ଟପ୍ ସିକ୍ରେଟ ଥିଲା ଭାରତର ଏୟାରଷ୍ଟ୍ରାଇକ! ଜାଣନ୍ତୁ କିଭଳି ହୋଇଥିଲା ପାକିସ୍ତାନ ଆତଙ୍କୀ ଶିବିରରେ ଆଟାକ କରିବାର ପ୍ଲାନିଂ

567

କନକ ବ୍ୟୁରୋ : ଫେବ୍ରୃଆରୀ ୧୪ ପୁଲୱାମା ଆକ୍ରମଣର ୧୨ ଦିନ ଭିତରେ କଡା ପ୍ରତିଶୋଧ ନେଇ ଭାରତ । ପାକିସ୍ତାନ ମାଟିରେ ଜବାବ ଦେଇଛି ଭାରତୀୟ ବାୟୁ ସେନା । ତେବେ ଏହି ଆକ୍ରମଣ ପୂର୍ବରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ଭାରତ । ଆକ୍ରମଣ ସଫଳ କରିବା ପାଇଁ ଏକାଧିକ ପର୍ଯ୍ୟାୟରେ ରଖାଯାଇଥିଲା ସତର୍କତା । ତେବେ ଯୋଜନା ସମ୍ପର୍କରେ କେହି ବ୍ୟକ୍ତି ମଧ୍ୟ ସାମାନ୍ୟ ସୁରାକ୍ ପାଇନଥିଲେ । ପୂରା ଟପ୍ ସିକ୍ରେଟ ରହିଥିଲା ଏହି ଅଭିଯାନ ।

କୁହାଯାଉଛି ପୁଲୱାମା ହମଲା ପରେପରେ ପାକିସ୍ତାନକୁ ପାନେ ଦେବାଲାଗି ପିଓକେରେ ଏୟାର ଷ୍ଟ୍ରାଇକ ପାଇଁ ହୋଇଥିଲା ଯୋଜନା ।

୧୫ ଫେବ୍ରୁଆରୀ
– ପୁଲୱାମା ଆତଙ୍କୀ ହମଲା ପରେ ପ୍ରତିଶୋଧ ପାଇଁ ପିଓକେରେ ଆକାଶମାର୍ଗରୁ ଆକ୍ରମଣ ପାଇଁ ପ୍ରସ୍ତାବ ଦେଇଥିଲେ ବାୟୁସେନା ମୁଖ୍ୟ ବିଏସ ଧାନୋଆ । ସରକାର ମଧ୍ୟ ଏହାକୁ ସବୁଜ ସଂକେତ ଦେଇଥିଲେ
୧୬ରୁ ୨୦ ଫେବ୍ରୁଆରୀ
– ଲାଇନ ଅଫ କଂଟ୍ରୋଲରେ ସ୍ଥଳ ଓ ବାୟୁସେନା ପକ୍ଷରୁ ହାରୋନ ଡ୍ରୋନ୍ ଜରିଆରେ ନିୟମିତ ହୋଇଥିଲା ଏୟାର ସର୍ଭିଲାନ୍ସ
୨୦ରୁ ୨୨ ଫେବ୍ରୁଆରୀ
– କେଉଁ ସବୁ ଆତଙ୍କୀ ଠିକଣା ଉପରେ ହମଲା କରିବ ଭାରତୀୟ ବାୟୁସେନା, ସେନେଇ ରୂପରେଖ ସ୍ଥିର କରିଥିଲେ ଗୁଇନ୍ଦା ବିଭାଗ ଓ ବାୟୁସେନା
୨୨ ଫେବ୍ରୁଆରୀ
– ଆକ୍ରମଣ ପାଇଁ ଭାରତୀୟ ବାୟୁସେନାର ଦୁଇଟି ସ୍କ୍ୱାର୍ଡନ ତିଆରି ହେଲେ । ଗୋଟିଏ ଟାଇଗର ସ୍କ୍ୱାର୍ଡନ ଓ ୭ଟି ବ୍ୟାଟେଲ ଆକ୍ସ ସ୍କ୍ୱାର୍ଡନ୍ । ୧୨ଟି ଯୁଦ୍ଧ ବିମାନ ସହ ଦୁଇଟି ମିରାଜ ସ୍କ୍ୱାର୍ଡନ ପ୍ରସ୍ତୁତ ହେଲେ
୨୪ ଫେବ୍ରୁଆରୀ
– ସତର୍କ କରିବାକୁ ନିୟୋଜିତ ଏକ ଯୁଦ୍ଧ ବିମାନ ଭଟିଣ୍ଡାରେ ଏବଂ ଆଗ୍ରାରେ ଏକ ମିଡ ଏୟାର ରି-ଫୁଏଲିଂ ଟ୍ୟାଙ୍କର ଅଭ୍ୟାସ କରିଥିଲେ
୨୫-୨୬ ଫେବ୍ରୁଆରୀ
– ଆରମ୍ଭ ହେଲା ଅପରେସନ୍ । ୧୨ଟି ମିରାଜ୍ ୨୦୦୦ ଯୁଦ୍ଧ ବିମାନ ଲେଜର ଗାଇଡେଡ୍ ବୋମା ସହ ଗ୍ୱାଲିୟରରୁ ଉଡାଣ ଭରିଥିଲେ । ଭଟିଣ୍ଡାରୁ ୱାର୍ଣ୍ଣିଂ ଜେଟ୍ ଏବଂ ଆଗ୍ରାରୁ ରି-ଫୁଏଲିଂ ଟ୍ୟାଙ୍କର ପିଓକେ ଅଭିମୁଖେ ବାହାରିଥିଲେ
୨୬ ଫେବ୍ରୁଆରୀ ଭୋର ୩ଟା ୨୦
– କମାଣ୍ଡ ସେଂଟରରୁ ନିର୍ଦ୍ଦେଶ ପାଇବା ପରେ ଲେଜର ପଡରେ ଟାର୍ଗେଟକୁ ଖୋଜି ବୋମା ବର୍ଷଣ କରିଥିଲେ ମିରାଜ ପାଇଲଟ୍ । ଅଳ୍ପ ଉଚ୍ଚତାରେ ଉଡି ପାକିସ୍ତାନ ରାଡରରୁ ନିଜକୁ ରକ୍ଷା କରିବାରେ ସମର୍ଥ ହୋଇଥିଲେ ମିରାଜ । ଆଉ ମାତ୍ର ୨୧ ମିନିଟରେ ନିଜ କାମ ଶେଷ କରି ସୁରକ୍ଷିତ ଫେରିଆସିଥିଲେ ଭାରତୀୟ ବାୟୁସେନାର ବୀର ଯବାନ । ସକାଳ ସାଢେ ୩ଟା ସୁଦ୍ଧା ସମସ୍ତ ମିରାଜ ଫାଇଟର ଜେଟ୍ ଭାରତୀୟ ଏୟାରବେସକୁ ଫେରିଆସିଥିଲେ । ଆଉ ଏହିଭଳି ଭାବେ ହୋଇଥିଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ।

