ଏମଏସପିରେ ଚାଷୀ ଠକିଗଲେ । ପ୍ରଶ୍ନ, ଆୟ ଦ୍ୱିଗୁଣ କଥା ଭୁଲିଯିବେନି ତ’ ମୋଦି? ଅନ୍ନଦାତା ରାଜନେତାଙ୍କ ପାଇଁ କଣ କେବଳ ଭୋଟଦାତା?
କନକ ବ୍ୟୁରୋ : ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବାକୁ ଲକ୍ଷ୍ୟ ରଖିଥିବା ମୋଦି ସରକାରଙ୍କ ଉକ୍ତିକୁ ବିଶ୍ୱାସ କରାଯାଇ ପାରିବ କି ନାହିଁ, ତାକୁ ନେଇ ଏକ ବଡ ବିତର୍କ ମୁଣ୍ଡ ଟେକିଛି ଯେତେବେଳେ ଏମଏସପି ବାବଦରେ ୨୦୧୪ ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି କେନ୍ଦ୍ରର ଏନଡିଏ ସରକାର । ହୁଏତ ୨୦୦ ଟଙ୍କା ବୃଦ୍ଧିକୁ ସର୍ବାଧିକ ବୋଲି କୁହାଯାଇପାରେ, ଏପରିକି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଚାଷ ଓ ଚାଷୀର ବିକାଶ ଦିଗରେ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଜଣେ ପରେ ଜଣେ କେନ୍ଦ୍ରମନ୍ତ୍ରୀ ବୟାନ ରଖିପାରନ୍ତି, ହେଲେ ବାସ୍ତବତା ଠାରୁ କେହି ମଧ୍ୟ ବେଶୀ ଦୂରକୁ ଯାଇପାରିବେ ନାହିଁ । ସ୍ୱାଧୀନତାର ୭୦ ବର୍ଷ ଭିତରେ ଦେଶର ଅର୍ଥନୈତିକ ପ୍ରଗତି ହୋଇଛି, ବ୍ୟୟବହୁଳ ରାଜନୀତି ହୋଇଛି, ହେଲେ ଚାଷୀର ଭାଗ୍ୟ କଣ ସେହି ଅନୁପାତରେ ବଦଳିଛି କି?
୧୯୭୨ ମସିହାରେ ସୁନା ଭରି ଦାମ୍ ଥିଲା ୨୪୦ ଟଙ୍କା, ଧାନ କ୍ୱିଂଟାଲର ଦାମ ଥିଲା ୮୦ ଟଙ୍କା, ପିଅନର ଦରମା ୧୮ ଟଙ୍କା, ପ୍ରାଥମିକ ଶିକ୍ଷକଙ୍କ ଦରମା ୪୦ ଟଙ୍କା, ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ଦରମା ଥିଲା ୧୨୦ ଟଙ୍କା । ହିସାବ କରନ୍ତୁ ୨୦୧୮ରେ ସ୍ଥିତି କଣ? ସୁନା ହାରାହାରି ୧୧୦ ଗୁଣ, ଦରମାର ୧୦୦୦ ରୁ ୨୦୦୦ ଗୁଣ, ଆଉ ଧାନର ମୂଲ୍ୟ ବଢିଲା ୧୯ ଗୁଣା । (ନବନିର୍ମାଣ କୃଷକ ସଂଗଠନ ପ୍ରତିଷ୍ଠାତା ଅକ୍ଷୟ କୁମାର ଉପସ୍ଥାପନ କରିଥିବା ତଥ୍ୟ) ଏହାରି ଭିତରେ ୨୦୦ ଟଙ୍କା ଏମଏସପି ଯଦି ହିସାବ କରାଯାଏ ତେବେ ଧାନ ଦର ବଢିଛି ୨୧ ଗୁଣା । ମୂଳ କଥା ହେଉଛି, ସବୁ ସାମଗ୍ରୀ, ବସ୍ତୁ ଆଉ ଦରମା ମହଙ୍ଗା ହେଉଥିବା ବେଳେ ଧାନର ଦର ବୃଦ୍ଧି କରିବାରେ ପ୍ରତିବନ୍ଧକ କଣ? ତା’ପୁଣି ଯେତେବେଳେ ଦେଶର ଭାବି ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନୀ ସଭାରେ ପ୍ରତିଶ୍ରୁତି ଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଚର୍ଚ୍ଚାକୁ ଗୋଟିଏ ଭିନ୍ନ ଦୃଶ୍ୟପଟ୍ଟରେ ମଧ୍ୟ ଦେଖିବାର ଆବଶ୍ୟକତା ରହୁଛି । ଗତ ୧୦ ବର୍ଷ ଭିତରେ ଯେଉଁଠି ନିର୍ବାଚନୀ ଖର୍ଚ୍ଚ ଆମ ଦେଶରେ ୨ ଗୁଣାରୁ ଅଧିକ ହୋଇଥିବା ଦେଖିବାକୁ ମିଳିଥିଲା ସେଠି ଧାନର ଦର ଗତ ୧୦ ବର୍ଷରେ ୨ ଗୁଣା ମଧ୍ୟ ହୋଇନାହିଁ । ୨୦୦୯-୧୦ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୯୫୦ ଟଙ୍କା ଥିବା ବେଳେ ୨୦୧୮-୧୯ ପାଇଁ ହେଲା ୧୭୫୦ ଟଙ୍କା । ହେଲେ ଥରେ ରାଜନୈତିକ ଦଳଙ୍କର ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ପକାନ୍ତୁ । ୨୦୦୯ରେ ଲୋକସଭା ନିର୍ବାଚନ ପାଇଁ ୧୪୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୪ରେ ଖର୍ଚ୍ଚ ହେଲା ୩୪୨୬ କୋଟି ଟଙ୍କା । ସବୁଠାରୁ ବ୍ୟୟବହୁଳ ନିର୍ବାଚନ ହିସାବରେ ଏହାକୁ ଚିନ୍ତା କରାଗଲା । ୨୦୧୯ ବେଳକୁ ନିର୍ବାଚନ ଆହୁରି ବ୍ୟୟବହୁଳ ହେବ ବୋଲି ଆଜିଠାରୁ ଅନୁମାନ କରାଗଲାଣି ।
ଏହି ତମାମ ତଥ୍ୟ ଗୋଟିଏ ଦିଗକୁ ଦର୍ଶାଉଛି ଯେ, ଗତ କିଛି ବର୍ଷ ଭିତରେ ଚାଷୀ ଓ ଚାଷ ବାବଦରେ ସରକାରଙ୍କର ଆଭିମୁଖ୍ୟ ସଠିକ ଦିଗରେ ଆଗେଇନାହିଁ । ହୁଏତ ଉପରେ ଦର୍ଶାଯାଇଥିବା ତମାମ ଯୁକ୍ତିକୁ ଗ୍ରହଣ କରିବାକୁ ବହୁତ ଲୋକ ନାପସନ୍ଦ କରିବେ, ମୁଦ୍ରାସ୍ଫୀତି ସହ ଧାନ ଏମଏସପିକୁ ଯୋଡି ଖାରଜ କରାଯାଇପାରେ କିନ୍ତୁ କଥା ଉଠୁଛି, ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଆମେ ଚାଷୀଙ୍କୁ କଣ କେବଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛେ କି? କୃଷକଙ୍କୁ ଆମେ ଅନ୍ନଦାତା ଭାବେ ଗ୍ରହଣ କରୁଛେ ନା କେବଳ ଭୋଟଦାତା ଭାବେ? ଏହି ପ୍ରଶ୍ନର ଉତ୍ତର ଆଜିର ଦିନରେ ଏଥିପାଇଁ ଖୋଜିବାକୁ ପଡୁଛି, କାରଣ ଗତ ୭୦ ବର୍ଷ ଭିତରେ ଅନେକ ପ୍ରତିଶ୍ରୁତି ଏହି ବର୍ଗର ଲୋକଙ୍କୁ ମିଳିଛି କିନ୍ତୁ କାର୍ଯ୍ୟକାରୀ କରାଯାଇ ପାରିନାହିଁ । ଏହି କ୍ଷେତ୍ର ଯେହେତୁ ସଂଗଠିତ ନାହିଁ, ବହୁଧା ବିଭାଜିତ ତେଣୁ ଏମାନଙ୍କୁ ପ୍ରତିଶ୍ରୁତି ଦେଇ ଭୁଲିଯିବା ଖୁବ ସହଜ । ଯାହା ଅତୀତରେ ଚାଲିଥିଲା, ବର୍ତ୍ତମାନ ଚାଲୁଛି ଆଉ ଆଗକୁ ମଧ୍ୟ ଚାଲୁଥିବ ।
