ଚପଲ ମାଡକୁ ନେଇ ଥମୁନି ରାଜନୀତି ! ଆରଏସଏସ ଲିଙ୍କ୍ ଖୋଜି ବାହାର କଲା ବିଜେଡି

36

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଥିବା ଯୁବକଙ୍କ ପୂରା ଇତିହାସ ଖୋଜି ବାହାର କରିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫଙ୍ଗିଥିବା ଯୁବକ ଜଣକ ହେଉଛନ୍ତି ଆରଏସଏସ କର୍ମୀ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବ । ଏପରିକି ପ୍ରମାଣ ସ୍ୱରୂପ ଯୁବକ ଜଣକ ଆରଏସଏସର ପୋଷାକ ପିନ୍ଧିଥିବା ଫଟୋ ମଧ୍ୟ ଦେଖାଇଛନ୍ତି । ବିଧିବଦ୍ଧ ଓ ଯୋଜନାବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବା ସେ କହିଛନ୍ତି । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ମାଡ କରିଥିବା ଯୁବକ ମାନସିକ ଭାରସାମ୍ୟ ହରାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଭୂଲ ପ୍ରମାଣିତ କରିବାକୁ ଯାଇ ପ୍ରତାପ ଦେବ କିଛି ଫଟୋ ଦେଖାଇଛନ୍ତି ।

ସୋସିଆଲ ମିଡିଆରୁ ମିଳିଥିବା ଫଟୋକୁ ଦେଖାଇ ଆରଏସଏସ ସହ ଯୁବକ ଜଣଙ୍କର ଲିଙ୍କ୍ ଥିବା ସେ କହିଛନ୍ତି । ଫଟୋରେ ଯୁବକ ଜଣଙ୍କ ଆରଏସଏସ ପୋଷାକ ପିନ୍ଧିଥିବାର ପ୍ରତାପ କହିଛନ୍ତି । ଏପରିକି ଯୁବକ ଜଣଙ୍କ ଆରଏସଏସର ସଦସ୍ୟ ବୋଲି ପ୍ରତାପ କହିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଗାଈସିଲଟ ବ୍ଲକର କୁମ୍ଭାରୀ ଗାଁରେ ପ୍ରଚାର କରୁଥିବା ବେଳେ କାର୍ତ୍ତିକ ମେହେର ନାମକ ଯୁବକ ନବୀନଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଦେହରେ ଏହି ଜୋତା ବାଜିବା ଆଗରୁ ସୁରକ୍ଷାକର୍ମୀ ଏହାକୁ ଧରି ପକାଇଥିଲେ । ଏହି ଘଟଣା ପାଇଁ ବିଜେପିକୁ ସିଧାସଳଖ ଦାୟୀ କରିଥିଲା ବିଜେଡି । ଏପରିକି ଉକ୍ତ ଯୁବକଙ୍କ ପକେଟରୁ ଏକ ବିଜେପି ପତାକା ବାହାରିଥିବା ନେଇ ପୋଲିସ ସୂଚନା ଦେଇଥିଲା । ଏଭଳି କାମ କରିବା ପାଇଁ ଉକ୍ତ ଯୁବକଙ୍କୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣ କହିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।