ବିଜେପି-ଶିବସେନା ମୁହାଁମୁହିଁ ! ମେଣ୍ଟ ନକଲେ ହଇରାଣ ହେବ : ଅମିତ ଶାହା

ଏନଡିଏଠାରୁ ସମ୍ପର୍କ ତୁଟାଉଥିବା ଦଳଗୁଡ଼ିକୁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଖୋଲା ଚାଲେଞ୍ଜ୍ ଦେଇଛନ୍ତି

153

କନକ ବ୍ୟୁରୋ : ଏନଡିଏଠାରୁ ସମ୍ପର୍କ ତୁଟାଉଥିବା ଦଳଗୁଡ଼ିକୁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଖୋଲା ଚାଲେଞ୍ଜ୍ ଦେଇଛନ୍ତି। ଶିବସେନାକୁ ଟାର୍ଗେଟ୍ କରି ଶାହ କହିଛନ୍ତି, ଏନଡିଏ ସହ ସୁସମ୍ପର୍କ ରଖି କାମ କଲେ ସାଧାରଣ ନିର୍ବାଚନରେ ସହଯୋଗୀଙ୍କ ବିଜୟକୁ ସୁନିଶ୍ଚିତ କରାଯିବ। ଆଉ ଯଦି ସେମାନେ ଆମଠାରୁ ସମର୍ଥନ ପ୍ରତ୍ୟାହାର କରି ଏକାକୀ ଲଢ଼ିବେ, ତା’ହେଲେ ସେମାନଙ୍କୁ ମୂଳପୋଛ କରିଦିଆଯିବ। ବିଜେପି ଏକାକୀ ସେମାନଙ୍କୁ ହରାଇବାକୁ ସମର୍ଥ ରହିଛି। ସହଯୋଗୀ ଦଳଗୁଡ଼ିକୁ ହରାଇବାକୁ ଆମେ ଏବେ ପ୍ରସ୍ତୁତ ବୋଲି ଶାହ କହିଛନ୍ତି।

 

ବିଜେପି ଅଧ୍ୟକ୍ଷ ଅମିତ ଶାହ ଶିବସେନାକୁ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି, ମହାରାଷ୍ଟ୍ରରେ ୨୦୧୯ ସାଧାରଣ ନିର୍ବାଚନରେ ଯଦି ଶିବସେନା ମେଣ୍ଟରେ ନରୁହେ, ତେବେ ବିଜେପିଠାରୁ ଏହାକୁ ପରାଜୟ କରିବାକୁ ପଡ଼ିବ। ଶାହଙ୍କ ଏଭଳି ବୟାନ ପରେ ଶିବସେନା କ୍ଷୁବ୍ଧ ହୋଇଛି। ଆଜି ଶିବସେନା ମଧ୍ୟ ତାହାର କଡ଼ା ଜବାବ ରଖିଛି। ଶିବସେନା କହିଛି ଯେ ସହଯୋଗୀଙ୍କ ହତାଶାବୋଧକୁ ନବୁଝି ବିଜେପି ଏବେ ଅନ୍ୟ ବିକଳ୍ପ ଗ୍ରହଣ କରିବାକୁ ଚେଷ୍ଟା କରୁଛି। ଶାହଙ୍କ ଏଭଳି ମନ୍ତବ୍ୟରୁ ଜଣାପଡ଼ୁଛି ଯେ ବିଜେପି କଳେବଳେ କୌଶଳେ ନିର୍ବାଚନ ଜିତିପାରିବ। କାରଣ ଇଭିଏମ୍ ଉପରେ ଏହାର ଭରସା ରହିଛି। ଇଭିଏମ୍ ସହିତ ବିଜେପି ହାତ ମିଳାଇଥିବାରୁ ଏହା ଆଉ ଅନ୍ୟର ସମର୍ଥନକୁ ବିଶ୍ବାସ କରୁନାହିଁ।

 

ଶିବସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଉଦ୍ଧବ ଠାକରେ ହିନ୍ଦୁମାନଙ୍କ ପାଇଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି କରୁଥିଲେ। ସେଥିପାଇଁ ‘ପ୍ରଥମେ ମନ୍ଦିର, ପରେ ସରକାର’ ବୋଲି ସ୍ଲୋଗାନ୍ ଦିଆଯାଇଥିଲା। ଏଥିରେ ବିଜେପି ପ୍ରତିକ୍ରିୟାଶୀଳ ହେବା ଅନୁଚିତ। ଏଥିରୁ ଜଣାପଡୁଛି ଯେ ବିଜେପି ହିନ୍ଦୁମାନଙ୍କ ଦାବି ପୂରଣ କରିବାକୁ ଚାହୁନାହିଁ। ଏଭଳି କରି ହିନ୍ଦୁତ୍ବରେ ବିଶ୍ବାସ ରଖୁଥିବା ଲୋକମାନଙ୍କୁ ବିଜେପି ପ୍ରତାରଣା ଦେବାକୁ ଚାହୁଛି ବୋଲି ଶିବସେନା କହିଛି।