ଆଜି ଦିଲ୍ଲୀରେ ବିଜେଡିର କୃଷକ ସମାବେଶ ! ଏମଏସପି ବୃଦ୍ଧି ପ୍ରସଙ୍ଗରେ ଗର୍ଜିବ ଦଳ

121

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ଗର୍ଜିବ ବିଜେଡି । ଦିଲ୍ଲୀ ଦରବାରରେ ଦମ୍ ଦେଖାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ଦରବାରରେ ବିଶାଳ ସମାବେଶ କରିବ ବିଜେଡ଼ି । ବିଜେଡ଼ି ସମାବେଶର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚାଷୀଙ୍କ ହକ ପାଇଁ ଦିଲ୍ଲୀ ଦରବାରରେ ବିକ୍ଷୋଭ କରିବାକୁ ବିଜେଡି ସୁପ୍ରିମୋ ତାଙ୍କର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି ।

ନବୀନ କହିଛନ୍ତି ଯେ, ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକାର ଏମଏସପି ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଆମେ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ଆଲୋଚନା ଏବଂ ଚିଠି ମଧ୍ୟ ଲେଖିଛୁ । କିନ୍ତୁ ଏଯାବତ୍ ଏହି ପ୍ରସଙ୍ଗରେ ଚୁପ୍ ବସିଛନ୍ତି କେନ୍ଦ୍ର ସରକାର । ତେଣୁ ଦିଲ୍ଲୀରେ ଆଜି କୃଷକଙ୍କ ହକ୍ ପାଇଁ ଏକ ବିଶାଳ ସମାବେଶ କରି ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରିବୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ମିଳିଥିବା ସୂଚନା ଅନୁସାରେ, ଗତ ୫ ତାରିଖରେ ଟ୍ରେନ ଯୋଗେ ଓଡ଼ିଶାରୁ ନୂଆଦିଲ୍ଲୀ ଯାଇଥିବା ପାଖାପାଖି ୨ହଜାର ଚାଷୀ ଓ ନେତା ପହଞ୍ଚିଛନ୍ତି । ନୂଆଦିଲ୍ଲୀ ରେଳଷ୍ଟେସନରେ ସେମାନଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ ସ୍ବାଗତ କରିଥିଲେ । ସେମାନଙ୍କୁ ଓଡ଼ିଶା ଭବନ, ଓଡ଼ିଶା ନିବାସ, ଓଡ଼ିଶା ସଦନ, ୱେଷ୍ଟର୍ଣ୍ଣ କୋର୍ଟ, ଦିଲ୍ଲୀର ବିଭିନ୍ନ ଧର୍ମଶାଳା, ହଜଖାସ୍ ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ଜଗନ୍ନାଥ ମନ୍ଦିର ଆଦିରେ ରଖାଯାଇଛି ।ଆଜି ତାଲକୋଟରା ଷ୍ଟାଡିୟରେ ସକାଳ ୧୧ଟାରୁ ସମାବେଶ ଆରମ୍ଭ ହେବ ।

ପାଖାପାଖି ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ଏହି ଧାରଣାସ୍ଥଳୀରେ ପହଞ୍ଚିବେ ଓ ବିକ୍ଷୋଭ କାର‌୍ୟ୍ୟକ୍ରମରେ ସାମିଲ ହେବ । ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଜେଡି କହିଛି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବାକୁ ସ୍ମାରକ ପତ୍ରରେ ଦାବି ରଖାଯିବ । ଏହି ଦାବି ହାସଲ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବିଜେଡି ନେତାମାନେ କହିଛନ୍ତି । ଧାରଣା ଓ ବିକ୍ଷୋଭ ଶେଷରେ ଚାଷୀ ଓ ବିଜେଡି ନେତା ଓଡ଼ିଶା ଫେରିଯିବେ ।