କେନ୍ଦ୍ରାପଡାରେ କିଡନୀ ରୋଗ ଆତଙ୍କ ! ଦିନ କେଇଟାରେ କିଡନୀ ରୋଗରେ ଗଲାଣି ୩ ଯୁବକଙ୍କ ଜୀବନ

42

କନକ ବ୍ୟୁରୋ : କିଡନୀ ରୋଗ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । ଦିନ କେଇଟା ଭିତରେ ଏ ରୋଗ ୩ ଜଣଙ୍କ ଜୀବନ ନେବା ପରେ ଗ୍ରାମବାସୀଙ୍କ ନିଦ ହଜି ଯାଇଛି । ବିଶେଷ କରି ଯୁବକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଆଶା ଆଶଙ୍କାରେ ପରିବାର ଲୋକ । ଏଭଳି ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପହଣା ଓ ପନ୍ଦିଆ ଗାଁର ଲୋକେ ।

କାଳ ପାଲଟିଛି କିଡନୀ ରୋଗ । ଯୌବନକୁ ଉପଭୋଗ କରିବା ଆଗରୁ ଯୁବାବସ୍ଥାରେ ପଡିଯାଇଛି ଯବନିକା । ଜୀବନର ଅଧିକାଂଶ ସମୟ କଟୁଛି ରୋଗ ଶଯ୍ୟାରେ । କେନ୍ଦ୍ରାପଡା ଗରଦପୁର ବ୍ଲକର ପହଣା ଓ ପନ୍ଦିଆ ଗାଁରେ ଆତଙ୍କ ସୃଷ୍ଟି କରିଛି କିଡନୀ ରୋଗ । ଏହି ଗାଁର ଅନେକ ଲୋକ ଏବେ କିଡନୀ ରୋଗରେ ପୀଡିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏବେ ଆଉ କିଛି ରୋଗୀ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଥରେ ଡାୟଲିସିଶ୍ ପାଇଁ ୩୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅର୍ଥ ଅଭାବରୁ କିଛି ଆକ୍ରାନ୍ତଙ୍କର ଚିକିତ୍ସା ହୋଇନାହିଁ ।

ପହଣା ଓ ପନ୍ଦିଆ ଗାଁରେ କିଡନୀ ରୋଗ ବ୍ୟାପୁଥିବା ଖବର ଜଣାପଡିବା ପରେ ଜିଲ୍ଲା ପଂଚାୟତରାଜ ଏବଂ ପାନୀୟ ଜଳ ବିଭାଗର ଏକ ଟିମ ଗାଁରେ ପହଂଚି ୯ଟି ସରକାରୀ ନଳକୂପରୁ ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ହେଲେ ଏ ଯାଏଁ ଗାଁରେ କୌଣସି ଡାକ୍ତରି ଦଳ ପହଂଚି ନଥିବାରୁ ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି ଲୋକେ । ଦିନକୁ ଦିନ ପହଣା-ପନ୍ଦିଆ ଗାଁରେ କିଡ୍ନୀ ରୋଗ ପ୍ୟାପୁଥିବା ବେଳେ ଏହାର ନିରାକରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।