୧୯୭୧ ଯୁଦ୍ଧ ପରେ ୧ମ ଥର ପାଇଁ ଏଲଓସି ଟପିଲା ଭାରତୀୟ ବାୟୁସେନା ! ପାକ୍  ମାଟିରେ ନେଲା ପୁଲୱାମା ହମଲାର ପ୍ରତିଶୋଧ ।

217

କନକ ବ୍ୟୁରୋ : ପୁଲୱାମା ହମଲା ପରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସିରେ ଆତଙ୍କବାଦୀ ଲଂଚ ପ୍ୟାଡ୍ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପଶି ଜୈସ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ବିମାନ । ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ପରେ ବାୟୁସେନା ପ୍ରଥମ ଥର ଏଲଓସି ଅତିକ୍ରମ କରି ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଛି । ସେପଟେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନଠାରୁ ପ୍ରତିଶୋଧ ନେଇଛି ଭାରତ  ।

୧୯୭୧ ପରେ ଏଲଓସି ଟପିଲା ବାୟୁସେନା ବିମାନ । ନିୟନ୍ତ୍ରଣ ରେଖା ସେପଟେ ଜୋରଦାର୍ ହମଲା । ପାକ୍ ମାଟିରେ ପଶି ପୁଲୱାମା ହମଲାର ପ୍ରତିଶୋଧ ନେଇଛି ଭାରତ  । ପାକିସ୍ତାନୀ ମାଟିରୁ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ରଚୁଥିବା ଜୈସ-ଏ-ମହମ୍ମଦ, ଲସ୍କର-ଇ-ତୋଏବା ଓ ହିଜବୁଲ ମୁଜାହିଦ୍ଦିନର ଏକାଧିକ ଶିବିରକୁ ବାୟୁସେନା ଧ୍ୱଂସ କରିଛି  । ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧପରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ବିମାନ ନିୟନ୍ତ୍ରଣ ରେଖା ଟପି ପାକ୍ ମାଟିରେ ପରାକ୍ରମ ପ୍ରଦର୍ଶନ କରିଛି  । ୧୯୯୯ ମସିହା କାର୍ଗିଲ୍ ଯୁଦ୍ଧ ସମୟରେ ବାୟୁସେନା ଆତଙ୍କୀ ଶିବିର ଉପରେ ଜୋରଦାର୍ ଆକ୍ରମଣ କରିଥିଲା କିନ୍ତୁ ଏଲଓସି ଟପି ନଥିଲା  । ତେବେ ଏଥରକ ନିୟନ୍ତ୍ରଣ ରେଖା ସେପାଖରେ ଦମ୍ ଦେଖାଇଛି ବାୟୁସେନା  ।

– ଭୋର୍ ୩ଟା ୪୫ରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ପାକିସ୍ତାନ ଖୈବର୍ ପ୍ରାନ୍ତରେ ଥିବା ବାଲାକୋଟକୁ ପ୍ରଥମେ ଟାର୍ଗେଟ୍ କରିଥିଲା  ।

– ୩ଟା ୪୮ରେ ମୁଜଫରାବାଦ୍ ଓ ୩ଟା ୫୮ରେ ଚିକୋଟି ଇଲାକା ଉପରେ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନାର ମିରେଜ୍ ବିମାନ  ।

– ଜୈସେ ମହମ୍ମଦର ଗଡ଼ କୁହାଯାଉଥିବା ଆଲଫା ୩ ଠିକଣାରେ ଥିବା ଏକାଧିକ ଆତଙ୍କବାଦୀ ଶିବିରକୁ ଧୂଳିସାତ୍ କରିଛି ବାୟୁସେନାର ବିମାନ  ।

– କେବଳ ପାକ୍ ଅଧିକୃତ କାଶ୍ମୀର ନୁହଁ ବରଂ ପାକିସ୍ତାନ ମାଟିରେ ୨୧ ମିନିଟ୍ କାଳ ଲଗାତର ବୋମା ବର୍ଷଣ କରିଥିଲେ ବାୟୁସେନାର ୧୨ ମିରେଜ୍ ବିମାନ  ।

ପୁଲୱାମା ହମଲା ପରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରିଛି । ସେପଟେ ପାକିସ୍ତାନର ମେଜର ଜେନେରାଲ ଆସିଫ ଗଫୁର୍ ଟ୍ୱିଟ୍ କରି ଏହାକୁ ସ୍ୱୀକାର କରିଛନ୍ତି । ଯଦିଓ ଆକ୍ରମଣକୁ ଅସ୍ୱୀକାର କରିଛନ୍ତି, ତେବେ ସେ ଲେଖିଛନ୍ତି, ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାକିସ୍ତାନ ସୀମାକୁ ପଶି ଆସିଥିଲା  । ଏତିକି ସ୍ପଷ୍ଟ, ପାକ୍ ମାଟିରେ ପଶି ଉପଯୁକ୍ତ ପ୍ରତିଶୋଧ ନେଇଛି ଭାରତ  ।