ହେଲିକପ୍ଟରରେ ଓହଳି ଭିଡିଓ ସୁଟିଂ କରିବା କଣ୍ଠଶିଳ୍ପୀଙ୍କ ପାଇଁ ପଡିଲା ମହଙ୍ଗା ! ଖସିଗଲା ହାତ, ତଳେ ପଡି ଗଲା ଜୀବନ ।

39

ହେଲିକପ୍ଟରରେ ତଳକୁ ଓହଳି ସେଲ୍ଫିଏବଂ ଭିଡିଓ ରେକର୍ଡ କରିବା ଯୁବକଙ୍କୁ ପଡିଲା ମହଙ୍ଗା । ଅନେକ ସମୟରେ ସେଲ୍ଫି ପାଇଁ ବିଭିନ୍ନ ସ୍ଥାନରୁ ବଡ ବଡ ଦୁର୍ଘଟଣା ଖବର ସମ୍ନାକୁ ଆସିଛି । ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ଜଣାପଡିଛି । ସେଲ୍ଫି ନେବା ପାଇଁ କିଏ ପାହାଡରୁ ଖସିପଡିଛି ତ ଆଉ କିଏ ଛାତରୁ ଗଳି ପ୍ରାଣ ହରାଇଛି । ଏହି ଭଳି ଅନେକ ଘଟଣାର ନଜିର ଦେଖିବାକୁ ମିଳିଛି । ଠିକ ସେହିଭଳି କାନାଡାର ଜଣେ କଣ୍ଠଶିଳ୍ପୀ ଉଡନ୍ତା ବିମାନରେ ଛିଡା ହୋଇ ଭିଡିଓ ରେକର୍ଡ କରୁଥିବା ବେଳେ ଅଚାନକ ତଳକୁ ଖସି ପଡି ମୃତ୍ୟୁବରଣ କରିଛନ୍ତି ।

ସୂଚନା ମୁତାବକ, କାନାଡାରେ ଜଣେ କଣ୍ଠଶିଳ୍ପୀ ଉଡନ୍ତା ବିମାନର ଉଇଙ୍ଗରେ ଛିଡା ହୋଇ ଭିଡିଓ ବନାଉଥିଲେ। ଏହି ସମୟରେ ଆକସ୍ମାକ ତାଙ୍କ ହାତ ଖସି ଯାଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ଗତ ଶନିବାର ଘଟିଥିବା ଏହି ଦୁର୍ଘଟଣାରେ କଣ୍ଠଶିଳ୍ପୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଫଳରେ ତାଙ୍କ ପ୍ରଶଂସକ ମଧ୍ୟରେ ଦୁଃଖର ଲହରି ଖେଳି ଯାଇଥିଲା। ଏହି ଘଟଣା ବ୍ରିଟିଶ କୋଲମ୍ବିଆ ପ୍ରାନ୍ତର ଓ୍ଵର୍ଣ୍ଣନ ଅଞ୍ଚଳରେ ଘଟିଛି। ମୃତ କଣ୍ଠଶିଳ୍ପୀଙ୍କ ଚିହ୍ନଟ ୩୪ବର୍ଷୀୟ ଜନ୍ ଜେମ୍ସ ମେକମୁରେ ଭାବେ ହୋଇଛି। ଜେମ୍ସ ନିଜର ମ୍ୟୁଜିକ୍ ଭିଡିଓ ସୁଟ କରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

ମେକମୁରେ ମ୍ୟାନେଜର ରିୟାନ୍ ଡେସରୋଚର୍ସଙ୍କ କହିବାନୁସାରେ, କଣ୍ଠଶିଳ୍ପୀ ବିମାନ ଡେଣା ଧରି ସୁଟିଂ କରୁଥିବା ସମୟରେ ହଠାତ୍ ତଳକୁ ଖସି ପଡ଼ିଥିଲେ। ସେ ତାଙ୍କର ପାରାଚୁଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାହା ଖୋଲି ନଥିଲା। ତେବେ ଏହି ଷ୍ଟଣ୍ଟ ପାଇଁ କଣ୍ଠଶିଳ୍ପୀ ପୂର୍ବରୁ ବହୁ ପ୍ରସ୍ତୁତି ମଧ୍ୟ କରିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଏପରି ଥିଲା ଯାହା ପାଇଁ ତାଙ୍କର ଜୀବନ ଚାଲିଯାଇଛି ।