ସବୁଦଳରେ କନ୍ଦଳ ! ପଂଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ହୋଇପାରୁନି ଦଳୀୟ ପ୍ରାର୍ଥୀ ତାଲିକା

41

କନକ ବ୍ୟୁରୋ : ଆଗାମୀ ୧୧ ତାରିଖରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ୧୭ ତାରିଖ ଭିତରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିପାରି ନାହାନ୍ତି ୩ ପ୍ରମୁଖ ରାଜନୈତିକ ଦଳ ।

ବିଶେଷ କରି ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ, ଦଳୀୟ ଚିହ୍ନରେ ହେଉଥିବାବେଳେ ଅନ୍ତଦ୍ଦ୍ୱର୍ନ୍ଦ୍ୱ ଯୋଗୁଁ ଏଯାଏଁ ତାଲିକା ଚୂଡାନ୍ତ କରିପାରି ନାହାନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ହାତରେ ଆଉ ଅଳ୍ପଦିନ ଥିବାବେଳେ କେବେ ପ୍ରାର୍ଥୀ ତାଲିକା ଘୋଷଣା କରିବେ ଦଳ ଓ କେବେ ଆରମ୍ଭ ହେବ ପଂଚାୟତ ପ୍ରଚାର ପ୍ରସ୍ତୁତି ତାକୁ ନେଇ ଆଶଙ୍କାରେ ନେତା ଓ କର୍ମୀ ।

କୁହାଯାଉଛି କେନ୍ଦ୍ରାପଡାରେ ମୁହାଁମୁହିଁ ବିଜେଡିର ଦୁଇ ହେଭିୱେଟ ନେତା । ଗୋଟିଏ ପଟେ ସାଂସଦ ବୈଜୟନ୍ତ ପଣ୍ଡା ଓ ଅନ୍ୟପଟେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ନିଜନିଜ ପ୍ରାର୍ଥୀଙ୍କୁ ବିଭିନ୍ନ ଆସନରେ ବସାଇ ତୃଣମୂଳ ସ୍ତରରେ ନିଜ ଗଡ ମଜଭୂତ କରିବାକୁ ଜୋରଦାର ଗୋଟି ଚାଳନା କରୁଛନ୍ତି ଏହି ଦୁଇ ନେତା ।

ସେହିପରି କୋରାପୁଟ କନ୍ଦଳରେ ଛନ୍ଦି ହୋଇପଡିଛି ଶାସକ ଦଳ । ଏଠାରେ ଦୁଇ କ୍ଷମତା କେନ୍ଦ୍ର, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଓ ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗିଙ୍କ ମଧ୍ୟରେ ବଳ କଷାକଷି ଚାଲିଥିବା ଚର୍ଚ୍ଚା ହେଉଛି । ୨୦୧୨ରେ ଏଠାରେ ବିଜେଡି ଓ କଂଗ୍ରେସ ସମାନ ସଂଖ୍ୟକ ୧୪ଟି ଲେଖାଏଁ ଜିଲ୍ଲା ପରିଷଦ ଆସନ ହାତେଇଥିଲେ । ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ଦଳ ଏହି ଜିିଲ୍ଲା ଉପରେ କବଜା କରିଥିଲା । ତେଣୁ ଏଥର ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବା ଅନୁମାନ କରାଯାଉଛି ।

ରାଜ୍ୟ କଂଗ୍ରେସରେ ଥିବା ଅନ୍ତଦ୍ଦ୍ୱର୍ନ୍ଦ୍ୱ ଦାଣ୍ଡରେ ପଡି ହାଟରେ ଗଡୁଛି । ପିସିସି ସଭାପତି ପ୍ରସାଦ ହରିଚନ୍ଦଙ୍କ ବିରୋଧରେ ଅନେକ ବିଧାୟକ ସ୍ୱର ଉତୋଳନ କରୁଥିବାର ନଜିର ରହିଛି । ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନକୁ ନେଇ ମଧ୍ୟ ଜିଲ୍ଲା ସଭାପତି ଓ ବିଧାୟକମାନଙ୍କ ଭିତରେ ତାଳମେଳ ନାହିଁ । ଏଭଳି ସ୍ଥିତିରେ ପଂଚାୟତ ଫାଇଟ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ମୁସ୍କିଲ ହୋଇପଡିଛି ।

ସେହିପରି ରାଜ୍ୟ ବିଜେପିରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ନଥିବା ଚର୍ଚ୍ଚା ହେଉଛି । ଅନେକ ଦଳୀୟ କାର୍ଯ୍ୟକ୍ରମରୁ ଏମାନେ ନିଜକୁ ଦୂରେଇ ରଖୁଥୁବାରୁ ଏଭଳି ସନ୍ଦେହ ପ୍ରକାଶ ପାଇଛି । ଆଉ ଚର୍ଚ୍ଚା ଏପରି ମଧ୍ୟ ହେଉଛି ଯେ, ପଂଚାୟତ ସ୍ତରରେ ନିଜ ଲୋକଙ୍କୁ ଥଇଥାନ କରିବା ପାଇଁ ଚାହୁଁଥିବା ଗୋଷ୍ଠୀଙ୍କୁ, ଦଳର ଏହି ତୁଙ୍ଗ ନେତାଙ୍କ ବିରୋଧର ସାମ୍ନା କରିବାକୁ ପଡୁଛି ।

ସମସ୍ତ ପ୍ରମୁଖ ରାଜନୈତିକ ଦଳରେ ଲାଗିରହିଥିବା ଛକାପଂଝାକୁ ନେଇ ବିଳମ୍ବିତ ହୋଇଛି ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ପ୍ରକାଶ । ଆଉ ସବୁଠାରୁ ଅଧିକ ଦ୍ୱନ୍ଦ୍ୱ ଶାସକ ଦଳ ବିଜେଡିରେ ରହିଛି । ୨୦୧୨ ପଂଚାୟତ ଭୋଟରେ ସର୍ବାଧିକ ୬୫୧ ସିଟ ହାତେଇଥିବା ବିଜେଡି ପାଇଁ ପୁଣିଥରେ ଜିଲ୍ଲା ପରିଷଦ କବଜା କରିବା ଚ୍ୟାଲେଞ୍ଜ ହୋଇଥିବାରୁ ତରବରିଆ ଭାବେ ଦଳ ପ୍ରାର୍ଥୀ ଚୟନ କରିବାକୁ ଚାହୁଁନାହିଁ ।