କନକ ବ୍ୟୁରୋ: ଆସନ୍ତାକାଲି ସ୍ପଷ୍ଟ ହେବ କେଉଁ ଆସନକୁ ବାଛିବେ ବିଜେଡି ସୁପ୍ରିମୋ । ପଶ୍ଚିମ ଓଡିଶାକୁ ନବୀନ ଯିବା ନେଇ ସଂକେତ ଦେବାପପରେ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏପରିକି ରାଜନୈତିକ ମହଲରେ ଏବେ ଦୁଇଟି ବଡ ପ୍ରଶ୍ନ ଛିଡ଼ା ହୋଇଛି ଯେ ହିଞ୍ଜିଳି ଆସନରୁ କିଏ ପାଇବ ବିଜେଡି ଟିକେଟ ? ଆଉ ପଶ୍ଚିମ ଓଡିଶାର କେଉଁ ଆସନକୁ ବାଛିବେ ନବୀନ ?
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପ୍ରଶ୍ନକୁ ତର୍ଜମା କଲେ, ବିଗତ ଦୁଇ ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ୪ଥର ନିର୍ବାଚନ ଲଢ଼ି ଯେଉଁଭଳି ବିଜୟଧାରା ବଜାୟ ରଖିଛନ୍ତି ନବୀନ ତାଙ୍କ ସ୍ଥାନ ପାଇଁ ବିଜେଡିରୁ କାହାକୁ ବାଛିବେ ? ଏଭଳି ପ୍ରଶ୍ନ ଏବେ ବିଜେଡି ଶିବିରକୁ ଦ୍ୱନ୍ଦରେ ପକାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ନିକଟତର ହେଉବାବେଳେ ନବୀନଙ୍କ ଏଭଳି ସଂକେତ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।
ସେପଟେ ଏବେ ଦ୍ୱିତୀୟ ପ୍ରଶ୍ନକୁ ନେଇ ମଧ୍ୟ ଶଙ୍ଖ ଦଳରେ ଚର୍ଚ୍ଚା ଜୋର ଧରିଛି ଯେ, ନବୀନ ଯଦି ଆସନ ବଦଳାଇ ପଶ୍ଚିମ ଓଡ଼ିଶାକୁ ଯାଆନ୍ତି ତେବେ ପଶ୍ଚିମ ଓଡିଶାର କେଉଁ ଆସନକୁ ବାଛିବେ ନବୀନ ? ଦ୍ଵିତୀୟ, ତୃତୀୟ ପର୍ଯ୍ୟାୟରେ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାରେ ନିର୍ବାଚନ । ବିଜେପୁର ଉପ ନିର୍ବାଚନ ବେଳେ ନବୀନ ବିଜେପୁରକୁ ଦ୍ବିତୀୟ ନିର୍ବାଚନ ମଣ୍ଡଳୀ ଭାବେ ଅଭିହିତ କରିଥିଲେ । ଏହାର ବିକାଶ କାମକୁ ନିଜେ ଦେଖିବେ ବୋଲି କହିଥିଲେ। ତେବେ ନବୀନଙ୍କ ଫୋକସରେ କେଉଁ ଆସନ ରହିବ ତାହା ଆସନ୍ତା କାଲି ସ୍ପଷ୍ଟ ହୋଇଯିବ ବୋଲି ଶୁଣିବାକୁ ମିଳୁଛି ।
ଯଦି ବିଗତ ଦୁଇଟି ନିର୍ବାଚନକୁ ଅନୁଧ୍ୟାନ କରାଯାଏ ତେବେ, ୨୦୧୪ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ମୋଟ୍ ୩୦ଟି ବିଧାନସଭା ଆସନରୁ ବିଜେଡି ହାତକୁ ୧୭ଟି ଆସିଥିବା ବେଳେ ବିଜେପିକୁ ୭ଟି, କଂଗ୍ରେସକୁ ୪ଟି ଏବଂ ଅନ୍ୟାନ୍ୟ ୨ଟି ଆସନରେ ଜିତିଥିଲେ । ସେହିଭଳି ୨୦୦୯ ସାଧାରଣ ନିର୍ବାଚନରେ ୩୦ଟି ବିଧାନସଭା ଆସନରୁ ବିଜେଡି ଦଖଲକୁ ୧୨ଟି ଆସନ ଆସିଥିବାବେଳେ ବିଜେପିକୁ ୭ଟି, କଂଗ୍ରେସ ଖାତାକୁ ୧୩ଟି ଓ ଅନ୍ୟାନ୍ୟ ପ୍ରାର୍ଥୀ ଗୋଟିଏ ଆସନରେ ବାଜିମାତ କରିଥିଲେ । ତେବେ ଗତ ୨୦୧୪ ନିର୍ବାଚନ ଠାରୁ ଚଳିତ ଥର ଅଧିକ ଆସନ ହାତେଇ କ୍ଲିନ୍ ସୁଇପ୍ କରିବାକୁ ପଶ୍ଚିମ ଓଡ଼ିଶା ନିର୍ବାଚନୀ ମୈଦାନକୁ ନବୀନ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପଟେ ସେପଟେ ଓଡ଼ିଶରେ ୪ଟି ପର୍ଯ୍ୟାୟ ନିର୍ବାଚନ ହେବାକୁଥିବାବେଳେ ନବୀନଙ୍କ ଏଭଳି ସଂକେତ ବିରୋଧୀ ଶିବିରରେ ଛନକା ପସାଇଥିବା ଚର୍ଚ୍ଚା ହେଉଛି । ଏପରିକି ଯଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢ଼ନ୍ତି ତେବେ ବିରୋଧୀ ଶିବିରରୁ ମଧ୍ୟ ନବୀନଙ୍କୁ ପ୍ରତିଦ୍ୱନ୍ଦୀତା କରିବାକୁ ହେଭିୱେଟଙ୍କୁ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିପାରେ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି ।