ବାପାଙ୍କ ସ୍ୱାର୍ଥ ଏବଂ ଧର୍ମେନ୍ଦ୍ରଙ୍କ ପ୍ରତାରଣା ଅସଲ ଜୀବନରେ କରିଦେଇଥିଲା ‘ଟ୍ରାଜେଡି କୁଇନ୍’ ! ଜନ୍ମଦିନ ଅବସରରେ ପଢନ୍ତୁ ମୀନା କୁମାରୀଙ୍କ ଜୀବନର କିଛି ଅକୁହା କଥା

39

ବଲିଉଡର ଟ୍ରାଜେଡି କୁଇନ୍ ମୀନା କୁମାରୀ । ଯାହାଙ୍କ ଅଭିନୟ ଆଗରେ ବଡ଼ ବଡ଼ ଅଭିନେତା ମଧ୍ୟ ହୋଇଯାଉଥିଲେ ଧରାସାୟୀ । ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାର ମଧ୍ୟ ହୋଇଯାଉଥିଲେ ନିଶବ୍ଦ । ମୀନା କୁମାରୀଙ୍କ ସାମ୍ନାରେ ଡାଇଲଗ୍ ଭୁଲି ଯାଉଥିଲେ ରାଜ୍ କୁମାର । ନିଜ ଦମଦାର ଅଭିନୟରେ ଦୀର୍ଘ ତିନି ଦସନ୍ଧି ଧରି ବଲିଉଡରେ ରାଜ୍ କରିଥିଲେ ମୀନା । ସବୁ କଳାକାର ତାଙ୍କ ସହ ଅଭିନୟ କରିବାକୁ ଥିଲେ ଆଗ୍ରହୀ । ତେବେ ଅଧିକାଂଶ ଦୁଃଖ ଭରା କାହାଣୀ ଥିବା ସିନେମାରେ ଅଭିନୟ କରୁଥିଲେ ମୀନା କୁମାରୀ । ସେଥିପାଇଁ ସେ ବନି ଯାଇଥିଲେ ବଲିଉଡର ଟ୍ରାଜେଡି କୁଇନ୍ ।

ଆଜି ହେଉଛି ମୀନା କୁମାରଙ୍କ ଜନ୍ମ ଦିନ । ୧୯୩୨ ମୁମ୍ବାଇର ଏକ ସୁମଲମାନ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମୀନା କୁମାରୀ । ତେବେ କେବଳ ରିଲ୍ ନୁହେଁ ରିୟଲ୍ ଲାଇଫରେ ବି ମୀନା କୁମାରୀ ଥିଲେ ଟ୍ରାଜେଡି କୁଇନ୍ । ସିନେମା କାହାଣୀ ପରି ତାଙ୍କ ଅସଲ ଜୀବନ ମଧ୍ୟ ଥିଲା ଦୁଃଖ ଭରା । ଆଉ ବୋଧେ ସେଥିପାଇଁ ସେ ରୂପେଲି ପରଦାରେ ନିଜ ଅଭିନୟକୁ ଜୀବନ୍ତ କରି ପାରୁଥିଲେ । ତେବେ ନଜର ପକାନ୍ତୁ ମୀନା କୁମାରୀଙ୍କ ଜୀବନର କିଛି ଅକୁହା କଥା ଉପରେ ।

ମୀନା କୁମାରୀଙ୍କ ପ୍ରକୃତ ନାଁ ହେଉଛି ମହଜବୀନ୍ ବାନୋ । ତାଙ୍କ ବାପା ଅଲ୍ଲୀ ବଖ୍ସ ଜଣେ ରଙ୍ଗମଂଚ କଳାକାର ଥିଲେ । ଆଉ ମା’ ଥିଲେ ଥିଏଟରର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ନୃତ୍ୟାଙ୍ଗନା ଯାହାଙ୍କ ସଂପର୍କ ରବୀନ୍ଦ୍ର ନାଥ ଟାଗୋରଙ୍କ ପରିବାର ସହ ଥିଲା । ତେବେ ପରିବାରରେ ଆର୍ଥିକ ସମସ୍ୟା ଥିବାରୁ ଜନ୍ମ ହେବା କ୍ଷଣି ମୀନା କୁମାରୀଙ୍କୁ ବାପା ଅଲ୍ଲୀ ଏକ ମୁସଲିମ୍ ଅନାଥାଶ୍ରମରେ ଛାଡି ଦେଇଥିଲେ । କାରଣ ପୂର୍ବରୁ ତାଙ୍କର ଆଉ ଦୁଇ ଝିଅ ଥିଲେ । ହେଲେ ମା’ ଖୁବ୍ କାନ୍ଦିବାରୁ ଅଲ୍ଲୀ ତାଙ୍କୁ ଫେରାଇ ଆଣିଥିଲେ ।