୨୦୧୪ରେ ନରେନ୍ଦ୍ର ମୋଦି କହିଥିଲେ, ଉତ୍ପାଦନ ଖର୍ଚ୍ଚ ଉପରେ ଶତକଡା ୫୦ ପ୍ରତିଶତ ଅଧିକରେ ସହାୟକ ମୂଲ୍ୟ ଧାର୍ଯ୍ୟ ହେବ । ଯାହା ଚାଷୀଙ୍କ ମନରେ ଆଶା ସୃଷ୍ଟି କରିଥିଲା, ସବୁ ଖର୍ଚ୍ଚ ଗଲା ପରେ କିଛି ଲାଭ ମିଳିବ । ହେଲେ ଏମଏସପି ୨୦୦ ଟଙ୍କା ବୃଦ୍ଧି ସତ୍ତେ୍ୱ ନା ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିଛନ୍ତି ନା ଲାଭ ପାଇବା ଆଶା ଚାଷୀର ପୂରଣ ହୋଇଛି । ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଅନୁଯାୟୀ କଂପ୍ରିହେନସିଭ କଷ୍ଟ ସୁତ୍ର ଅନୁସାରେ ସାର, ବିହନ, କୀଟନାଶକ, ଅନ୍ୟ ମୁଲିଆଙ୍କ ସମେତ ପରିବାରର ମଜୁରୀ, ଚାଷ ଜମିର ଭଡା ଓ ଚାଷରେ ଲାଗୁଥିବା ଋଣ ଓ ଅନ୍ୟ ପୁଂଜି ଉପରେ ସୁଧ ଆଦି ସବୁ ଖର୍ଚ୍ଚକୁ ମିଶାଇ ତାଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ହେବ ବୋଲି ଆଶା କରାଯାଉଥିଲା । ହେଲେ ସରକାର କେବଳ ଆକଚୁଆଲ କଷ୍ଟ ଓ ଫ୍ୟାମିଲି ଲେବର ସୁତ୍ର ଅନୁସାରେ ବିହନ, କୀଟନାଶକ ଓ ପାରିବାରିକ ମଜୁରୀ ହିସାବକୁ ନେଇ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କଲେ ।
ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଆଧାରରେ ହିସାବ କଲେ ଉତ୍ପାଦନ ଖର୍ଚ୍ଚ ୧୫୬୦ ଟଙ୍କା ଉପରେ ୫୦ ପ୍ରତିଶତ ଅଧିକରେ ଅର୍ଥାତ୍ ଧାନର ସହାୟକ ମୂଲ୍ୟ ୨୩୪୦ ଟଙ୍କା ଧାର୍ଯ୍ୟ ହେବା କଥା । ସରକାର ଏକକାଲୀନ ଏମଏସପି ୨୦୦ ଟଙ୍କା ବଢାଇ ଯେଉଁ ବାହାସ୍ଫୋଟ ମାରିଛନ୍ତି, ତାହା ଚାଷୀର ଦୁଃଖ ଲାଘବ କରିପାରିବ ନାହିଁ । ଚାଷୀ ଏବେ କ୍ୱିଂଟାଲ ପିଛା ୫୯୦ ଟଙ୍କା କ୍ଷତି ସହିବେ । ଆଉ ଓଡିଶାରେ ଚାଷୀଙ୍କ ପାଇଁ ଏହା ନିରାଶାଜନକ ଖବର । ଦୁଇ ବର୍ଷ ତଳେ ୨୦୧୬ରେ ସରକାରୀ ଆକଳନ ଅନୁଯାୟୀ ଗୋଟିଏ କ୍ୱିଣ୍ଟାଲ ଧାନ ଉତ୍ପାଦନ ବାବଦ ଖର୍ଚ୍ଚ ୨୩୪୪ ଟଙ୍କା ହିସାବ କରାଯାଇଥିଲା। ଏହି