ବିଶ୍ୱ ଦେଖିଲା ଭାରତର ଶକ୍ତି । ମୋଦି-ଟ୍ରମ୍ପ ନାରାରେ କମ୍ପିଲା ଆମେରିକାର ହୁଷ୍ଟନ ସହର, ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ୍ କଲେ ମୋଦି ।

459

କନକ ବ୍ୟୁରୋ : ବିଶ୍ୱ ଦେଖିଲା ଭାରତର ଶକ୍ତି । ମୋଦି-ଟ୍ରମ୍ପ ନାରାରେ କମ୍ପିଲା ଆମେରିକାର ହୁଷ୍ଟନ ସହର । ଆଉ ବିଶ୍ୱମଂଚରେ ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇର ସମୟ ଆସିଛି । ସେହିପରି ଧାରା ୩୭୦ ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି କାଶ୍ମୀରର ଲୋକଙ୍କୁ ବିକାଶ ଏବଂ ସମାନ ଅଧିକାରରୁ ବଂଚିତ ରଖିଥିଲା ଧାରା ୩୭୦ । ଆଉ ଫାଇଦା ନେଉଥିଲେ ଆତଙ୍କବାଦୀ ଏବଂ ବିଚ୍ଛିନ୍ନବାଦୀ ।

ଯେଉଁ ନେତା ସମସ୍ୟାରୁ ପ୍ରେରଣା ପାଏ, ସଂକଟରେ ସୁଯୋଗ ଖୋଜେ । ସେହି ନେତା ସାମ୍ନାରେ ଯେତେବେଳେ ସମସ୍ୟା ଆସି ଠିଆ ହୁଏ, ସେ ସୁଯୋଗର ମିନାର୍ ସୃଷ୍ଟି କରିଦିଏ । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଦେଖାଇଛନ୍ତି । ତାହା ହୋଇନଥିଲେ ଦୀର୍ଘ ୭୦ ବର୍ଷ ଧରି ପଡ଼ି ରହିଥିବା ସମସ୍ୟାର ସମାଧାନ କ’ଣ ଏମିତି ସେ କରିପାରିଥାନ୍ତେ ।

ଯେଉଁ ଧାରା ୩୭୦କୁ ନେଇ ବିଚ୍ଛିନତାବାଦୀ ଭାରତ ସହ ମୁଳଚାଳ କରୁଥିଲେ ଏବଂ ଆତଙ୍କବାଦୀ ଭାରତର ସୀମାରେ ଅନାୟସରେ ନରସଂହାର ଚଳାଇଥିଲେ, ସେହି ବିବାଦୀୟ ଧାରା ୩୭୦କୁ ବିଦାୟ ଦେଇ ସାରିଛି ଭାରତ । ଏବେ ଯେକେହି ବି କହିପାରିବ ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ।

ବିଦେଶମାଟିରେ ଦେଶୀ ପ୍ରସଙ୍ଗ ଉଠାଇ ମୋଦି, ପଡ଼ୋଶୀ ଦେଶକୁ ଏମିତି ଘାଇଲା କରିଛନ୍ତି ଯେ, ପାକିସ୍ତାନ ନାଁ ନେବାର ଆବଶ୍ୟକତା ହିଁ ପଡ଼ିନି । ହେଲେ ଆତଙ୍କବାଦୀ ରାଷ୍ଟ୍ରର ଅସଲ ମୁଖା ସାମ୍ନାକୁ ଚାଲି ଆସିଛି । ଆତଙ୍କବାଦୀ ପୀଡ଼ିତ ହେବାର ଅଭିନୟ କରୁଥିବା ପାକିସ୍ତାନକୁ ହୁଷ୍ଟନରୁ ହୋଇଛି ବଡ଼ ହମଲା ।

ଆଉ ସବୁଠାରୁ ବଡ଼ କଥା ହେଉଛି, ଆତଙ୍କବାଦର ଲଢ଼େଇରେ ଭାରତ ସପକ୍ଷରେ ଠିଆ ହୋଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଟ୍ରମ୍ପ ଖୋଲାଖୋଲି କହିଛନ୍ତି, ଇସଲାମିକ୍ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ସେମିତି ଜାରି ରହିବ ଯେମିତି ଜାରି ରହିଥିଲା ।

ଭାରତ ଓ ଆମେରିକାର ଏହି ସଂପର୍କକୁ ଟାଇଗର୍ ଟାଇଅପ୍ ବା ଦୁଇ ବାଘର ସଂପର୍କ ସହ ତୁଳନା କରିଛନ୍ତି ଡୋନାଲ ଟ୍ରମ୍ପ । ଦୁଇ ବାଘ, ଜଣେ ସର୍ବବୃହତ ଗଣତନ୍ତ୍ରର ସବୁଠୁ ଜନପ୍ରିୟ ନେତା ଆଉ ଜଣେ ସର୍ବପୁରାତନ ଗଣତନ୍ତ୍ରର ସର୍ବୋଚ୍ଚ କ୍ଷମତାସୀନ ରାଷ୍ଟ୍ରପତି । ହୁଷ୍ଟନର ଏନଆରଜି ଷ୍ଟାଡିୟମରେ ୫୦ ହଜାର ଲୋକଙ୍କ ଉପସ୍ଥିତିରେ ଭାରତ-ଆମେରିକା ଯେଉଁ ବାର୍ତା ଦେଇଛନ୍ତି, ତାହା ବୁଝିବା ଲୋକ ଠିକ୍ ବୁଝିପାରିବେ ।