କଳିଯୁଗର କର୍ଣ୍ଣ ଜୟପୁରର ସୂର୍ଯ୍ୟ ନାରାୟଣ । ନିଜେ ଭଡା ଘରେ ରହି ଅଢେଇ ଶହ ଗରିବଙ୍କୁ ବାଂଟିଲେ ଜମି ପଟ୍ଟା । ପାଳନ କଲେ ୨୦ ବର୍ଷ ତଳର ପ୍ରତିଶ୍ରୁତି

64

କନକ ବ୍ୟୁରୋ : କଥା ଦେଇଥିଲେ କଥା ରଖିଲେ କଳିଯୁଗର କର୍ଣ୍ଣ । ଗରିବ ହେଲେ ଖୁସି, ଦାନି ସାଉଁଟିଲେ ପ୍ରଶଂସା । ନିଜେ ଭଡ଼ା ଘରେ ରହି ଅନ୍ୟକୁ ଜମି ବାଂଟିଛନ୍ତି କୋରାପୁଟ ଜୟପୁରର ସୂର୍ଯ୍ୟ ନାରାୟଣ ଆଚାରୀ । ସହରରେ ଜାଗା, ଅମୁଲ ମୁଲ ହୋଇଥିବା ବେଳେ ଅଢେଇ ଶହ ଗରିବଙ୍କ ସ୍ୱପ୍ନକୁ ସାକାର କରି ପ୍ରଶଂସାର ପାତ୍ର ହୋଇଛନ୍ତି ସୁର୍ଯ୍ୟ ନାରାୟଣ । ଜୟପୁର ସହରର ପ୍ରସାଦରାଓ ପେଟା ଚତୁର୍ଥ ଗଳିରେ ରହୁଥିବା ସୁର୍ଯ୍ୟ ନାରାୟଣ ୨୦ ବର୍ଷ ତଳେ ଗରିବଙ୍କୁ ଜାଗା ଦେବେ ବୋଲି କଥା ଦେଇଥିଲେ । ଦେଇଥିବା କଥାକୁ ରଖିବା ପାଇଁ ସେ ୩୬୦ ବର୍ଗଫୁଟର ଘର ଢ଼ିଅ ପଟା ୨୫୦ ଜଣଙ୍କୁ ଦାନ କରିଛନ୍ତି । ନିଜର ୨ ଏକର ୩୦ ଡିସିମିଲ ଜମିକୁ ଭାଗ ଭାଗ କରି ଗିଫଟ୍ ଡ଼ିଡ଼୍ କରି ଆଇନଗତ ପ୍ରକ୍ରିୟା ସାରିଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଗ୍ୟାରେଜ ମାଲିକ । ନିଜେ ଭଡା ଘରେ ରହୁଥିବା ବେଳେ ତାଙ୍କ ବ୍ୟବସାୟ ବି ଚାଲିଛି ଭଡ଼ାରେ । ଦାନ କରି ଯେତିିକି ଆତ୍ମ ସନ୍ତୋଷ ମିଳୁଛି ନିଜେ ଘର କରିଥିଲେ ସେତିକି ମିଳି ନଥାନ୍ତା ବୋଲି କହିଛନ୍ତି ଗରିବଙ୍କ ପାଇଁ ଭଗବାନ ପାଲଟିଥିବା ସୂର୍ଯ୍ୟ ।

ଏହି ମହତ ଦାନ ପଛରେ ରହିଛି ଅନେକ କାହାଣୀ । ୨୦ ବର୍ଷ ତଳେ ସୂର୍ଯ୍ୟ ନାରାୟଣ ଏକ ବିରଭଦ୍ର ମନ୍ଦିର ନିର୍ମାଣ କରିଥିଲେ । ସେହି ସମୟରେ ମନ୍ଦିରର ପୁଜକ କହିଥିଲେ ମନ୍ଦିର କଲା ପରେ ଜମି ଦାନ କଲେ ମଙ୍ଗଳ ହେବ । ପୂଜକଙ୍କ କଥା ତାଙ୍କ ମନକୁ ଛୁଇଁଥିଲା । ଏହାପରେ ସେ ୨ ଏକର ୩୦ ଡିସିମିଲ କିଣିଥିଲେ । ଜମି କିଣିବା ପରେ ଗରିବ ଚିହ୍ନଟ କରିବା ପାଇଁ ସୂର୍ଯ୍ୟଙ୍କୁ ଲାଗିଥିଲା ୧୪ ବର୍ଷ ସମୟ । ନିଜେ ଗରିବଙ୍କୁ ଚିହ୍ନଟ କରି ବର୍ତମାନ ସମୟରେ ପ୍ରାୟ ୪ କୋଟି ମୂଲ୍ୟର ଜମିକୁ ବାଂଟିଛନ୍ତି ।

ସୁର୍ଯ୍ୟ ନାରାୟଣଙ୍କ ପରିବାର କହିଲେ ସ୍ତ୍ରୀ, ୨ ପୁଅ ଓ ୩ ଝିଅ । ଗରିବଙ୍କୁ ସହାୟତାର ହାତ ବଢାଇଥିବା ସୂର୍ଯ ନାରାୟଣ ପରିଣତ ବୟସରେ ମଧ୍ୟ କ୍ଳାନ୍ତ ନହୋଇ ନିଜ ଗ୍ୟାରେଜରେ କାମ କରୁଛନ୍ତି । ସ୍ୱାମୀ ଙ୍କ ଏଭଳି କାମକୁ ନେଇ ତାଙ୍କ ଧର୍ମ ପତ୍ନୀ ବେଶ ପ୍ରଶଂସା କରୁଥିବା ବେଳେ ବାପାଙ୍କ କଥାରେ ପୁଅ-ଝିଅବି ଏକମତ । ପଡ଼ୋଶୀ ମଧ୍ୟ ସୁର୍ଯ୍ୟ ନାରାୟଣଙ୍କୁ ନେଇ ଗର୍ବିତ ବୋଲି କୁହନ୍ତି ।