ଆଇସିସି ଦିନିକିଆ ର‌୍ୟାକିଙ୍ଗ ! ବିରାଟ, ବୁମରା ବଜାୟ ରଖିଲେ ଶୀର୍ଷ ସ୍ଥାନ, ଦ୍ୱିତାୟ ସ୍ଥାନରେ ଟିମ୍ ଇଣ୍ଡିଆ ।

275

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଜସପ୍ରିତ ବୁମରା ଆଇସିସି ଦିନିକିଆ ର‌୍ୟାକିଙ୍ଗରେ ବ୍ୟାଟ୍ସମ୍ୟାନ ଏବଂ ବୋଲର ଭାବେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲେ ମଧ୍ୟ, ଏହା ତାଙ୍କ ର‌୍ୟାଙ୍କିଙ୍ଗ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ । ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦୁଇଟି ମ୍ୟାଚ ଖେଳିନଥିଲେ ସୁଦ୍ଧା ନମ୍ବର ୱାନ ବ୍ୟାଟ୍ସମ୍ୟାନ ସ୍ଥାନ ବଜାୟ ରଖିଛନ୍ତି ।

ତେବେ ୫ ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡକୁ ୪-୧ରେ ହରାଇଛି ଭାରତ । ଏହା ପରେ ଭାରତ ଆଇସିସି ର‌୍ୟାକିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ ଏହି ପରାଜୟ ପରେ ର‌୍ୟାକିଙ୍ଗରେ ଗୋଟିଏ ସ୍ଥାନ ତଳକୁ ଖସିଯାଇଛି ନ୍ୟୁଜିଲାଣ୍ଡ । ପୂର୍ବରୁ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ଥିବା ବେଳେ ଏବେ ଚତୁର୍ଥ ସ୍ଥାନକୁ ଖସିଆସିଛି । ତେବେ ଏହି ର‌୍ୟାଙ୍କିଙ୍ଗରେ ୧୨୨ ଅଙ୍କ ସହ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୧୨୬ ଅଙ୍କ ସହ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଥିବା ବେଳେ ଭାରତ ଠାରୁ ସିରିଜ ହାରିବା ପରେ ଚତୁର୍ଥ ସ୍ଥାନକୁ ଖସିଆସିଛି ନ୍ୟୁଜିଲାଣ୍ଡ ।

ସେହିପରି ବ୍ୟାଟିଂ କ୍ଷେତ୍ରରେ ୮୮୭ ଅଙ୍କ ସହ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମ ସ୍ଥାନରେ ଥିବା ବେଳେ, ୮୫୪ ଅଙ୍କ ସହ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନ ଏବଂ ୮୨୧ ଅଙ୍କ ସହ ନ୍ୟୁଜିଲାଣ୍ଡର ରସ୍ ଟେଲର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ବୋଲିଂ କ୍ଷେତ୍ରରେ ୮୦୮ ଅଙ୍କ ସହ ଭାରତୀୟ ଦ୍ରୁତଗାମୀ ବୋଲର ଜସପ୍ରିତ ବୁମରା ପ୍ରଥମ ସ୍ଥାନରେ ଥିବା ବେଳେ, ୭୦୮ ଅଙ୍କ ସହ ରାସିଦ ଖାନ ଦ୍ୱିତୀୟ ସ୍ଥାନ, ଏବଂ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ତୃତୀୟ ସ୍ଥାନରେ ରହିଛନ୍ତି ।