ମାତ୍ର ୪ ବର୍ଷ ବୟସରେ ଜଣେ ଶିଶୁ କଳାକାର ଭାବରେ ନିଜ ଅଭିନୟ ଆରମ୍ଭ କରିଥିଲେ ମୀନା କୁମାରୀ । ପ୍ରାୟ ୨୦ଟି ସିନେମାରେ ଶିଶୁ କଳାକାର ଭାବରେ ସେ କାମ କରିଛନ୍ତି । ତେବେ ସେ ମହଜବୀନରୁ ମୀନା କୁମାରୀ, ବିଜୟ ଭଟ୍ଟ ଲୋକପ୍ରିୟ ସିନେମା ‘ବିଜୁ ବାୱରା’ ରୁ ହୋଇଥିଲା । ଏହା ପରେ ସେ ମୀନା କୁମାରୀ ଭାବରେ ଲୋକପ୍ରିୟ ହୋଇଥିଲେ ।

ମୀନା କୁମାରୀ ଅଧିକାଂଶ ସିନେମାରେ ଦୁଃଖ ଭରା ଭୂମିକାରେ ଅଭିନୟ କରିଥିବାରୁ ବଲିଉଡରେ ଟ୍ରାଜେଡି କୁଇନ୍ ଭାବରେ ପସିଦ୍ଧ ହୋଇଥିଲେ । ତାଙ୍କ ଅସଲ ଜୀବନର ଏକୁଟିଆପଣ ଏବଂ କଷ୍ଟ ତାଙ୍କ ଅଭିନୟରେ ନଜର ଆସୁଥିଲା । ସେଥିପାଇଁ ସେ ନିଜ ଅଭିନୟକୁ ଜୀବନ୍ତ କରିପାରୁଥିଲେ । ନିଜ ବାପାଙ୍କ ସାର୍ଥପର ସ୍ୱଭାବ ଯୋଗୁଁ ଅଲ୍ଲୀଙ୍କୁ ଖୁବ୍ ଘୃଣା କରୁଥିଲେ ମୀନା କୁମାରୀ ।

ମୀନା କୁମାରୀ ପ୍ରସିଦ୍ଧ ଫିଲ୍ମ ନିର୍ମାତା କମାଲ୍ ଅମାରୋହୀଙ୍କୁ ପ୍ରେମ ବିବାହ କରିଥିଲେ । ତେବେ କମାଲ୍ ପୂର୍ବରୁ ବିବାହିତ ଥିବାରୁ ତାଙ୍କୁ ଦ୍ୱିତୀୟ ପତ୍ନୀର ଦର୍ଜା ମିଳିଥିଲା । କମାଲଙ୍କ ସହ ନିଜ ଜୀବନର ୧୦ବର୍ଷ ଖୁସିରେ ଅତିବାହିତ କରିଥିଲେ ମୀନା କୁମାରୀ । ଏହା ପରେ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ଶେଷରେ ୧୯୬୪ରେ ଉଭୟ ଅଲଗା ହୋଇଯାଇଥିଲେ । ଆଉ ଏହି ବିଛେଦ ପଛର କାରଣ ଥିଲେ ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ସେତେବେଳେ ନୂଆ ନୂଆ କରି ବଲିଉଡରେ ପାଦ ରଖିଥିଲେ । କିନ୍ତୁ ମୀନା କୁମାରୀ ଥିଲେ ବଲିଉଡର ସବୁଠାରୁ ଅଧିକ ଚିକ୍ ଚିକ୍ କରୁଥିବା ଷ୍ଟାର୍ । ଯାହାଙ୍କ ଗୋଟିଏ ପରେ ଗୋଟିଏ ସିନେମା ହିଟ୍ ହେଉଥିଲା ।

