ନିଜ ଦେଶରେ ବୁଲେଟ ଟ୍ରେନର ଡବା ନିର୍ମାଣ କରିବା ପାଇଁ ଆଗ୍ରହ ଦେଖାଇଲା ଭାରତ

ମୋଦି ସରକାର ଆସିବା ପରେ ଅନେକ ଯୋଜନା ଆରମ୍ଭ କରିଛନ୍ତି

111

କନକ ବ୍ୟୁରୋ : ମୋଦି ସରକାର ଆସିବା ପରେ ଅନେକ ଯୋଜନା ଆରମ୍ଭ କରିଛନ୍ତି । କେବଳ ଯୋଜନା କରିଛନ୍ତି ତାହା ନୁହେଁ ବରଂ କିପରି ଭାବରେ ତାହା ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ ସେନେଇ ସର୍ବଦା ସମୀକ୍ଷା କରୁଥିବା ସୂଚନା ମିଳିଛି । ତେବେ ଏହି ଯୋଜନା ମଧ୍ୟରେ ରହିଛି ବୁଲେଟ ଟ୍ରେନ । ମୋଦି ସରକାର ଜାପାନ ସହାୟତାରେ ଭାରତରେ ବୁଲେଟ ଟ୍ରେନ ପ୍ରସ୍ତୁତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ପ୍ରଥମେ ଏହି ଟ୍ରେନଟି ମୁମ୍ବାଇ-ଅହମ୍ମଦାବାଦ ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ମୋଦି ସରକାର ରୋଡ ଧାର୍ଯ୍ୟ କରିସାରିଛନ୍ତି ।

 

ଏହାପାଇଁ ୨୦୨୨କୁ ଟାର୍ଗେଟ ମଧ୍ୟ ରଖାଯାଇଛି । ଏହାର ପ୍ରକୃତ ଡେଡଲାଇନ ୨୦୨୩ ମସିହା ରହିଥିଲେ ମଧ୍ୟ ସମୟ ପୂର୍ବରୁ ତାହାକୁ ଶେଷ କରିବା ପାଇଁ ମୋଦି ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯେ, ଦେଶର ୭୫ ତମ ସ୍ୱାଧୀନତା ଉପଲକ୍ଷେ ତାହା ଦେଶବାସୀଙ୍କୁ ଉପହାର ଦିଅ।ଯାଉ ବୋଲି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଦେଶରେ ଚାଲିବାକୁ ଥିବା ବୁଲେଟ ଟ୍ରେନର ଡବା ଭାରତରେ ନିର୍ମାଣ ହେଉ ବୋଲି ମୋଦି ସରକାର ଚାହୁଁଛନ୍ତି । କାରଣ ଏହା ଦ୍ୱାରା ଖର୍ଚ୍ଚ କମ ହେବା ସହ ରାଜସ୍ୱ ମଧ୍ୟ ସୀମିତ ରହିବ ।

 

କେବଳ ଏତିକି ନୁହେଁ ଏହାଦ୍ୱାରା ଭାରତଠାରୁ ବିଶ୍ୱର ଅନେକ ଦେଶ ଭାରତଠାରୁ ଡବା ଆମଦାନୀ ମଧ୍ୟ କରିପାରିବେ ବୋଲି ଜାତୀୟ ଗଣମାଧ୍ୟମକୁ ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ରାଜେଶ ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି । ଏହାସହ ଅଗ୍ରଓ୍ଵାଲ କହିଛନ୍ତି ରେଳବାଇ ପାଖରେ ଏବେ ପାଖାପାଖି ୧,୫୦,୦୦୦ କୁଶଳ ଶ୍ରମିକ, ୫୦ ରେଳବାଇ ଓ୍ଵାର୍କଶପ ଓ ୬ଟି ଉତ୍ପାଦନ କାରଖାନା ଅଛି । ତେଣୁ ବୁଲେଟ ଟ୍ରେନର ଡବା ନିର୍ମାଣ କରିବା ପାଇଁ ଭାରତ ଇଚ୍ଛା ପ୍ରକାଶ କରିଛି । ତେବେ ଏହା ଉପରେ ଜାପାନ କି ପଦକ୍ଷେପ ନେଉଛି ତାହାହିଁ ଦେଖିବାକୁ ରହିଲା ।