ଭୁବନେଶ୍ୱରରେ ଇନ୍ଦିରାଙ୍କ ସେହି ଶେଷ ଭାଷଣ । ଯେଉଁଥିରେ ଆଇରନ ଲେଡି ଦେଇଥିଲେ ମୃତ୍ୟୁର ସଙ୍କେତ

567

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ଭାବେ ପରିଚିତ ଇନ୍ଦିରା ଗାନ୍ଧୀଙ୍କର ଆଜି ୧୦୧ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି । ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଜନ୍ମ ୧୯ ନଭେମ୍ବର ୧୯୧୭ରେ ଏହ୍ଲାବାଦରେ ହୋଇଥିଲା । ଜବାହାର ଲାଲ ନେହେରୁ ଓ କମଳା ନେହେରୁଙ୍କ କନ୍ୟା ଇନ୍ଦିରାଙ୍କଚ ପୂରା ଦେଶ ଆଇରନ ଲେଡି ଭାବେ ଜାଣିଥିଲା । ରାଜନୈତିକ ଦକ୍ଷତା ଓ ବିଚକ୍ଷଣତା ବଳରେ ଇନ୍ଦିରା ଦେଶ ତଥା ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।

ଇନ୍ଦିରାଙ୍କ ବିବାହ ଫରୋଜ ଗାନ୍ଧିଙ୍କ ସହ ହୋଇଥିଲା । ବର୍ଟିଲ ଫ୍ଲକଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକରେ ଇନ୍ଦିରା ଓ ଫିରୋଜଙ୍କ ସମ୍ବନ୍ଧରେ ଅନେକ ଅଜଣା କଥା ରହିଛି । ପୁସ୍ତକ ଅନୁଯାୟୀ, ଇନ୍ଦିରା ଗାନ୍ଧି ମାତ୍ର ୧୩ ବର୍ଷ ବୟସରେ ଫିରୋଜ ଗାନ୍ଧିଙ୍କୁ ଭେଟିଥିଲେ । ସେତେବେଳେ ଫିରୋଜଙ୍କୁ ୧୬ ବର୍ଷ ହୋଇଥିଲା । ଉଭୟ ଲଣ୍ଡନର ଗୋଟିଏ କଲେଜରେ ହିଁ ପାଠ ପଢୁଥିଲେ । କିଛି ଦିନର ମିଳାମିଶା ପରେ ଇନ୍ଦିରା ଗାନ୍ଧିଙ୍କର ବିବାହ ଫିରୋଜ ଗାନ୍ଧିଙ୍କ ସହ ହୋଇଥିଲା ।

ତେବେ ଫିରୋଜଙ୍କ ସହ ଇନ୍ଦିରାଙ୍କ ବିବାହକୁ ନେଇ ଜବହାରଲାଲ ନେହେରୁ ଅସନ୍ତୁଷ୍ଟ ଥିଲେ । କିନ୍ତୁ ବାପା ନେହେରୁଙ୍କ ବିରୋଧରେ ଯାଇ ଫିରୋଜଙ୍କୁ ବିବାହ କରିଥିଲେ ଇନ୍ଦିରା । ଏପରିକି ମହାତ୍ମା ଗାନ୍ଧି ଫିରୋଜଙ୍କୁ ନିଜର ସାଙ୍ଗିଆରେ ଯୋଡିଥିଲେ । ବିବାହର ଦୁଇ ବର୍ଷ ପରେ ୧୯୪୪ରେ ରାଜୀବ ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ । ଏହାର ଦୁଇବର୍ଷ ପରେ ସଞ୍ଜୟ ଗାନ୍ଧୀଙ୍କର ଜନ୍ମ ହୋଇଥିଲା ।