ବାଲାକଟ ବାୟୁସେନା ଆକ୍ରମଣ ଘଟଣାରେ ୨୫ଜଣ ଜୈଶ-ଇ-ମହମ୍ମଦ କମାଣ୍ଡର ପ୍ରାଣ ହରାଇଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ କ୍ୟାବିନେଟ ସୁରକ୍ଷା କମିଟିରେ ଏହି ତଥ୍ୟ ଦେଇଛନ୍ତି । ଡୋଭାଲ କହିଛନ୍ତି, ଆଜି ସକାଳେ ହୋଇଥିବା ଏୟାର ଷ୍ଟ୍ରାଇକରେ ଜୈସ-ଇ ମହମ୍ମଦର ଟପ୍ ୨୫ କମାଣ୍ଡରଙ୍କ ଜୀବନ ଯାଇଛି । ଏହି ଆକ୍ରମଣରେ ମୋଟ ୨୦୦ରୁ ୩୦୦ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।

ଫେବ୍ରୁଆରୀ ୨୦ ତାରିଖରୁ ବାଲାକଟରେ ଚାଲିଥିବା ଟ୍ରେନିଂ କ୍ୟାମ୍ପରେ ୨ ମାସିଆ ପ୍ରଶିକ୍ଷଣ ଶିବିର ଚାଲିଥିଲା । ଏହି ପ୍ରଶିକ୍ଷଣ ଶିବିର ଏପ୍ରିଲ ୧୫ ତାରିଖ ଯାଏଁ ଚାଲିବାର ଥିଲା । ମୁଜାଫରାବାଦରେ ଥିବା ଆତଙ୍କବାଦୀମାନଙ୍କୁ ବାଲାକଟକୁ ଅଣାଯାଇଥିଲା । ପୁଲବାମା ଆତଙ୍କବାଦୀ ହମଲା ପରେ ଭାରତ ପକ୍ଷରୁ ପୁଣିଥରେ ଏକ ସର୍ଜିକାଲ ଷ୍ଟାଇକର ଆଶଙ୍କା କରିଥିଲା ପାକିସ୍ତାନ । ସେଥିପାଇଁ ଏହି ଆତଙ୍କବାଦୀମାନଙ୍କୁ ସର୍ଜିକାଲ ଷ୍ଟ୍ରାଇକରୁ ସୁରକ୍ଷା ଦେବାପାଇଁ ସ୍ଥାନାନ୍ତର କରିଥିଲା ପାକିସ୍ତାନ । ତେବେ ପାକିସ୍ତାନ କେବେ ବି ଚିନ୍ତା କରିନଥିଲା କି ଭାରତ ଆକ୍ରମଣ କରିବା ପାଇଁ ବାୟୁସେନାକୁ ବ୍ୟବହାର କରିବ । କିଛି ଚିନ୍ତା କରିବା ପୂର୍ବରୁ ଭାରତ ପାକିସ୍ତାନ ମାଟିରେ ସଂହାରଲୀଳା କରି ଫେରିଆସିଥିଲା ।