କାନ୍ଦବୋବାଳିରେ ଫାଟି ପଡ଼ୁଛି ପୁରା ଗାଁ : ଡଙ୍ଗାବୁଡ଼ିରେ କିଏ ଝିଅକୁ ହରାଇଛି ତ କିଏ ଗେଲବସର ପୁଅକୁ, ରାତିରୁ କାହାଘରେ ଜଳିନି ଚୂଲି

354

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ହନସିନା ଗାଁରେ ଶୋକାକୁଳ ପରିବେଶ । ଗତକାଲି ସନ୍ଧ୍ୟାରୁ କାହାରି ଘରେ ଚୂଲି ଜଳି ନାହିଁ । ଚାରିଆଡ଼େ କାନ୍ଦବୋବାଳି। କିଏ ସ୍ତ୍ରୀ , ଝିଅକୁ ହରାଇ ଚେତାଶୂନ୍ୟ ତ କିଏ ନିଜର ଗେଲବସରର ପୁଅ, ଝିଅଙ୍କୁ ଆଖିଆଗରେ ମୃତ୍ୟୁବରଣ କରୁଥିବାରୁ ଦୁଃଖଦ ଛବିକୁ ମନରୁ ଲିଭାଇ ପାରୁ ନାହିଁ । ଗାଁ ସାରା ଲୋକେ କାନ୍ଦୁଛନ୍ତି । କେହି କାହାକୁ ପ୍ରବୋଧନା ଦେବା ଅବସ୍ଥାରେ ନାହାଁନ୍ତି । ଗତକାଲି ସକାଳେ ହସଖୁସିରେ ବଣଭୋଜି କରିବାକୁ ହୁକିଟୋଲା ଯାଇଥିଲେ ।

ଆଉ ତାର ୧୨ ଘଣ୍ଟା ପରେ ଗାଁର କୋମଳମତି ଶିଶୁମାନଙ୍କ ସହିତ ୯ଜଣଙ୍କ ଜୀବନ ଦୀପ ଅକାଳରେ ଲିଭିଯିବା ଓ ଜଣେ ମହାନଦୀ ମୁହାଣର ଗଭୀର ଜଳରେ ନିଖୋଜ ହୋଇଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଗାଁ ଲୋକେ । କେବଳ କାନ୍ଦବୋବାଳିରେ ଗାଁଟା ଫାଟି ପଡ଼ୁଛି ସିନା, କାହାରି ମୁହଁରେ ଭାଷା ନାହିଁ ଏହି ଦୁଃଖଦ ଘଟଣାକୁ ବର୍ଣ୍ଣନା କରିବାକୁ । କିଏ ନିଜ ପୁଅର ଗୁଣ ବଖାଣି ବାହୁନି ବାହୁନି କାନ୍ଦୁଛି ତ କିଏ ନିଜ ଝିଅର ସ୍ମତିରେ ଆଖିରୁ ଝିଅ ଗଡ଼ାଉଛି । ହୃଦୟ କୋରି ପକାଇଲା ଭଳି ଚିତ୍ର ଏବେ ଦେଖିବାକୁ ମିଳୁଛି କୁଜଙ୍ଗ ଥାନା ଅନ୍ତର୍ଗତ ହନସିନା ଗାଁରେ ।

ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ନିକଟରୁ ହସିଣା ଗ୍ରାମର ୮ଟି ପରିବାରର ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ । ଗତକାଲି ସନ୍ଧ୍ୟାରେ ସେମାନେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଡଙ୍ଗା ବୁଡି ୯ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ମହିଳା ଓ ୭ ଶିଶୁ ରହିଛନ୍ତି ।