ଉତ୍ପାଦନ ଖର୍ଚ୍ଚକୁ ବିଚାର କରି ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ୟ୍ୟ ଲାଗି ଦାବି କରାଯାଇଥିଲା। କିନ୍ତୁ ଏମ୍ଏସ୍ପି ୨୦୦ ଟଙ୍କା ବୃଦ୍ଧି ସତ୍ତ୍ୱେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ଭରଣା ହୋଇ ପାରିବ ନାହିଁ। କୃଷି ଦର କମିସନ ଧାର୍ୟ୍ୟ କରିଥିବା ୧,୧୬୬ ଟଙ୍କା ଉତ୍ପାଦନ ଖର୍ଚ୍ଚ ଉପରେ ସରକାର ୧୭୫୦ ଟଙ୍କା ଏମ୍ଏସ୍ପି ଧାର୍ୟ୍ୟ କରିଛନ୍ତି।
କ୍ଷମତାକୁ ଆସିବାର ସାଢ଼େ ଚାରିବର୍ଷ ପରେ ଯାଇ ଚାଷୀଙ୍କୁ ଦେଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରତିଶ୍ରୁତି ମୋଦୀ ସରକାରଙ୍କ ମନେ ପଡ଼ିଲା। ଗତ ବଜେଟରେ ପ୍ରତିଶ୍ରୁତି ପାଳନ ହେବ ବୋଲି ଘୋଷଣା କଲେ। ଅଥଚ, ଶେଷରେ ଏମିତି ଅଧାପନ୍ତରିଆ ଢଙ୍ଗରେ ପ୍ରତିଶ୍ରୁତିକୁ ପାଳନ କଲେ ଯେ, ତାହା ଚାଷୀଙ୍କୁ ସନ୍ତୁଷ୍ଟ କରିବା ପରିବର୍ତ୍ତେ କ୍ଷୁବ୍ଧ କରିଛି। ନିର୍ବାଚନ ପୂର୍ବରୁ ଏମ୍ଏସ୍ପି ବଢ଼ାଇ ଶାସକ ଦଳ ନିଶ୍ଚୟ ଭୋଟ ଅମଳର ଆଶା ରଖିଥିବେ। କିନ୍ତୁ ଚାଷୀଙ୍କ ଆଶା ପୂରଣ ହୋଇ ନ ଥିବାରୁ ଭୋଟ ଅମଳର ଆଶା ପୂରଣ ହେବା ନେଇ ଯଥେଷ୍ଟ ଆଶଙ୍କା ରହିଛି।
ଏବେ ଆସିବା ଚାଷୀ ଆୟ ଦ୍ୱିଗୁଣିତ ହେବା ପ୍ରସଙ୍ଗକୁ । ନିଜ ଶାସନ ସମୟରେ ସ୍ମାର୍ଟସିଟି, ବୁଲେଟ ଟ୍ରେନ, ମେକ ଇନ ଇଣ୍ଡିଆ, ସ୍କିଲଡ ଇଣ୍ଡିଆ ଭଳି ତମାମ ଦିଗକୁ ପ୍ରାଧାନ୍ୟ ଦେଇ ଆଗେଇଥିବା ମୋଦି ପ୍ରକୃତରେ ଚାଷୀକୂଳକୁ ଭୁଲିଯାଇଥିଲେ କି? ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅର୍ଥାତ୍ ୨୦୨୨ ସୁଦ୍ଧା ଚାଷୀ ଆୟକୁ ୨ ଗୁଣ କରିବାର ସଂକଳ୍ପ ବାସ୍ତବତାର ରୂପ ନେଇପାରିବ କି? କାରଣ ଏମଏସପି ନେଇ ଯେଉଁ ଆଭିମୁଖ୍ୟ ମୋଦି ସରକାର ଦେଖାଇଲେ ତାହା ଆୟକୁ ଦ୍ୱିଗୁଣ କରିବା ବାବଦରେ ମଧ୍ୟ ଦେଖିବାକୁ ମିଳିବ ନାହିଁ ତ? ରୋଡମ୍ୟାପ୍ ମୋଦିଙ୍କର କିଭଳି ରହିବ, ନା ସଂଖ୍ୟାର ଖେଳକୁ ପୁଣି ସାମ୍ନାକୁ ଅଣାଯିବ, ଏମଏସପି ବୃଦ୍ଧି ଭଳି ଆୟ ଦ୍ୱିଗୁଣ ହୋଇଗଲା ବୋଲି କୁହାଯିବ କିନ୍ତୁ ଏହା ଚାଷୀଙ୍କ ମନରେ ଆତ୍ମବିଶ୍ୱାସକୁ ଜାଗ୍ରତ କରିପାରିବ ନାହିଁ ।