ସାବଧାନ ସେଲଫି ପ୍ରେମୀ ! ଏଣିକି ଟ୍ରେନରେ ସେଲଫି ନେଲେ ଯିବାକୁ ପଡିବ ଜେଲ, ଦେବାକୁ ହେବ ଜୋରିମାନା ।

50

ଟ୍ରେନ ଭିତରେ କିମ୍ବା ରେଳ ଲାଇନ କଡରେ ସେଲଫି ନେବା ଏଣିକି ମହଙ୍ଗା ପଡିବ । ଏପରି କଲେ ୬ ମାସ ପାଇଁ ଜେଲ ଯିବାକୁ ପଡିପାରେ । ଟ୍ରେନରୁ ଖସିପଡିବା କିମ୍ବା କଟିଯିବା ଭଳି ଘଟଣା ଦିନକୁ ଦିନ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଳବାଇ ପକ୍ଷରୁ ଏଭଳି ନିୟମ କରାଯାଇଛି । ଏହି ଅନୁସାରେ, ପୋଲିସ ଏବଂ ଚେକିଂ ଷ୍ଟାଫଙ୍କୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି ।

ତେବେ କିଛି ଦିନ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ଯୁବକ ଚଳନ୍ତା ଟ୍ରେନ ଆଗରେ ସେଲଫି ନେଉଥିଲା । ସେହି ସମୟରେ ଟ୍ରେନଟି ଯୁବକଙ୍କୁ ଧକ୍କା ଦେଇଥିଲା ଏବଂ ସମ୍ପୃକ୍ତ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ରେଲୱେ ବୋର୍ଡର ଚେୟାରମ୍ୟାନ ଅଶ୍ୱନୀ ଲୋହାନୀ ଗମ୍ଭୀରତାର ସହ ନେଇଥିଲେ । ସେଲଫି ନେବା କାରଣରୁ ଟ୍ରେନରେ କିମ୍ବା ଟ୍ରେନ ଲାଇନରେ କେତୋଟି ମୃତ୍ୟୁ ହୋଇଛି ସେ ବାବଦରେ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ତେବେ ରେଳବାଇ ପକ୍ଷରୁ ଏନେଇ ଲୋକମାନଙ୍କୁ ସଚେତନ କରାଯାଇଥିଲେ ମଧ୍ୟ ଲୋକମାନେ ଏଭଳି ବିପଦଜନକ କାର୍ଯ୍ୟ ଜାରି ରଖୁଛନ୍ତି । ଏଣିକି ଟ୍ରେନରେ କେହି ସେଲଫି ନେବାର ପରିଲକ୍ଷିତ ହେଲେ ସମ୍ପୃକ୍ତ ଯୁବକଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ତାଙ୍କୁ ଜେଲ ପଠାଯିବ । ରେଲୱେ ବୋର୍ଡର ଡାଇରେକ୍ଟର ପି ଶ୍ରୀନିବାସ ଟ୍ରେନରେ ସେଲଫି ନେବାକୁ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛନ୍ତି । ଏଥି ପାଇଁ ୬ ମାସର ଜେଲ ଦଣ୍ଡ ସହ ୨ ହଜାର ଟଙ୍କାର ଜୋରିମାନା ରଖାଯାଇଛି ।