ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ସେପ୍ଟେମ୍ବର ୨୫ରୁ ଲାଗୁ ହେବ ‘ଆୟୁଷ୍ମାନ ଭାରତ’, ପ୍ରତି ପରିବାରକୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା

27

କନକ ବ୍ୟୁରୋ: ଆଜି ଦେଶର ସ୍ୱାଧୀନତା ପ୍ରାପ୍ତିକୁ ୭୧ ବର୍ଷ ପୂରଣ ହୋଇଛି । ଦୀର୍ଘ ୨ ଶହ ବର୍ଷ ଧରି ଇଂରେଜ ଶାସନ ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା । ସ୍ୱାଧୀନତାର ବର୍ଷ ପୂର୍ତି ଅବସରରେ ଦେଶବ୍ୟାପୀ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ସଂଗ୍ରାମୀଙ୍କୁ ମନେ ପକାଇ ଶ୍ରଦ୍ଧାଂଜଳି ଜ୍ଞାପନ କରୁଛନ୍ତି ଦେଶବାସୀ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହି ଅବସରରେ ସ୍ୱାଧିନ ଭାରତର ସବୁଠୁ ବଡ ଜନ କଲ୍ୟାଣ ଯୋଜନା କୁହାଯାଉଥିବା ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ସଂପର୍କରେ ଘୋଷଣା କରିଛନ୍ତିି ପ୍ରଧାନମନ୍ତ୍ରୀ ମୋଦି । ବୈଜ୍ଞାନିକମାନେ ଭାରତକୁ ଗୌରବାନ୍ଵିତ କରିଛନ୍ତି। ୨୦୨୨ କିମ୍ବା ତା’ ପୂର୍ବରୁ ଭାରତ ମହାକାଶକୁ ମାନବ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ୨୦୨୨ ସୁଦ୍ଧା ସମସ୍ତ ଭାରତୀୟଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ୨ ଲକ୍ଷ ପିଲାଙ୍କ ଜୀବନ ରକ୍ଷା ହୋଇ ପାରିଛି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ୧୦ କୋଟି ପରିବାରର ଉପକାର କରିବ।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନେଇ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୨୫ରୁ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନରେ ଏହି ଯୋଜନା ଲାଗୁ ହେବ । ଏଥିରେ ଉପକୃତ ହେବେ ଦେଶର ୧୦ କୋଟି ପରିବାର । ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ । ଏହାଦ୍ୱାରା ୧୦ କୋଟି ପରିବାରର ୫୦ ଲକ୍ଷ ଲୋକେ ଉପକୃତ ହେବେ ।