୧୯୫୯ ମସିହାରେ ମାତ୍ର ୪୨ ବର୍ଷ ବୟସରେ ଇନ୍ଦିରା ଗାନ୍ଧୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ହୋଇଥିଲେ । ଆଉ ଏହାର ୭ ବର୍ଷ ପରେ ଅଥାର୍ତ ୧୯୬୬ ମସିହା ଜାନୁଆରୀ ୨୪ରେ ଇନ୍ଦିରା ଗାନ୍ଧୀ ଭାରତର ତୃତୀୟ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଦୀର୍ଘ ୧୬ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ଇନ୍ଦିରା । ନିଜ ଶାସନକାଳ ମଧ୍ୟରେ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ ଇନ୍ଦିରା । ଯାହା ଦୀର୍ଘ ୨୧ ମାସ ପର୍ଯ୍ୟନ୍ତ ଜାରି ରହିଥିଲା । ଏହି ସମୟରେ ବିରୋଧୀ ଦଳର ବଡ ବଡ ନେତାଙ୍କୁ ଜେଲ ପଠାଇଥିଲେ ଆଇରନ ଲେଡି ।
ଦେଶରୁ ଇମରଜେନ୍ସି ସରିବା ପରେ ଏହାର ପ୍ରଭାବ ୧୯୭୭ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଏହି ନିର୍ବାଚନରେ କଂଗ୍ରେସ ପାର୍ଟି ଶୋଚନୀୟ ପରାସ୍ତ ହୋଇଥିଲା । ଏହାପରେ ପୁଣିଥରେ ସରକାରକୁ ଆସିବା ପରେ ଇନ୍ଦିରା ଗାନ୍ଧି ୧୯୮୪ରେ ଅପରେସନ ବ୍ଲୁ ଷ୍ଟାର ଆରମ୍ଭ କରିଥିଲେ । ଯେଉଁଥିରେ ଭିଣ୍ଡରାବାଲା ଓ ତାଙ୍କ ସମର୍ଥକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହାଛଡା ଦେଶର ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ ୧୪ଟି ଘରୋଇ ବ୍ୟାଙ୍କର ରାଷ୍ଟ୍ରୀୟକରଣ କରାଯାଇଛି ।

୩୦ ଅକ୍ଟୋବର ୧୯୮୪ । ଭୁବନେଶ୍ୱରରେ ଇନ୍ଦିରା ଗାନ୍ଧୀ ଶେଷ ଭାଷଣ ଦେଇଥିଲେ । ଯେଉଁଥିରେ ସେ କହିଥିଲେ, ମୁଁ ଆଜି ଏଠାରେ ଅଛି ହୁଏତ କାଲି ନଥାଇ ପାରେ । ମୋର ଚିନ୍ତା ନାହିଁ କି ମୁଁ ରହିବି କି ନାହିଁ । ମୋର ଲମ୍ବା ଜୀବନରେ ମୁଁ ଏଥିପାଇଁ ଗର୍ବିତ ଯେ, ମୋତେ ପୂରା ଜୀବନ ଦେଶବାସୀଙ୍କ ସେବା କରିବାର ସୁଯୋଗ ମିଳିଲା । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଏଭଳି କରି ଚାଲିବି ଏପରିକି ଯେତେବେଳେ ମୁଁ ମରିବି ମୋର ପ୍ରତ୍ୟେକ ରକ୍ତବିନ୍ଦୁ ମଧ୍ୟ ଭାରତକୁ ମଜବୁତ କରିବା ପାଇଁ ହିଁ ବହିବ । ଇନ୍ଦିରାଙ୍କ ଏଭଳି ଭାଷଣ ଶୁଣି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏହି ଭାଷଣ ଦେଇ ସାରିବା ପରେ ସେହିଦିନ ସନ୍ଧ୍ୟାରେ ହିଁ ଦିଲ୍ଲୀକୁ ଫେରି ଆସିଥିଲେ । ୩୧ ଅକ୍ଟୋବର ସକାଳ ପ୍ରାୟ ୯ଟା ସମୟରେ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ କନେଷ୍ଟବଳ ସତବନ୍ତ ସିଂ ଗୁଳି ମାରି ହତ୍ୟା କରିଥିଲେ । ଆଉ ଭାରତ ହରାଇଥିଲା ଆଇରନ ଲେଡିଙ୍କୁ ।