ଉତ୍ତରପ୍ରଦେଶ ପରେ ଏବେ ଆସାମରେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଲେ ୩୯ରୁ ଅଧିକ ଲୋକ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ସ୍ଥାନୀୟ ପ୍ରଶାସନ

ଉତ୍ତରପ୍ରଦେଶରୁ ଡେଇଁଲା ବିଷାକ୍ତ ମଦ ମୃତ୍ୟୁ ମାମଲା

59

କନକ ବ୍ୟୁରୋ : ଉତ୍ତରପ୍ରଦେଶରୁ ଡେଇଁଲା ବିଷାକ୍ତ ମଦ ମୃତ୍ୟୁ ମାମଲା । ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏପରି ଭାବରେ ମଦ ମୃତ୍ୟୁ ବଢିବାରେ ଲାଗିଛି । ବିଷାକ୍ତ ମଦ ପିଇ ଅକାରଣରେ ବହୁମୂଲ୍ୟ ଜୀବନ ଚାଲିଯାଉଛି । ମିଳିଥିବା ସୂଚନା ଅନୁସାରେ,ନିକଟରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ଦେଶୀ ମଦ ପିଇ ଶତାଧିକ ଲୋକଙ୍କର ଜୀବନ ଯିବା ଖବର ମନରୁ ଲିଭିନଥିବା ବେଳେ ଆସାମରେ ଅନୁରୂପ ଘଟଣାରେ ଅତି କମରେ ୩୯ ଜଣଙ୍କ ପ୍ରାଣହାନି ଖବର ଆସିବା ପରେ ସାରା ଦେଶରେ ଏହା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆସାମର ଗୋଲହାଟ ଏବଂ ଜୋରହାଟ ଜିଲ୍ଲା ଅନ୍ତର୍ଗତ ତିନିଟି ସ୍ଥାନରେ ଏପରି ଅଘଟଣ ହୋଇଛି।

ଗୋଲହାଟ ଜିଲ୍ଲା ଅଧୀନ ଏକ ଚା ବଗିଚାରେ ବିଷାକ୍ତ ମଦ ପିଇ ସ୍ତ୍ରୀ ଓ ପୁରୁଷ ମିଶାଇ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଜୋରହାଟ ଜିଲ୍ଲା ଅନ୍ତର୍ଗତ ବୋରଲାଠାରେ ଅନୁରୂପ ଭାବେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ରାଜ୍ୟର ଏହା ସବୁଠୁ ବଡ଼ ମଦମୃତ୍ୟୁ ଘଟଣା ହୋଇଥିବା ବେଳେ ଏଥିରେ ଗଭୀର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ମନ୍ତ୍ରୀ ତପନ କୁମାର ଗୋଗୋଇ, ଜୋରହାଟ ସାଂସଦ ଏବଂ ଖୁମଟାଇ ବିଧାୟକ ମୃଣାଳ ସାଇକିଆ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ଏପରି ଭାବରେ ବିଷାକ୍ତ ମଦ ମୁତ୍ୟୁ ସଂଖ୍ୟା ବଢିଚାଲିଥିବାରୁ ଏହାକୁ ଯେପରି ରୋକି ହେବ ସେନେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି । ଏହାସହ ପ୍ରାଣ ହରାଇଥିବା ଲୋକମାନେ କେଉଁଠାରୁ ଏହି ବିଷାକ୍ତ ମଦ କିଣିଥିଲେ ତାହାର ତଦନ୍ତ ମଧ୍ୟ ପ୍ରଶାସନ ଦେଇଥିବା ଜଣାପଡିଛି ।