରକାର ଘୋଷଣା କରିଛନ୍ତି ଯେ, କ୍ୟାନସର ଓ କିଡନୀ ଭଲି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ ରୋଗୀମାନଙ୍କୁ ସରକାରଙ୍କ ପକ୍ଷରୁ ଅଧିକ ସହାୟତା ରାଶି ପ୍ରଦାନ କରାଯିବ । ତେବେ ପ୍ରକୃତରେ ରୋଗୀଙ୍କୁ ସହାୟତା ମିଳୁନଥିବା ବେଳେ ଅନେକ ଗୁଡିଏ ସଂଘ ସାହାଯ୍ୟ ଲାଗି ଆଗେଇ ଆସୁଛନ୍ତି । ଏପରି ଏକ ଖବର ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକରେ ଦେଖାଯାଇଛି ।

ବନ୍ତ ଅଞ୍ଚଳର ତଭୋଙ୍ଗ ଗ୍ରାମର ଦିନ ମଜୁରିଆ ନରେନ୍ଦ୍ର ଜେନାଙ୍କ ୧୪ ବର୍ଷର ପୁଅ ଯଯାତି କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଛି । ହଠାତ ପେଟରେ ଯନ୍ତ୍ରଣା ହେବାରୁ ମେଡିକାଲରେ ପରୀକ୍ଷା ହେବା ପରେ ଜଣାପଡିଥିଲା କି ଯଯାତି କ୍ୟାନସର ରୋଗରେ ପାଡିତ ହୋଇଛନ୍ତି । ବାପା ନରେନ୍ଦ୍ର ଦିନମଜୁରିଆ କାମ କରୁଥିବାରୁ ପୁଅର ଚିକିତ୍ସାଲାଗି ଆବଶ୍ୟକ ଅର୍ଥ ଯୋଗାଡ କରି ପାରୁନାହାନ୍ତି ।

ଚିକିତ୍ସା ହୋଇ ପାରୁନଥିବାରୁ ବାରଣ୍ଡାରେ ପଡିରହିଛନ୍ତି ଯଯାତି । ପ୍ରବଳ ଯନ୍ତ୍ରଣା ହେଉଥିବାରୁ ଆହାର ମଧ୍ୟ ଛାଡିସାରିଲେଣି ଯଯାତି । ତାଙ୍କର ଏକମାତ୍ର ପୁଅର ଏପରି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡିଲେଣି ବାପା ଓ ମା । ତେବେ ପୁଅର ଚିକିତ୍ସା ଲାଗି ଅନେକଙ୍କୁ ସାହାଯ୍ୟ ମାଗିଥିଲେ ମଧ୍ୟ କେହି ସାହାଯ୍ୟ କରିନଥିଲେ । ଏପରି କି ଜିଲ୍ଲା ପ୍ରଶାସନକୁ ଗୁହାରୀ କଲାପରେ ମଧ୍ୟ କୌଣସି ସହାୟତା ମିଳିନାହିଁ ।

କୌଣସି ସହାୟତା ନପାଇ ଦୁଃଖରେ ଭାଙ୍ଗିପଡିଥିବା ବେଳେ ଯାଜପୁର ଜିଲ୍ଲାର କିନ୍ନର ସଂଘ ଯଯାତିଙ୍କୁ ସହାୟତାର ହାତ ବଢାଇଛନ୍ତି । ଯାହାକୁ ନେଇ ସେ ଖୁସି ଥିବା ସହ ତାଙ୍କ ବାପା ଓ ମା ଏବଂ ତାଙ୍କ ଗ୍ରାମବାସୀମାନେ କିନ୍ନର ସଂଘକୁ ଧନ୍ୟବାଦ ଦେବା ସହ ପୁଅକୁ ଯଥାଶୀଘ୍ର ମେଡିକାଲରେ ଭର୍ତ୍ତି କରାଯିବ ବୋଲି ବାପା ନରେନ୍ଦ୍ର କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ଯୋଜନା ସାଧାରଣ ଜନତାଙ୍କ ଲାଗି ହେଉଥିଲେ ମଧ୍ୟ ପ୍ରକୃତରେ ପାଇବା ବ୍ୟକ୍ତି ପାଖରେ ଯୋଜନା ପହଞ୍ଚିପାରୁନାହିଁ । ଏପରି ସାହାଯ୍ୟ କରିଥିବାରୁ ଯାଜପୁର କିନ୍ନର ସଂଘକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।