ଶିଳ୍ପ ସଚିବଙ୍କ ବିରୋଧରେ ଅଭିଯୋଗ ଆଣିଲା ଶିଳ୍ପସଂଘ । ପୋଲିସ ଡକାଇ ଶିଳ୍ପଦ୍ୟୋଗୀଙ୍କୁ ମାଡ ଅଭିଯୋଗ, କଳାବ୍ୟାଜ୍ ପିନ୍ଧି ପ୍ରତିବାଦ

ସଚିବ ଓ କଟକ ଡିସିପିଙ୍କ ବଦଳି ଦାବି

117

କନକ ବ୍ୟୁରୋ: ଶିଳ୍ପସଂଘ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଛି । ବାତ୍ୟା କ୍ଷୟକ୍ଷତି ଦେଖିବାକୁ ଆସିଥିବା ବେଳେ ଶିଳ୍ପ ସଚିବଙ୍କ ଉପସ୍ଥିତିରେ ଶିଳ୍ପଦ୍ୟୋଗୀମାନଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ କ୍ଷୁବ୍ଧ ହୋଇଛି ଶିଳ୍ପସଂଘ । ଘଟଣାର ପ୍ରତିବାଦ କରି ଶିଳ୍ପ ସଂଘ କଳାବ୍ୟାଜ୍ ପିନ୍ଧିବା ସହିତ ଶିଳ୍ପ ସଚିବ, କଟକ ଡିସିପିଙ୍କ ବଦଳି ଦାବି କରିଛି । ଦାବି ପୂରଣ ନହେଲେ ଶିଳ୍ପ ସଂସ୍ଥାରେ ତାଲା ପକାଇବାକୁ ଚେତବାନୀ ଦେଇଛି ସଂଘ ।

ଶିଳ୍ପ ସଚିବ ଏଲ୍ ଏନ୍ ଗୁପ୍ତାଙ୍କ ସହିତ ଶିଳ୍ପୋଦ୍ୟୋଗୀଙ୍କ ବିବାଦ ଏବେ ଗମ୍ଭୀର ସ୍ଥିତି ଆଡକୁ ଗତି କରୁଛି । ଶିଳ୍ପଦ୍ୟୋଗୀମାନେ ଅଭିଯୋଗ କରିଛନ୍ତି, ଗତ ୧୪ତାରିଖରେ ଶିଳ୍ପ ସଚିବ ଜଗତପୁର ଶିଳ୍ପାଚଳରେ କିଛି ସମୟ ବୁଲିବା ପରେ ସେପରି କ୍ଷତି ହୋଇନଥିବା କହି ପୁରୁଣା ଶିଳ୍ପାଚଳକୁ ବାହାରିଯାଇଥିଲେ । ସଂଘ କାର୍ଯ୍ୟାଳୟକୁ ଆସିବା ପାଇଁ ସଚିବଙ୍କୁ ଅନୁରୋଧ କରିବାରୁ ପୋଲିସ ଡକାଇ ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହିତ ମିଛ ମାମଲା ରୁଜୁ କରିଥିବା କହିଛନ୍ତି ଶିଳ୍ପଦ୍ୟୋଗୀ ।

କଳାବ୍ୟାଜ୍ ପିନ୍ଧିବା ସହିତ ତୁରନ୍ତ ଶିଳ୍ପ ସଚିବ ଓ କଟକ ଡିସିପିଙ୍କୁ ବଦଳି କରିବାକୁ ଦାବି କରିଛି ଶିଳ୍ପସଂଘ । ସରକାର ପଦକ୍ଷେପ ନନେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିଳ୍ପସଂସ୍ଥାକୁ ବନ୍ଦ କରି ଦିଆଯିବ ବୋଲି ସଂଘ ଚେତାଇ ଦେଇଛି । ତେବେ କଟକ ଡିସିପି କହିଛନ୍ତି, ଶିଳ୍ପ ସଚିବଙ୍କୁ ଜଗତପୁରରେ କିଛି ଶିଳ୍ପୋଦ୍ୟୋଗୀ ଘେରାଉ କରିବା ସହିତ ଅପହରଣ ଉଦ୍ୟମ କରାଯାଉଥିବା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଆଇନ୍ ଅନୁଯାଇ ପଦକ୍ଷେପ ନେଇଥିଲା । ଏହି ଘଟଣାରେ ୨୭ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୋମବାର ଠାରୁ ସାରା ରାଜ୍ୟର ଜିଲ୍ଲା ଶିଳ୍ପକେନ୍ଦ୍ର ସାମ୍ନାରେ ୧ଘଂଟା ପାଇଁ ଧାରଣା ଦେବାକୁ ନିଷ୍ପତି ନେଇଛି ଓଡ଼ିଶା ଶିଳ୍ପସଂଘ । ସେପଟେ ଆଜି ଅତିରିକ୍ତ ପୋଲିସ କମିସନର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।