ବଲିଉଡ୍ ଆକାଶରେ ମୀନା କୁମାରୀ ସେ ତାରା ଥିଲେ ଯାହାକୁ ଛୁଇଁବା ପାଇଁ ସମସ୍ତେ ଚାହୁଁଥିଲେ । ଆଉ ଏହି ତାରା ମାନଙ୍କ ମଧ୍ୟରେ ଜଣେ ଥିଲେ ଧର୍ମେନ୍ଦ୍ର । ଧୀରେ ଧୀରେ ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡିଯାଇଥିଲେ ମୀନା କୁମାରୀ । ଆଉ ଧର୍ମେନ୍ଦ୍ରଙ୍କ ବୁଡିଯାଉଥିବା କ୍ୟାରିୟରର ନୌକାକୁ ଯେମିତି ଏକ ସାହାରା ମିଳିଯାଇଥିଲା । ମୀନା କୁମାରୀଙ୍କ ଜରିଆରେ ଧୀରେ ଧୀରେ ସଫଳତାର ସିଡି ଚଢିଥିଲେ ଧର୍ମେନ୍ଦ୍ର । ଆଉ ମୀନା କୁମାରୀ ମଧ୍ୟ ଯଥା ସମ୍ଭବ ଚେଷ୍ଟା କରିଥିଲେ ଧର୍ମେନ୍ଦ୍ରଙ୍କ କ୍ୟାରିୟରୁ କୂଳରେ ଲଗାଇବାକୁ । କିନ୍ତୁ ଏତେ ସବୁ କରିବା ପରେ ମୀନା କୁମାରୀଙ୍କୁ ମିଳିଥିଲା ଧର୍ମେନ୍ଦ୍ରଙ୍କ ପ୍ରତାରଣା ।

ସିନେମା ‘ଫୁଲ୍ ଔର୍ କାଂଟେ’ ପରେ ମୀନା କୁମାରୀଙ୍କ ଠାରୁ ଦୂରତା ବନେଇବାକୁ ଲାଗିଲେ ଧର୍ମେନ୍ଦ୍ର । ଆଉ ପୁଣି ଥିରେ ଜୀବନରେ ଏକୁଟିଆ ହୋଇଗଲେ ମୀନା କୁମାରୀ । ଧର୍ମେନ୍ଦ୍ରଙ୍କ ପ୍ରତାରଣାକୁ ସହି ନପାରି ଆବଶ୍ୟକତାଠାରୁ ମଦ ପିଇବାକୁ ଲାଗିଥିଲେ ମୀନା କୁମାରୀ । ଫଳରେ ତାଙ୍କୁ ଲିଭର୍ ସିରୋସିସ୍ ରୋଗର ଶିକାର ହୋଇଯାଇଥିଲେ ।

ଶୁଣିବାକୁ ମିଳିଥିଲା ମୀନା କୁମାରୀଙ୍କ ଏହି ଅବସ୍ଥା ଦାଦା ମୁନି ଅଶୋକ କୁମାର ସହିପାରି ନଥିଲେ । ତେଣୁ ତାଙ୍କ ଔଷଧ ନେଇ ପହଂଚିଥିଲେ । ହେଲେ ମୀନା କୁମାରୀ ଏହାକୁ ନେବା ପାଇଁ ମନା କରିଦେଇଥିଲେ । ସିନେମା ପାକିଜା ରିଲିଜ୍ ହେବାର ୩ ସପ୍ତାହ ପରେ ଗମ୍ଭୀର ଭାବରେ ବେମାର ହୋଇଯାଇଥିଲେ ମୀନା କୁମାରୀ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୀନା କୁମାରୀ ୨୯ମାର୍ଚ୍ଚ ୧୯୭୨ରେ ଶେଷ ଥର ପାଇଁ କମାଲ୍ ଅମରୋହୀଙ୍କ ନାଁ ନେଇଥିଲେ । ଆଉ ଏହା ପରେ କୋମାକୁ ଚାଲିଯାଇଥିଲେ । ମାତ୍ର ୩୯ ବର୍ଷ ବୟସରେ ଏହି ସ୍ୱାର୍ଥୀ ଦୁନିଆକୁ ଅଲବିଦା କହିଥିଲେ ମୀନା କୁମାରୀ ।