ସିଡନୀରେ କଳା ପଟି ବାନ୍ଧି ପଡିଆକୁ ଓହ୍ଲାଇଲେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଖେଳାଳୀ ! ଜାଣନ୍ତୁ କ’ଣ ରହିଛି କାରଣ ।

704

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ଟେଷ୍ଟ ଗୁରୁବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ତେବେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଦଳର ଖେଳାଳୀମାନେ ହାତରେ କଳା ପଟି ବାନ୍ଧି ପଡିଆକୁ ଓହ୍ଲାଇଥିବା ଜଣାପଡିଛି । ଟିମ୍ ଇଣ୍ଡିଆ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଛୋଟବେଳର କୋଚ୍ ରମାକାନ୍ତ ଆଚରେକରଙ୍କ ସମ୍ମାନରେ କଳା ପଟି ବାନ୍ଧିଛି । ଭାରତୀୟ କ୍ରିକେଟକୁ ସଚିନଙ୍କ ଭଳି ଅମୂଲ୍ୟ ଉପହାର ଦେଇଥିବା ଆଚରେକରଙ୍କର ବୁଧବାର ମୁମ୍ବାଇରେ ଦେହାନ୍ତ ହୋଇଥିଲା । ୮୭ ବର୍ଷ ବୟସରେ ଆଚରେକରଙ୍କର ନିଧନ ହୋଇଛି ।

ସେହିପରି ଅଷ୍ଟ୍ରେଲିଆ ଖେଳାଳୀମାନେ ମଧ୍ୟ କଳା ପଟି ବାନ୍ଧି ପଡିଆକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । କଙ୍ଗାରୁ ଦଳର ଖେଳାଳୀମାନେ, ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ବିଲ୍ ୱାଟସନଙ୍କ ସମ୍ମାନରେ କଳା ପଟି ବାନ୍ଧିଛନ୍ତି । ଡିସେମ୍ବର ୨୯ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ତେବେ ଆଜି ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ଖେଳାଯାଉଛି । ଆଉ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଭଲ ସ୍ଥିତିରେ ରହିଛି ।